Connect with us

ଦେଶ

“ପରକୀୟା ପ୍ରୀତି ଅପରାଧ ନୁହେଁ’- ସୁପ୍ରିମକୋର୍ଟ

ସାଙ୍କେତିକ ଚିତ୍ର

“ପରକୀୟା ପ୍ରୀତି ଅପରାଧ ନୁହେଁ’
ନୂଆଦିଲ୍ଲୀ,୨୭ା୯ : ବ୍ୟଭିଚାର ବା ପରକୀୟା ପ୍ରୀତି ଅପରାଧ ନୁହେଁ । ଗୁରୁବାର ସୁପ୍ରିମକୋର୍ଟ ଏହି ଯୁଗାନ୍ତକାରୀ ରାୟ ଦେଇଛନ୍ତି । ଏଥିସହିତ ୧୮୬୦ ମସିହାରୁ ଚାଲି ଆସିଥିବା ଦୀର୍ଘ ୧୫୦ ବର୍ଷ ପୁରୁଣା ବ୍ୟଭିଚାର ନିରୋଧ ଆଇନକୁ ସୁପ୍ରିମକୋର୍ଟ ଅସାମ୍ବିଧାନିକ ବୋଲି କହିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୪୯୭ ଅକାମୀ ହୋଇଛି । ଭାରତୀୟ ଫୌଜଦାରୀ ଦଣ୍ଡବିଧି ସଂହିତା ୧୯୮କୁ ମଧ୍ୟ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି । ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ଖଣ୍ଡପୀଠ ଏ ସମ୍ପର୍କିତ ଆଗତ ମାମଲାର ଶୁଣାଣି ପରେ ଗତ ଅଗଷ୍ଟ ମାସରେ ରାୟ ସଂରକ୍ଷିତ ରଖିଥିଲେ ।

ଆଜି ରାୟ ପ୍ରକାଶ ପାଇଛି । ରାୟ ପଢ଼ିବା ଅବସରରେ ପ୍ରଧାନ ବିଚାରପତି ଦୀପକ ମିଶ୍ର କହିଛନ୍ତି ଯେ, ଯଦି ପରକୀୟା ପ୍ରୀତି ନେଇ କୌଣସି ଅଭିଯୋଗ ଆସେ ତେବେ ସେହି ଆଧାରରେ ପତି ପତ୍ନୀ ଛାଡପତ୍ର ପାଇଁ ଆବେଦନ କରିପାରିବେ । ସେହି ପ୍ରମାଣକୁ ଛାଡପତ୍ର ମାମଲାର ବିଚାର ପାଇଁ ଆଧାର ରୂପେ ଗ୍ରହଣ କରାଯାଇପାରିବ । କିନ୍ତୁ ଅପରାଧ ରୂପେ ବିବେଚନା କରାଯାଇପାରିବ ନାହିଁ । ଯେଉଁ ଆଇନ୍ ମହିଳାଙ୍କ ଆତ୍ମସମ୍ମାନ, ପ୍ରତିଷ୍ଠା ଓ ସମାନତା ପ୍ରତି ଆଞ୍ଚ ଆଣୁଛି ତାହା କଦାପି ସାମ୍ବିଧାନିକ ହୋଇ ନପାରେ । ପତି ତାଙ୍କ ପତ୍ନୀଙ୍କ ମାଲିକ ନୁହନ୍ତି ।

ସୂଚନାଯୋଗ୍ୟ ଯେ, ଆଇପିସିର ଧାରା ୪୯୭ ଅନୁଯାୟୀ ପରକୀୟା ପ୍ରୀତି ପାଇଁ ପୁରୁଷଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡର ବ୍ୟବସ୍ଥା ଥିବା ବେଳେ ମହିଳାଙ୍କୁ କେବଳ ଏକ ବସ୍ତୁ ବା ସମ୍ପତ୍ତି ରୂପେ ବିବେଚନା କରାଯାଉଛି । ଏ ସୁସ୍ଥ ସାମାଜିକ ପରମ୍ପରା, ବୈବାହିକ ସମ୍ପର୍କର ପବିତ୍ରତା ଓ ପାରିବାରିକ ଶାନ୍ତି ବଜାୟ ରଖିବା ପାଇଁ ଆଇପିସି ଧାରା ୪୯୭କୁ ବଳବତ୍ତର ରଖିବାକୁ କେନ୍ଦ୍ର ସରକାର ଯୁକ୍ତି ଉପସ୍ଥାପନ କରିଥିଲେ । କିନ୍ତୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଯୁକ୍ତିକୁ ଅଗ୍ରାହ୍ୟ କରିଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ