Connect with us

ଦେଶ

ଅଯୋଧ୍ୟା ମାମଲା ଉପର ବେଞ୍ଚକୁ ଯିବନି l

ସାଙ୍କେତିକ ଚିତ୍ର

ଉପର ବେଞ୍ଚକୁ ଯିବନି ନମାଜ ମାମଲା
ଅକ୍ଟୋବର ୨୯ରୁ ଅଯୋଧ୍ୟା ମାମଲାର ଶୁଣାଣି
ନୂଆଦିଲ୍ଲୀ,୨୭ା୯ : ଅଯୋଧ୍ୟା ରାମ ଜନ୍ମଭୂମି-ବାବରୀ ମସ୍ଜିଦ୍ ଜମି ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଇସମାଇଲ ଫାରୁକୀ ମାମଲାରେ ସୁପ୍ରିମକୋର୍ଟ ୧୯୯୪ରେ ଦେଇଥିବା ରାୟକୁ ଗୁରୁବାର ବଳବତ୍ତର ରଖିବା ସହିତ ଏହି ମାମଲା ବୃହତ୍ତର ଖଣ୍ଡପୀଠକୁ ଯିବନାହିଁ ବୋଲି କହିଛନ୍ତି । ଜମି ବିବାଦ ମାମଲାର ଶୁଣାଣି ଅକ୍ଟୋବର ୨୯ ତାରିଖରୁ ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ହିଁ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠର ଦୁଇଜଣ ସଦସ୍ୟଙ୍କ ରାୟ ଗୋଟିଏ ପକ୍ଷରେ ଯାଇଥିବା ବେଳେ ଅନ୍ୟ ଜଣଙ୍କ ରାୟ ବିପକ୍ଷରେ ଯାଇଥିଲା । ପ୍ରଧାନ ବିଚାରପତି ଦୀପକ ମିଶ୍ର ଓ ବିଚାରପତି ଅଶୋକ ଭୂଷଣ ବୃହତ୍ତର ଖଣ୍ଡପୀଠରେ ୧୯୯୪ ମାମଲାର ପୁନର୍ବିଚାର ଅନାବଶ୍ୟକ ବୋଲି କହିଥିବା ବେଳେ ଜଷ୍ଟିସ୍ ଏନ୍ ଏ ନଜୀର ରାୟର ପୁନର୍ବିଚାର ସପକ୍ଷରେ ମତ ଦେଇଥିଲେ । ମତାଧିକ୍ୟ ଆଧାରରେ ରାୟ ଗୃହୀତ ହୋଇଥିବାରୁ ଆସନ୍ତା ଅକ୍ଟୋବର ୨୯ ତାରିଖରୁ ମାମଲାର ଶୁଣାଣି ଆରମ୍ଭ ହେବ ।

ଜଷ୍ଟିସ ଭୂଷଣ ତାଙ୍କ ରାୟରେ ୧୯୯୪ରେ ପ୍ରଦତ୍ତ ରାୟକୁ ବୁଝିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ରାୟରେ କେବଳ ମସଜିଦରେ ନମାଜ ପାଠ କରିବା ଇସଲାମର ଆଭ୍ୟନ୍ତରୀଣ ନୀତି ବୋଲି ଦର୍ଶାଯାଇନାହିଁ । ପ୍ରଧାନ ବିଚାରପତି ଦୀପକ ମିଶ୍ର ତାଙ୍କ ରାୟରେ ଉକ୍ତ ମାମଲାକୁ ବଡ ବେଞ୍ଚକୁ ପଠାଇବାର ଆବଶ୍ୟକତାକୁ ଖଣ୍ଡନ କରିଛନ୍ତି । ୧୯୯୪ ରାୟ ଜମି ଅଧିଗ୍ରହଣ ସମ୍ପର୍କିତ ମାମଲା ଉପରେ ପ୍ରଦାନ କରାଯାଇଥିଲା । ତେଣୁ ଏହି ରାୟକୁ ନମାଜ ପାଠ ସହିତ ଯୋଡା ଯାଇପାରିବନି ବୋଲି ସେ କହିଛନ୍ତି । ତେବେ ଉଭୟ ବିଚାରପତିଙ୍କ ରାୟ ବିରୋଧରେ ବିଚାରପତି ନଜୀର କହିଥିଲେ ଯେ, ୨୦୧୦ରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଯେଉଁ ରାୟ ପ୍ରକାଶ ପାଇଥିଲା, ତାହା ୧୯୯୪ ରାୟର ଆଧାରରେ ହିଁ ପ୍ରକାଶ ପାଇଥିଲା । ତେଣୁ ଏହି ମାମଲା ବୃହତ୍ତର ଖଣ୍ଡପୀଠରେ ବିଚାର ହେବାର ଆବଶ୍ୟକତା ରହିଛି ।

୧୯୯୪ରେ ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ଇସମାଇଲ ଫାରୁକିଙ୍କ ଆବେଦନକୁ ଗ୍ରହଣ କରି ରାମ ଜନ୍ମଭୂମିରେ ସ୍ଥିତାବସ୍ଥାକୁ ବଜାୟ ରଖିଥିଲେ । କୋର୍ଟ ଏହି ରାୟ ପ୍ରଦାନ କରିବା ପ୍ରଚ୍ଛଦରେ ହିନ୍ଦୁ ଧର୍ମାବଲମ୍ବୀ ସେଠାରେ ପୂଜାପାଠ କରିପାରିବେ । ଏହାସହ କୋର୍ଟ ଇସଲାମରେ ମସଜିଦରେ କେବଳ ନମାଜ ପାଠ କରିବା ଜରୁରୀ ନୁହେଁ ବୋଲି ଉଲ୍ଲେଖ ଥିବା ଦର୍ଶାଇଥିଲେ । ୨୦୧୦ରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ରାମ ଜନ୍ମଭୂମି ବିବାଦ ମାମଲାର ବିଚାର କରି ବାବରି ମସଜିଦ୍ ଅଞ୍ଚଳର ଏକ ତୃତୀୟାଂଶ ମୁସଲିମ ଏକ ତୃତୀୟାଂଶ ହିନ୍ଦୁ ଓ ଏକ ତୃତୀୟାଂଶ ରାମ ଲାଲଙ୍କୁ ପ୍ରଦାନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ