Connect with us

ଓଡିଶା

ପୁରୀ ପ୍ଲାଟଫର୍ମର ସ୍ୱଚ୍ଛତା ଦେଖି ବିରକ୍ତ ହେଲେ କମିଟି

ସାଙ୍କେତିକ

ପୁରୀ ପ୍ଲାଟଫର୍ମର ସ୍ୱଚ୍ଛତା ଦେଖି ବିରକ୍ତ ହେଲେ କମିଟି
ପୁରୀ, ୧୭ ଜୁଲାଇ – ରେଳବାଇ ପାସେଞ୍ଜର ସର୍ଭିସ କମିଟି ବୁଧବାର ଅପରାହ୍ନରେ ପୁରୀ ଷ୍ଟେସନ ପରିଦର୍ଶନ କରିବା ସହ ବିଭିନ୍ନ ଅଭାବ ଅସୁବିଧା ସଂପର୍କରେ ଅଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ । ଏକ ୫ ଜଣିଆ କମିଟିରେ ଅଧ୍ୟକ୍ଷ ଭାବେ ରମେଶ ଚନ୍ଦ୍ର ରତ୍ନ ଷ୍ଟେସନର ବିଭିନ୍ନ ସ୍ଥାନ ବୁଲି ଦେଖିବା ସହ ଖାଦ୍ୟ ପଦାର୍ଥ ପରିବେଷଣ, ଜନତା ମିଲ୍, ମହିଳାଙ୍କ ପ୍ରତୀକ୍ଷା ଗୃହ, ଟିକେଟ କାଉଂଟର, ପ୍ଲାଟଫର୍ମ ଆଦି ବୁଲି ଦେଖିଥିଲେ । ଜନତା ମିଲ୍ ଓ ଖାଦ୍ୟ ପରଷୁଥିବା ଷ୍ଟଲ୍ ବୁଲିବା ସମୟରେ ପ୍ୟାକିଙ୍ଗ କରୁଥିବା ପ୍ୟାକେଟ ଉପରେ ନିର୍ମାଣ ତାରିଖ ଓ ଅତିକ୍ରାନ୍ତ ତାରିଖ ଲେଖାନଥିବା ଦେଖି ବିରକ୍ତି ପ୍ରକାଶ କରିଥିଲେ । ମହିଳା ପ୍ରତୀକ୍ଷାଗାରର ସ୍ୱଚ୍ଛତା ଦେଖିବା ସହ ଟଏଲେଟ ଓ ବସିବା ସ୍ଥାନ ଅପରିଷ୍କାର ହୋଇଥିବା ଦେଖି ଦାୟିତ୍ୱରେ ଥିବା ମ୍ୟାନେଜରଙ୍କୁ ତାଗିଦ କରିଥିଲେ ।

ପ୍ଲାଟଫର୍ମର ବିଭିନ୍ନ ସ୍ଥାନ ଖାଲ ଢିପ ଥିବାରୁ ସେଗୁଡିକ ସମତୁଲ କରିବା ପାଇଁ ପରାମର୍ଶ ଦେଇଥିଲେ । ଫନି ବାତ୍ୟାରେ ଭାଙ୍ଗି ଯାଇଥିବା ଟିଣ ଛପରରୁ ପାଣି ଗଳୁଥିବାରୁ ଏହାକୁ ତୁରନ୍ତ ମରାମତି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପିଇବା ପାଣିର ମାନ ପରୀକ୍ଷା ପାଇଁ ଥିବା ମେସିନଟି କାମ କରୁନଥିବାରୁ ତାକୁ ଚଳନକ୍ଷମ କରିବା ପାଇଁ କହିଥିଲେ । ଯାତ୍ରୀମାନଙ୍କ ବିଶ୍ରାମଗାର, ଟୁରିଷ୍ଟ କମ୍ପେ୍ଲକ୍ସ, ଟିକେଟ କାଉଂଟର ଓ ଅଧିକ ଟିକେଟ ଭେଣ୍ଡିଂ ମେସିନ୍ ଦ୍ୱାରା ଯାତ୍ରୀମାନଙ୍କୁ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ସ୍ଥାନରେ ପଡୁଥିବା ଖାଲି ପାଣି ବୋତଲଗୁଡିକ ସଂଗ୍ରହ କରି ଗୋଟିଏ ଜାଗାରେ ରଖିବା ସହ ସେଗୁଡିକୁ ମେସିନ ଦ୍ୱାରା ଗୁଣ୍ଡ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କମିଟିରେ ସଦସ୍ୟଭାବେ ପଂଚାନନ ରାଉତ, ସତ୍ୟବ୍ରତ ଦତ, ଭେଙ୍କଟ ରମଣ, ରାଜୀବ କ୍ରିଷ୍ଣା ବିଭିନ୍ନ ସ୍ଥାନ ବୁଲିଥିଲେ ।
ମାଟିଆପଡା ଓଭର ବ୍ରିଜ ପାଇଁ ବିଜେପିର ଦାବିପତ୍ର : ପୁରୀ ଜିଲ୍ଲା ବିଜେପି ସଭାପତି ପ୍ରଭଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମାଟିଆପଡା ସିଦ୍ଧ ମହାବୀର ରେଲୱେ ଓଭରବ୍ରିଜ ନିର୍ମାଣ ପାଇଁ ରେଲୱେ ବୋର୍ଡ ଚେୟାରମ୍ୟାନଙ୍କ ଠାରେ ଦାବି କରିଥିଲେ । ଏହି ଦାବିପତ୍ର ପିଏସସି ଦ୍ୱାରା ପ୍ରଦାନ କରିଥିଲେ । ବିଭିନ୍ନ ସମୟରେ ଉକ୍ତ ଗେଟ୍ ପଡିବା ସହ ହଜାର ହଜାର ଯାତ୍ରୀ, ସ୍ଥାନୀୟ ଅଂଚଳବାସୀ, ପୁରୀ-କୋଣାର୍କ ଆଡୁ ଆସୁଥିବା ଯାତ୍ରୀମାନଙ୍କ ସୁବିଧା ପାଇଁ ସେଠାରେ ରେଲୱେ ଓଭର ବ୍ରିଜ୍ (ଆରଓବି) ନିର୍ମାଣ ପାଇଁ ଦାବି କରିଥିଲେ । ବିଜେପିର ଉପସଭାପତି ବିଭୂତି ମିଶ୍ର, ଅଜିତ କୁମାର ମିଶ୍ର, ପ୍ରସନ୍ନ ଲେଙ୍କା, ସୋମନାଥ ଦାସ, ସୁଦର୍ଶନ ପଟ୍ଟନାୟକ, ଜ୍ୟୋତି ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ ।
ପୁରୀ-କୋଣାର୍କ ମେଟ୍ରୋ ଟ୍ରେନ ପାଇଁ ଦାବି : ପୁରୀ-କୋଣାର୍କ ସମୁଦ୍ରକୂଳ ରାସ୍ତାରେ ମେଟ୍ରୋ ଟ୍ରେନ ଚଳାଇବା ପାଇଁ ଧର୍ମରକ୍ଷା ଫାଉଣ୍ଡେସନ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ବିଶ୍ୱ ଐତିହ୍ୟକୁ ବହନ କରୁଥିବା ଶ୍ରୀମନ୍ଦିର ସହ କୋଣାର୍କ ମନ୍ଦିରକୁ ଦର୍ଶନ କରିବା ପାଇଁ ଏହା ସହାୟକ ହେବ ବୋଲି ଫାଉଣ୍ଡେସନ ପକ୍ଷରୁ ଦର୍ଶାଯାଇଛି । ଏହାର ସଂପାଦକ ଶିଶିରକାନ୍ତ ବିଶ୍ୱାଳ, ସଭାପତି ପ୍ରତାପ ମୁଦୁଲି ଓ ଉପଦେଷ୍ଟା ସଂଜୟ ଜୟସିଂ ପ୍ରମୁଖ ପାସେଞ୍ଜର ସର୍ଭିସ କମିଟିର ଚେୟାରମ୍ୟାନ ରମେଶ ରତ୍ନଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା