Connect with us

ଆଞ୍ଚଳିକ

ପ୍ରାଣନାଥ ସମ୍ମାନ ପ୍ରଦାନ ସମାରୋହ

ସାଙ୍କେତିକ ଚିତ୍ର

ପ୍ରାଣନାଥ ସମ୍ମାନ ପ୍ରଦାନ ସମାରୋହ
ବିପ୍ଳବୀ ପ୍ରାଣନାଥଙ୍କ ତ୍ୟାଗପୂତ ଜୀବନ ପ୍ରେରଣାର ଉତ୍ସ
ଭୁବନେଶ୍ୱର :- ମହାନ୍ ସ୍ୱାଧୀନତା ସଂଗ୍ରାମୀ, ଜନନେତା, ଶିକ୍ଷାବିତ୍, ସାମ୍ୟବାଦର ପୁରୋଧା ତଥା ସାହିତ୍ୟିକ ପ୍ରାଣନାଥ ପଟ୍ଟନାୟକଙ୍କ ୪୮ତମ ପୁଣ୍ୟତିଥି ଅବସରରେ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ସ୍ମୃତି ସମାରେହ ଓ ପ୍ରାଣନାଥ ସମ୍ମାନ-୨୦୧୮ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରାଣନାଥଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ସେ ତାଙ୍କୁ ଜଣେ ଆଜୀବନ ଦେଶସେବୀ ରୂପେ ବର୍ଣ୍ଣନା କରିବା ସଂଗେ ସଂଗେ ରାଜ୍ୟର ଶିକ୍ଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରକୁ ତାଙ୍କର ବିପୁଳ ଅବଦାନ ସମ୍ପର୍କରେ ଉଲ୍ଲେଖ କରିଥିଲେ । ତାଙ୍କର ତ୍ୟାଗ ଓ ସାଧନା ଯୁବପୀଢ଼ି ପାଇଁ ଅନୁସରଣୀୟ ବୋଲି ମତ ଦେଇ ରାଜ୍ୟପାଳ ସ୍ୱର୍ଗତ ପଟ୍ଟନାୟକଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଉତ୍ସବରେ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶୀଭୂଷଣ ବେହେରା ପ୍ରାଣନାଥଙ୍କୁ ଜଣେ ବିପ୍ଳବୀ କୃଷକ ନେତା ଓ ସଚ୍ଚା ସାମ୍ୟବାଦୀ ରୂପେ ବର୍ଣ୍ଣନା କରିଥିଲେ । ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୀପକ ମାଲବ୍ୟ ଓ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଉତ୍ସବରେ ବିଶିଷ୍ଟ ଅତିଥି ରୂପେ ଯୋଗଦେଇ କହିଥିଲେ ଯେ, ପ୍ରାଣନାଥ ପଟ୍ଟନାୟକ ନିଜର ସଂଘର୍ଷମୟ ଜୀବନରେ ଅଶେଷ ତ୍ୟାଗ ସ୍ୱୀକାର କରିଥିଲେ ହେଁ ନୀତି ଓ ଆଦର୍ଶ ସହ ସାଲିସ୍ କରିନଥିଲେ । ଭାରତର ମୁକ୍ତି ସଂଗ୍ରାମର ସେ ଜଣେ ଲଢ଼ୁଆ ଯୋଦ୍ଧା ଥିଲେ ।
ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସ୍ମୃତି ସମିତିର ସଭାପତି ତଥା ଶିକ୍ଷାବିତ୍ ମେଜର କ୍ଷୀରୋଦ୍ ପ୍ରସାଦ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ସିନେ ସମୀକ୍ଷକ ଦିଲ୍ଲୀପ ହାଲି ବିବରଣୀ ପାଠ କରିଥିଲେ । ପ୍ରାରମ୍ଭରେ ଶିଶୁ କଳାକାର ମାଷ୍ଟର ରାକେଶ ବିଶ୍ୱାଳ ଭାଓଲିନରେ ଦେଶାତ୍ମବୋଧ ସଗୀଂତର ସ୍ୱର ବାଦନ କରିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସଂଗେ ସଂଗେ ଧନ୍ୟବାଦ ଅର୍ପଣ କରିଥିଲେ ସୂଚେତା ପ୍ରିୟଦର୍ଶିନୀ ।
ଅନ୍ୟପକ୍ଷରେ ରାଜ୍ୟପାଳ ବିଭିନ୍ନ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ପ୍ରାଣନାଥ ସ୍ମୃତି କମିଟି ପକ୍ଷରୁ ସମ୍ମାନୀତ କରିଥିଲେ । ସେମାନେ ହେଲେ ହୃଦରୋଗ ଚିକିତ୍ସକ ମହେନ୍ଦ୍ର କୁମାର ତ୍ରିପାଠୀ, ସମାଜସେବୀ ତଥା ଟ୍ରେଡ଼ ୟୁନିୟନିଷ୍ଟ ସୁବାଷ ସିଂ, ଚଳଚ୍ଚିତ୍ର ତାରକା ବନଜା ମହାନ୍ତି, ଚିତ୍ରଶିଳ୍ପୀ ମାନସ ରଂଜନ ଜେନା, ନାଟ୍ୟକାର ଗୋପାଳ ଦେଙ୍କୁ ଉତରୀୟ, ସାଲ, ମାନପାତ୍ର ଦେଇ ପ୍ରାଣନାଥ ସମ୍ମାନରେ ସମ୍ମାନିତ କରିଥିଲେ ।
ପରେ ପରେ ମହାନ ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରୀୟା ଛକରେ ସ୍ଥାପିତ ତାଙ୍କ ପ୍ରତିମୂର୍ତିରେ ବହୁ ବିଶିଷ୍ଟ ବ୍ୟକ୍ତି ମାଲ୍ୟାର୍ପଣ କରିଥିଲେ । ଏହି ଉତ୍ସବରେ ବରିଷ୍ଠ ପ୍ରଶାସକ ସରୋଜ ସାମଲ, ସି.ପି.ଆଇ ନେତା ବସନ୍ତ ପାଇକରାୟ, କଳିଙ୍ଗ ଭାରତୀ ଫାଉଣ୍ଡେସନର ସମ୍ପାଦକ ଶରତ ଚନ୍ଦ୍ର ବିଶ୍ୱାଳ, ଉପାଧ୍ୟକ୍ଷା ଜ୍ୟୋତ୍ସ୍ନା ଦାସଙ୍କ ସମେତ କର୍ମକର୍ତା ଓ ଛାତ୍ରଛାତ୍ରୀମାୋନ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ