Connect with us

ଓଡିଶା

ଦ୍ୱାଦଶ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ୍ ମେଳା ଉଦଯାପିତ

RE

ଦ୍ୱାଦଶ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ୍ ମେଳା ଉଦଯାପିତ
– ପ୍ରାୟ ୨ କୋଟି ଟଙ୍କାର ବ୍ୟବସାୟ
ଭୁବନେଶ୍ୱର, ୦୮ ନଭେମ୍ବର – ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଦ୍ୱାଦଶ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ୍ ମେଳା ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା କହିଲେ, କୌଣସି ପାଶ୍ୱ ପ୍ରତିକ୍ରିୟା ନଥିବାରୁ ଧୀରେ ଧୀରେ ପ୍ରାକୃତିକ ଚିକିତ୍ସା ପଦ୍ଧତି ଏବଂ ଔଷଧୀୟ ବୃକ୍ଷଲତା ପ୍ରତି ଲୋକଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଉଛି । ଆମ ଚାରିପଟେ ଏଭଳି ଅନେକ ଲତାଗୁଳ୍ମ ରହିଛି ଯାହାର ଯଥେଷ୍ଟ ଔଷଧୀୟ ଗୁଣ ରହିଛି । ତେଣୁ ଔଷଧୀୟ ବୃକ୍ଷଲତା ପାଇଁ ଜନସଚେତନତା ସୃଷ୍ଟି ତଥା ପ୍ରଚାରପ୍ରସାର ହେଲେ ଏହାର ବ୍ୟବହାର ବୃଦ୍ଧି ପାଇବ ଏବଂ ଲୋକମାନେ ଉପକୃତ ହେବେ ।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଧାୟକ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଔଷଧୀୟ ଉଦ୍ଭିଦ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ଅଭୟକାନ୍ତ ପାଠକ, ଓର୍ସାକ୍ର ମୁଖ୍ୟ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରମୁଖ ପାରମ୍ପରିକ ଚିକିତ୍ସା ପଦ୍ଧତିରେ ଔଷଧୀୟ ବୃକ୍ଷଲତାର ଗୁରୁତ୍ୱ ଥିବାରୁ ଏହାର ସଂରକ୍ଷଣ ତଥା ବହୁଳ ଚାଷ ପାଇଁ ଚାଷୀମାନେ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ । ଏହି ମେଳାର ସମ୍ପାଦନା ହରମୋହନ ମାହାରଥ। କରିଥିଲେ ।
ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ ୨୦୦୮ ମସିହାରୁ ରାଜ୍ୟ ଓ ଆଂଚଳିକ ସ୍ତରରେ କଳିଙ୍ଗ ହର୍ବାଲ ମେଳା ଆୟୋଜନ କରିଆସୁଛି । ଏହି ମେଳା ଔଷଧୀୟ ବୃକ୍ଷଲତା ସହ ସଂପୃକ୍ତ ଚାଷୀ, ପ୍ରାଥମିକ ସଂଗ୍ରହକାରୀ ବନସୁରକ୍ଷା ସମିତିର ସଭ୍ୟ, ପାରମ୍ପରିକ ଆରୋଗ୍ୟକାରୀ ବୈଦ୍ୟ, ବ୍ୟବସାୟୀ, ଅଣସରକାରୀ ସଂଗଠନ, ଔଷଧ ପ୍ରସ୍ତୁତକାରୀ ଓ ରପ୍ତାନୀକାରୀମାନଙ୍କ ବ୍ୟବସାୟିକ ଅଭିବୃଦ୍ଧି ନିମନ୍ତେ ଏକ ପ୍ରମୁଖ ଆକର୍ଷଣର କେନ୍ଦ୍ର ପାଲଟିଛି ।
ଏହି ମେଳାରେ ଅନ୍ୟାନ୍ୟ ଆକର୍ଷଣ ମଧ୍ୟରେ ସର୍ବସାଧାରଣଙ୍କ ନିମନ୍ତେ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷାର ବ୍ୟବସ୍ଥା, ବୟସ୍କ ନାଗରିକମାନଙ୍କର ଦୁରାରୋଗ୍ୟ ବ୍ୟାଧି ଯଥା ମଧୁମେହ, ସ୍ତ୍ରୀ ରୋଗ, ଉଚ୍ଚ ରକ୍ତଚାପ ଓ ଚର୍ମରୋଗ ଇତ୍ୟାଦି ଉପରେ ଆଲୋଚନା ଚକ୍ର, ବୈଦ୍ୟ କର୍ମଶାଳା, ଆୟୁର୍ବେଦ ଡାକ୍ତରମାନଙ୍କର ସମ୍ମିଳନୀ ଆୟୋଜନ କରାଯିବା ସହିତ ଏହି ମେଳାରେ ମଧ୍ୟ ଯୋଗ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି । କେତେକ ଔଷଧୀୟ ଉଦ୍ଭିଦ ଚାଷୀ ଉତ୍ସାହୀ ଜନସାଧାରଣଙ୍କୁ ଔଷଧୀୟ ଉଦ୍ଭିଦର ଚାରା ପ୍ରସ୍ତୁତି ଓ ଚାଷ ସମ୍ବନ୍ଧରେ ମଧ୍ୟ ଅବଗତ କରାଇବାର ବନ୍ଦୋବସ୍ତ କରାଯାଇଛି ।

ଏତଦ୍ବ୍ୟତୀତ ପ୍ରତ୍ୟହ ସନ୍ଧ୍ୟାରେ ସର୍ବସାଧାରଣଙ୍କୁ ହର୍ବାଲ୍ ଚା ମାଗଣାରେ ପ୍ରଦାନ କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଛି । ଏଠାରେ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ଯଥା ହରିଡ଼ା, ବାହାଡ଼ା, ମହୁ, ଝୁଣା, ଔଷଧୀୟ ଗଛର ଚେରମୂଳିର ଢେର ଚାହିଦା ଦେଖିବାକୁ ମିଳୁଛି । ଏହି ମେଳାରେ ପାଖାପାଖି ୨ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ଅନୁମାନ କରାଯାଉଛି ।

ଉଦଯାପନୀ ଅବସରରେ ଔଷଧୀୟ ବୃକ୍ଷ ଚାରା, ଗବେଷଣା ଓ ପ୍ରଦର୍ଶନ କ୍ଷେତ୍ରରେ ସଫଳତା ପାଇଁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲ । ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା