Connect with us

ଅପରାଧ

ପାରିବାରିକ କଳହର କରୁଣ ପରିଣତି- ନିଆଁରେ ଜଳିଗଲେ ୪ଜଣ

ସାଙ୍କେତିକ ଚିତ୍ର

ପାରିବାରିକ କଳହର କରୁଣ ପରିଣତି
ନିଆଁରେ ଜଳିଗଲେ ୪ଜଣ
ଜଗତସିଂହପୁର,୨୨ା୧୦ : ପାରିବାରିକ କଳହକୁ ନେଇ ଜ୍ୱାଇଁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେବା ଫଳରେ ଅଭିଯୁକ୍ତ ଜ୍ୱାଇଁ ସମେତ ଗୋଟିଏ ପରିବାରର ତିନି ଜଣ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଗତକାଲି ମଧ୍ୟ ରାତ୍ରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବନାପାଟ ଗ୍ରାମରେ । ମୃତକମାନେ ହେଲେ ନବଘନ ସାହୁ, ତାଙ୍କ ପତ୍ନୀ କମଳା ସାହୁ, ହରେକୃଷ୍ଣ ମଲ୍ଲିକ ଏବଂ ତାଙ୍କ ପତ୍ନୀ ରୁବିନା ସାହୁ । ହରେକୃଷ୍ଣ ଓ ରୁବିନା ନବଘନଙ୍କ ଝିଅ ଜ୍ୱାଇଁ । ତେବେ ରୁବିନା ମୃତ୍ୟୁ ପୂର୍ବରୁ ହରେକୃଷ୍ଣ ପାରିବାରିକ କଳହକୁ ନେଇ ଘରେ ନିଆଁ ଲଗାଇଦେଇଥିବା ତାଙ୍କ ବୟାନରେ କହିଛନ୍ତି ।

ଘଟଣାରୁ ପ୍ରକାଶ ଯେ, ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅନ୍ତର୍ଗତ ବାଲିଚିରା ଗ୍ରାମପଚାଂୟତର ହରେକୃଷ୍ଣ ମଲ୍ଲିକ ଗତ ଅପ୍ରେଲ ମାସ ୨୦ ତାରିଖରେ କୁଜଙ୍ଗ ଥାନା ବାଲିତୁଠ ପଚାଂୟତ ଅନ୍ତର୍ଗତ ବନାପାଟ ଗ୍ରାମର ନବଘନ ଓ କମଳାଙ୍କ ସାନ ଝିଅ ୨୫ ବର୍ଷିୟା ରୁବିନାଙ୍କୁ ବିବାହ କରିଥିଲେ । ହରେକୃଷ୍ଣ ବାଙ୍ଗାଲୁରୁରେ ରହି ସେଠାରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ । ବିବାହ ପରେ ହରେକୃଷ୍ଣ ପତ୍ନୀଙ୍କୁ ବାଙ୍ଗାଲୁରୁ ନେଇଯାଇଥିଲେ । କିନ୍ତୁ ସେଠାରେ ଅଧିକାଂଶ ସମୟରେ ପତିପତ୍ନୀଙ୍କ ମଧ୍ୟରେ ମନମାଳିନ୍ୟ ଲାଗି ରହୁଥିଲା । ଯାହାକୁ ନେଇ ବାପା ନବଘନ ଝିଅ ରୁବିନାଙ୍କୁ ନିଜ ଘର ବନାପାଟକୁ ନେଇ ଆସିଥିଲେ ।

ଇତିମଧ୍ୟରେ ହରେକୃଷ୍ଣ ବାରମ୍ବାର ବାଙ୍ଗାଲୁରୁରୁ ରୁବିନାଙ୍କ ନିକଟକୁ ଫୋନ୍ କରି ଶାଶୂଘରକୁ ଫେରି ଆସିବା ପାଇଁ ଧମକ ଦେଉଥିଲେ । ଏଥିରେ ଅରାଜି ହେବାରୁ ଗତକାଲି ସଂନ୍ଧ୍ୟାରେ ହରେକୃଷ୍ଣ ରୁବିନାଙ୍କ ଘରେ ପହଂଚି ସେଠାରେ ରୁବିନାଙ୍କ ସହିତ ଝଗଡ଼ା ମଧ୍ୟ କରିଥିଲେ । ରାତ୍ରିଭୋଜନ ପରେ ଶାଶୂ, ଶ୍ୱଶୁର ଓ ପତ୍ନୀ ଶୋଇଯିବା ପରେ ଜ୍ୱାଇଁ ହରେକୃଷ୍ଣ ରାଗ ସୁଝାଇବାକୁ ଯାଇ ରାତି ପ୍ରାୟ ସାଢ଼େ ୧୨ ଟା ସମୟରେ ସେମାନଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲା । ତିନି ଜଣ ହୁତୁ ହୁତୁ ହୋଇ ଜଳୁଥିବା ଓ ବଂଚାଇବାକୁ ପ୍ରାଣ ବିକଳରେ ଚିକ୍ରାର କରୁଥିବା ବେଳେ ହାତରେ ପେଟ୍ରୋଲ ଜାର ଧରିଥିବା ହରେକୃଷ୍ଣ ମଧ୍ୟ ଏଥିରୁ ବର୍ତି ନଥିଲା । ଅଗ୍ନିକାଣ୍ଡରେ ତିନି ବଖରା ଚାଳ ଛପର ଘର ସମ୍ପୂର୍ଣ୍ଣ ଜଳି ଯାଇଥିଲା । ପାଖ ପଡ଼ୋଶୀ ଘଟଣାସ୍ଥଳରେ ପହଂଚି ଉଦ୍ଧାର କରିବା ବେଳକୁ ନବଘନ, ପତ୍ନୀ କମଳା ଓ ଜ୍ୱାଇଁ ହରେକୃଷ୍ଣ ସମ୍ପୂର୍ଣ୍ଣ ଜଳି ସାରିଥିଲେ । ରୁବିନାଙ୍କୁ ଗୁରୁତର ଓ ସଂଜ୍ଞାହିନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କୁ ଚିକତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ପଠାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।

କଟକରେ ରୁବିନାଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିବା ବେଳେ କୁଜଙ୍ଗ ପୋଲିସ ଘଟଣାସ୍ଥଳରୁ ନବଘନ, କମଳା ଓ ହରେକୃଷ୍ଣଙ୍କ ଶବ ଜବତ କରି କୁଜଙ୍ଗ ଶବ ବ୍ୟବଚ୍ଛେଦ କେନ୍ଦ୍ରକୁ ପଠାଇଛି । ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ