Connect with us

ଓଡିଶା

ନକ୍ସଲ ମୁକାବିଲା ବୈଠକରେ ୩ଟି ଦାବି ଉଠାଇଲେ ମୁଖ୍ୟମନ୍ତ୍ରୀ

ସାଙ୍କେତିକ

ନକ୍ସଲ ମୁକାବିଲା ବୈଠକରେ ୩ଟି ଦାବି ଉଠାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୬ ଅଗଷ୍ଟ – ରାଜ୍ୟର ମାଓ ଅଧ୍ୟୁଷିତ ଅଂଚଳରେ ଭିତିଭୂମିର ବିକାଶ କରିବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେବା ସହ ୩ ଟି ଦାବି କରିଛନ୍ତି । ସେ କରିଥିବା ଦାବି ନେଇ ସେ ଆଶାବାଦୀ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି । ନକ୍ସଲ ମୁକାବିଲା ନେଇ ସୋମବାର ଦିଲ୍ଲୀ ଠାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।

ବୈଠକରେ ମାଓ ଦମନ ସହିତ ମାଓ ଅଂଚଳରେ ବିକାଶ ନେଇ ଆଲୋଚନା ହୋଇଥିଲା । ଏଥିରେ ନକ୍ସଲ ପ୍ରବଣ ରାଜ୍ୟ ଯଥା ଓଡିଶା , ଛତିଶଗଡ , ମଧ୍ୟ ପ୍ରଦେଶ , ଆନ୍ଧ୍ରପ୍ରଦେଶ , ଉତର ପ୍ରଦେଶ , ବିହାର, ଝାଡଖଣ୍ଡ , ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ମାନେ ଯୋଗ ଦେଇଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇନଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ନିରାପତା ପରାମର୍ଶଦାତା ଅଜିତ୍ ଡୋଭାଲ , ବିଏସଏଫ୍ ଡିଜି ଭିକେ ଜୋହରି ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମାଓ ପ୍ରବଣ ଅଂଚଳରେ ଟେଲିଫୋନ୍ ସେବା ଉପରେ ଅଧିକ ଗୁରୁତ୍ୱ ଦେବା ସହ ବ୍ୟାଙ୍କିଂ ସେବାକୁ ସୁଦୃଢ କରିବାକୁ ଦାବି କରିଥିଲେ । ନବରଙ୍ଗପୁର ଓ ମାଲକାନଗିରିକୁ ରେଳ ସଂଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଦାବିରେ ଦର୍ଶାଇଥିଲେ । ଏହି ପ୍ରକଳ୍ପ ପାଇଁ ମାଗଣାରେ ଜମି ଯୋଗାଇ ଦେବା ଓ ଏଥିପାଇଁ ୫୦ ପ୍ରତିଶତ ଆବଶ୍ୟକ ଅର୍ଥ ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ।

ସେ ଉଠାଇଥିବା ଦାବି ଗୁଡିକ ଉପରେ କେନ୍ଦ୍ର ସରକାର ପଦକ୍ଷେପ ନେବେ ବୋଲି ସେ ଆଶା ପ୍ରକଟ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମାଓବାଦୀଙ୍କ କାର୍ଯ୍ୟକଳାପ ପାଇଁ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି । ଏହାକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବା ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ରର ସମାନଭାବେ ଦାୟିତ୍ୱ ରହିଛି । ଓଡ଼ିଶାରେ ଦୀର୍ଘ ୩୦ ବର୍ଷ ଧରି ମାଓ କାର୍ଯ୍ୟକଳାପ ରହିଛି । ବର୍ତମାନ ତାକୁ ବହୁକାଂଶରେ ନିୟନ୍ତ୍ରଣ କରାଯାଇପାରିଛି । ୨୦୧୮ ଏବଂ ୨୦୧୯, ୧୫ ଅଗଷ୍ଟ ସୁଦ୍ଧା ୨୬ ଜଣ ବାମପନ୍ଥୀ ମାଓ କ୍ୟାଡ଼ର ପୋଲିସ ଆକ୍ସନ ଦ୍ୱାରା ମୃତ୍ୟୁ ବରଣ କରିଛନ୍ତି । ୮୫ ଜଣଙ୍କୁ ଗିରଫ କରାଯାଇଥିଲା ବେଳେ ୩୫ ଜଣ ଆତ୍ମ ସମର୍ପଣ କରିଛନ୍ତି । ମାଓ କ୍ୟାଡ଼ର ହ୍ରାସ ପାଇବାରେ ଲାଗିଛି ।

ମୁଖ୍ୟମନ୍ତ୍ରୀ ଏହି ନକ୍ସଲ କାର୍ଯ୍ୟ କଳାପକୁ ମୂଳୋତ୍ପାଟନ ପାଇଁ ସମ୍ପୃକ୍ତ ମାଓ ପ୍ରବଣ ଅଂଚଳରେ ଜନ କଲ୍ୟାଣ, ଉନ୍ନୟନ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି । ଆଦିବାସୀ ଅଧ୍ୟୁଷିତ ଗ୍ରାମ ମାନଙ୍କରେ ଶହେ ପ୍ରତିଶତ ବିଦ୍ୟୁତକରଣ କରିବା ସହ ସ୍ୱାସ୍ଥ୍ୟ ସେବା ଏବଂ ଉନ୍ନତ ଶିକ୍ଷା ବ୍ୟବସ୍ଥା କରାଯାଇଛି । ଏହାର କାର୍ଯ୍ୟର ସୁଫଳତା ସେମାନେ କିପରି ପାଉଛନ୍ତି ତାକୁ ନେଇ ନିୟମିତ ଭାବେ ସମୀକ୍ଷା କରାଯାଉଛି । ନିଯୁକ୍ତି ସୃଷ୍ଟି କରିବା ସହ ବାସଗୃହ ଯୋଗାଇଦେବା ଏବଂ ଗମନାଗମନ ପାଇଁ ରାସ୍ତା ଏବଂ ସେତୁ ଗୁଡ଼ିକର ଉନ୍ନତି କରାଯାଇଛି ।

ସେ ଆହୁରି କହିଥିଲେ ଯେ, ନକ୍ସଲ ମାନଙ୍କର ମୁକାବିଲା ପାଇଁ ରାଜ୍ୟ ସରକାର ପଡ଼ୋଶୀ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମନ୍ନୟ ରକ୍ଷା କରି କାର୍ଯ୍ୟ କରୁଛି । ଗୁରୁପ୍ରିୟା ସେତୁ ନିର୍ମାଣ କରାଯାଇ ସ୍ୱାଭିମାନ ଅଂଚଳର ଗମନା ଗମନର ସୁବିଧା କରାଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଏସଆରଇ ସ୍କିମର ବାକିଆ ଥିବା ୨୨୭ କୋଟି ଦେବା ସହ ସିଏପିଏଫ୍ଏସ ବାବଦରେ କେନ୍ଦ୍ର ସରକାର ରାଜ୍ୟଠାରୁ ଯେଉଁ ଟଙ୍କା ଦାବି କରିଛନ୍ତି ତାକୁ ଛାଡ଼ କରିବା ପାଇଁ ଅନୁରୋଧ କରିଛନ୍ତି ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର , ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ , ପୋଲିସ୍ ଡିଜି ବିକେ ଶର୍ମା ଓ ବିଭାଗୀୟ ସଚିବ ଯୋଗ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା