Connect with us

ଆଞ୍ଚଳିକ

ଏମାର ମଠ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ସାଙ୍କେତିକ

ଏମାର ମଠ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ, ସ୍ଥାନାନ୍ତର ହେଲା ବ୍ରିଟିଶ ଅମଳର ରଘୁନନ୍ଦନ ପାଠାଗାର
ପୁରୀ, ୨୮ ଅଗଷ୍ଟ – ଶ୍ରୀମନ୍ଦିରର ଶ୍ରୀ ବୃଦ୍ଧି, ସୌନ୍ଦର୍ଯ୍ୟକରଣ ଓ ସୁରକ୍ଷାକୁ ନେଇ ୭୫ମିଟର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତକାଲି ଲଙ୍ଗୁଳି ମଠ ଭଙ୍ଗାଯାଇଥିଲା । ବୁଧବାର ସକାଳୁ ବ୍ରିଟିଶ ଅମଳର ରଘୁନନ୍ଦନ ପାଠାଗାର ଭଙ୍ଗାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଦୁଇମହଲା ଉପରେ ଥିବା ଏହି ପାଠାଗାରରେ ବହୁ ଦୁର୍ମୁଲ୍ୟ ପୋଥି, ପୁସ୍ତକ ଓ ବ୍ରିଟିଶ ଅମଳର ଅନେକ ତତ୍ୟ ଭିତିକ କାଗଜପତ୍ର ରହିଥିଲା ।

ଓଡିଶାର ପ୍ରଥମ ପାଠାଗାର ହିସାବରେ ରଘୁନନ୍ଦନ ପାଠାଗାରର ବିଶେଷ ନାଁ ରହିଛି । ଏମାର ମଠ ମହନ୍ତଙ୍କ ପକ୍ଷରୁ ଓଡିଶାରେ ଶିକ୍ଷା ଆନ୍ଦୋଳନ ପାଇଁ ଏହି ପାଠାଗାର କାମ କରୁଥିଲା । ପାଠାଗାରର ସମ୍ମୁଖ ଭାଗ ବାଲକୋନି ବାଡ ଭଙ୍ଗାଯାଇ ଜେସିପି ସାହାର୍ଯ୍ୟରେ ବଡ ବଡ ଆଲମିରା ତଳକୁ ଅଣାଯାଉଛି । ଅସ୍ଥାୟୀ ଭାବେ ଏହି ପାଠାଗାରକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଭୂମି ଅଧିଗ୍ରହଣ ସଭାଗୃହରେ ରଖାଯିବା ପାଇଁ ଜିଲ୍ଲାପାଳ ବଲବନ୍ତ ସିଂ କହିଛନ୍ତି । ପରେ ଏହି ପାଠାଗାରକୁ ସ୍ଥାୟୀଭାବେ ନିର୍ମାଣ କରାଯାଇ ଚାଲୁ କରାଯିବ । ଏହି ଉଚ୍ଛେଦ ପ୍ରକ୍ରିୟାରେ ୮ଜଣ ମାଜିଷ୍ଟ୍ରେଟ ଓ ୨୪ପ୍ଲାଟୁନ୍ ପୁଲିସ ପୋର୍ସ ନିୟୋଜିତ ହୋଇଛନ୍ତି । ବ୍ରିଟିଶ ଶାସନ ସମୟରେ ଓ ବର୍ତମାନ ବିଦେଶୀ ପର୍ଯ୍ୟଟକ ଏମାର ମଠ ପାଠାଗାର ଉପରକୁ ଯାଇ ଶ୍ରୀମନ୍ଦିରର ଦୃଶ୍ୟ ଦେଖିବା ସହ ଫଟୋ ଉଠାଉଥିଲେ । ଏହି ବିରଳ ଦୃଶ୍ୟମାନ ହେଉଥିବା ପାଠାଗାରଟି କେଇଘଂଟା ପରେ ଟଳିଯିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଅସୁରକ୍ଷିତ ଥିବା ଏମାର ମଠକୁ ନୋଟିସ୍ ଦିଆଯିବା ସମୟରେ ମଠ ମହନ୍ତ ଏହାକୁ ଗ୍ରହଣ କରିନଥିଲେ । ପରେ ନୋଟିସ୍ ଦେବାକୁ ଯାଇଥିବା କର୍ମଚାରୀମାନେ ଦୁଆର ମୁହଁରେ ନୋଟିସ୍ ମାରି ପଳାଇଆସିଥିଲେ ।

ଗତକାଲି ଠାରୁ ଏମାର ମଠର ବିଦ୍ୟୁତ୍ ଓ ପାଣି ସଂଯୋଗକୁ କାଟି ଦିଆଯାଇଛି । ଅସୁରକ୍ଷିତ ଘୋଷଣା ହେବା ସହ ଘର ଖାଲି କରିବା ପାଇଁ ଡାକବାଜି ଯନ୍ତ୍ର ଦ୍ୱାରା ଘୋଷଣା କରାଯାଇଥଲା । ଏହି ଭଙ୍ଗାକାର୍ଯ୍ୟରେ ୫ଟି ଜେସିପି ଓ ୩ଟି ହାଇୱା ଟ୍ରକ ବ୍ୟବହୃତ ହେଉଛି । ରଘୁନନ୍ଦନ ପାଠାଗାରରୁ ଅଲମାରୀ ସ୍ଥାନାନ୍ତର ବେଳେ ଶହଶହ ପର୍ଯ୍ୟଟକ ଏହି ଦୃଶ୍ୟକୁ ଦେଖୁଥିଲେ । ଗତକାଲି ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ ଯେ ଯେଉଁ ମଠ ମନ୍ଦିର ଭଙ୍ଗାଯିବ ସେଗୁଡିକ ୭୫ମିଟର ପରେ ଶ୍ରୀଜଗନ୍ନାଥଙ୍କ ଯାଗାରେ ସ୍ଥାନ ଦିଆଯିବ । ଉଚ୍ଛେଦ ହୋଇଥିବା ଦୋକାନଗୁଡିକ ଶ୍ରୀଜଗନ୍ନାଥବଲ୍ଲବ, ପୁରୁଣା ଜେଲ, ହବିଷ୍ୟାଳି କେନ୍ଦ୍ରରେ ଅସ୍ଥାୟୀଭାବେ ବ୍ୟବସାୟ ପାଇଁ ଅନୁମତି ଦିଆଯିବ ।

ଏମାର ମଠର ସମ୍ମୁଖ ଭାଗରେ ୫ଟି ବଡ ଦୋକାନ ଓ ବାଲିସାହି ପଟକୁ ୧୧ଟି ଖଜା ଦୋକାନ, ଉପରେ ରଘୁନନ୍ଦନ ପାଠାଗାର ରହିଥିଲା । ଗତ କିଛିବର୍ଷ ତଳେ ଏମାର ମଠରୁ ୫୨୨ଖଣ୍ଡ ରୂପା ଇଟା ଉଦ୍ଧାର କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ