Connect with us

ଅପରାଧ

ପ୍ରେମିକ ଘର ସମ୍ମୁଖରେ ଜଳିଗଲା ପ୍ରେମିକା

ପ୍ରେମିକ ଘର ସମ୍ମୁଖରେ ଜଳିଗଲା ପ୍ରେମିକା
ହତ୍ୟା ଅଭିଯୋଗ ଆଣିଲେ ବାପା
ରାଉରକେଲା,୧୭ା୮ : ରାଉରକେଲା ସହର ଉପକଣ୍ଠସ୍ଥ ବନ୍ଧମୁଣ୍ଡା ଅଂଚଳରେ ପ୍ରେମିକର ଘର ସମ୍ମୁଖରୁ ପ୍ରେମିକାକୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯିବା ଏବଂ ପରେ ଡାକ୍ତରଖାନାରେ ଡାକ୍ତର ମୃତ ଘୋଷଣା କରିବା ଭଳି ଅଭାବନୀୟ ଘଟଣା ଘଟିଯାଇଛି ।

ଗୋଟିଏ ପକ୍ଷରେ ପ୍ରେମିକ ବିବାହ ପାଇଁ ମନା କରିଦେବାରୁ ଯୁବତୀ ଜଣକ ନିଜ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଥିବା କୁହାଯାଉଥିବା ବେଳେ ଅନ୍ୟପକ୍ଷରେ ମୃତ ଯୁବତୀଙ୍କ ବାପା ତାଙ୍କ ଝିଅକୁ ପୋଡି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଘଟଣା ପରେ ଅଭିଯୁକ୍ତ ପ୍ରେମିକ ଫେରାର୍ ହୋଇଯାଇଛି । ପୋଲିସ ପ୍ରେମିକର ବାପା ମାଆଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି । ସୂଚନା ଅନୁଯାୟୀ, ଆଶା ନାୟକ (୧୮) ସେହି ଅଂଚଳର ଯୁବକ ଅନୁପ ଯାଦବଙ୍କୁ ଭଲ ପାଉଥିଲେ । ଅନୁପ ମଧ୍ୟ ତାଙ୍କୁ ବିବାହର ପ୍ରତିଶୃତି ଦେଇଥିଲେ । ତେବେ ପରବର୍ତୀ ସମୟରେ ଅନୁପ ବିବାହ ପାଇଁ ମନା କରିବାରୁ ଯୁବତୀ ଜଣକ ହତୋତ୍ସାହିତ ହୋଇପଡିଥିଲେ ।

ଗତକାଲି ରାତି ପ୍ରାୟ ୩ଟା ସମୟରେ ଅନୁପଙ୍କ ଘର ସମ୍ମୁଖରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ତାଙ୍କୁ ତୁରନ୍ତ ଆଇ.ଜି.ଏଚ୍. ହସ୍ପିଟାଲରେ ଭର୍ତି କରାଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଆଶା ନିଜ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । କିନ୍ତୁ, ଝିଅର ବାପ ବିରଂଚି ନାୟକ ଥାନାରେ ଅଭିଯୋଗ କରିଛନ୍ତି ଯେ, ଗତକାଲି ମୋ ଝିଅକୁ ପୁଅ ଘରଲୋକେ ନିଜଘରକୁ ଡାକିନେଇ ରାତି ୩ଟା ବେଳେ ତା ଦେହରେ କିରୋସିନି ଢାଳି ତାକୁ ପୋଡି ମାରିଦେଇଛନ୍ତି । ବନ୍ଧମୁଣ୍ଡା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।

ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିବା ସହ ପ୍ରେମିକର ବାପା ମାଆଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ