Connect with us

ଦେଶ

ପୁଣି ଅଡୁଆରେ ଆକବର ବଳାତ୍କାର ଅଭିଯୋଗ ଆଣିଲେ ପଲ୍ଲବୀ

ସାଙ୍କେତିକ ଚିତ୍ର

ପୁଣି ଅଡୁଆରେ ଆକବର
ବଳାତ୍କାର ଅଭିଯୋଗ ଆଣିଲେ ପଲ୍ଲବୀ
ନୂଆଦିଲ୍ଲୀ,୨ା୧୧ : ସାମ୍ବାଦିକ ପ୍ରିୟା ରମାନୀଙ୍କ ‘ମି ଠୁ’ ଅଭିଯୋଗରେ ଛନ୍ଦି ହୋଇ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବିଶିଷ୍ଟ ସାମ୍ବାଦିକ ଏମ୍ ଜେ ଆକବରଙ୍କ ନାମରେ ପୁଣି ଜଣେ ସାମ୍ବାଦିକା ବଳାତ୍କାର ଅଭିଯୋଗ ଆଣିଛନ୍ତି । ନ୍ୟାସନାଲ ପବ୍ଲିକ୍ ରେଡିଓରେ ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ପଲ୍ଲବୀ ଗୋଗୋଇ ନାମକ ଆମେରିକାର ଏହି ସାମ୍ବାଦିକାଙ୍କ ଅଭିଯୋଗ ଅନୁଯାୟୀ ପ୍ରାୟ ୨୦ ବର୍ଷ ତଳେ ଆକବରଙ୍କ ସହିତ କାମ କରୁଥିବା ବେଳେ ତାଙ୍କୁ ବଳାତ୍କାର କରାଯାଇଥିଲା ।

ଅପରପକ୍ଷରେ ଏହି ଅଭିଯୋଗକୁ ଆକବର ଖଣ୍ଡନ କରିଛନ୍ତି । ଏହି ଖବର ଛାପିଥିବା ‘ଦ ୱାଶିଂଟନ୍ ପୋଷ୍ଟ’କୁ ଆକବରଙ୍କ ଓକିଲ ଏକ ପତ୍ର ଲେଖି ଖବରକୁ ଭୁଲ୍ ବୋଲି କହିଛନ୍ତି । ପଲ୍ଲବୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରାୟ ୨୦ ବର୍ଷ ତଳେ ସେ ‘ଦ ଏସିଆନ ଏଜ୍’ରେ ଜଣେ ମନୋରଞ୍ଜନ ଧର୍ମୀ ସାମ୍ବାଦିକା ଭାବେ ଯୋଗ ଦେଇଥିଲେ । ସେହି ସମୟରେ ଏମ୍ ଜେ ଆକବର ସେହି ସମ୍ବାଦପତ୍ରର ମୁଖ୍ୟ ସମ୍ପାଦକ ଥିଲେ । ସମ୍ବାଦ ସଂଗ୍ରହ ଓ ଉପସ୍ଥାପନାରେ ସୁଧାର ଆଣିବା ପାଇଁ ତାଲିମ ଆଳରେ ଆକର ଯେଉଁ ଶବ୍ଦ ବ୍ୟବହାର କରୁଥିଲେ ତାହା ସହନ କରିବା କଷ୍ଟକର ଥିଲା । ସମୟକ୍ରମେ ପଲ୍ଲବୀ ‘ଦି ଏସିଆନ୍ ଏଜ୍’ର ଓପେଡ୍ ପେଜର ସମ୍ପାଦକ ରୂପେ ପଦୋନ୍ନତି ପାଇଥିଲେ । ଏକଦା ପଲ୍ଲବୀ ତାଙ୍କ ନାମରେ ଓପେଡ୍ ପେଜରେ ବାହାରିଥିବା ଏକ ଲେଖାକୁ ନେଇ ଯେତେବେଳେ ଆକବରଙ୍କ ପାଖକୁ ଯାଇଥିଲେ ସେତେବେଳେ ଆକବର ତାଙ୍କର ଖୁସି ଜାହିର କରିବାକୁ ଯାଇ ପଲ୍ଲବୀଙ୍କୁ ଚୁମ୍ବନ ଦେଇଥିଲେ । ପଲ୍ଲବୀ ଆଶ୍ଚର୍ଯ୍ୟଚକିତ, ଲଜ୍ଜିତ ଓ ଦୁଃଖିତ ହୋଇ ସେଠାରୁ ଚାଲି ଯାଇଥିଲେ । ଏପରି ଘଟଣା ତାଜ୍ ହୋଟେଲର ଏକ କୋଠରୀରେ ଦ୍ୱିତୀୟ ଥର ଘଟିଥିଲା । ସେଠାରୁ ମଧ୍ୟ ପଲ୍ଲବୀ କାନ୍ଦି କାନ୍ଦି ମୁହଁ ଘୋଡାଇ ଚାଲି ଯାଇଥିଲେ । ତୃତୀୟ ଥର ଜୟପୁର ସ୍ଥିତ ଏକ ହୋଟେଲକୁ ଆକବର ପଲ୍ଲବୀଙ୍କୁ ଡକାଇ ପଠାଇଥିଲେ ।

ଏଥର ସେ ପଲ୍ଲବୀଙ୍କୁ ବଳାତ୍କାର କରିଥିଲେ । ଲୋକଲଜ୍ଜା ଭୟରେ ପଲ୍ଲବୀ ଏକଥା ସର୍ବସମ୍ମୁଖରେ ପ୍ରକାଶ କରିପାରି ନଥିଲେ ମଧ୍ୟ ତାଙ୍କର ଜଣେ ବନ୍ଧୁଙ୍କୁ କହିଥିଲେ । ଏହାପରେ ଅନେକ ବର୍ଷ ଧରି ଆକବରଙ୍କ ମାନସିକ, ଶାରୀରିକ ନିର୍ଯାତନା ପଲ୍ଲବୀଙ୍କୁ ସହିବାକୁ ପଡିଥିଲା । କନିଷ୍ଠ ସହକର୍ମୀମାନେ ଏଭଳି ଅନ୍ୟାୟ ଓ ଆକବରଙ୍କ ପ୍ରକୃତ ଚେହେରାକୁ ଜାଣିବା ପାଇଁ ଏବେ ସେ ମୁହଁ ଖୋଲିଛନ୍ତି ବୋଲି ପଲ୍ଲବୀ କହିଛନ୍ତି । ଅନ୍ୟପଟେ ଏହି ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି ଏମ୍ ଜେ ଆକବର । ସେ କହିଛନ୍ତି ଯେ, ସହମତି ଭିତ୍ତିରେ ପଲ୍ଲବୀ ଗୋଗୋଇଙ୍କ ସହିତ ସେ ସମ୍ବନ୍ଧ ରଖିଥିଲେ, ଯାହା ଅନେକ ମାସ ପର୍ଯ୍ୟନ୍ତ ଚାଲିଥିଲା । ଏହାପରେ ସହମତି ଭିତ୍ତିରେ ଉଭୟ ଅଲଗା ହୋଇଥିଲେ । ଏମ ଜେ ଆକବରଙ୍କ ପତ୍ନୀ ମଧ୍ୟ ପତିଙ୍କ ସମର୍ଥନରେ ଏବେ ସାମ୍ନାକୁ ଆସିଛନ୍ତି । ସେ କହିଛନ୍ତି ଯେ, ପଲ୍ଲବୀ ତାଙ୍କ ସ୍ୱାମୀଙ୍କ ଉପରେ ମିଥ୍ୟା ଆରୋପ ଲଗାଉଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ