Connect with us

ଓଡିଶା

ପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶ ଛୁଆଁ

ସାଙ୍କେତିକ

ପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶ ଛୁଆଁ
ଖାଉଟି ହନ୍ତସନ୍ତ
ଭୁବନେଶ୍ୱର , ୮ ନଭେମ୍ବର – ଆଜିକାଲି ବଜାରରେ ପନିପରିବା ସହିତ ଆବଶ୍ୟକୀୟ ଖାଦ୍ୟସାମଗ୍ରୀର ମୂଲ୍ୟ ଏପରି ଆକାଶ ଛୁଆଁ ହୋଇଛିଯେ, ସମସ୍ତଙ୍କ ପରିବାରର ରନ୍ଧନ ଶାଳରେ ଝଡ଼ ସୃଷ୍ଟି କରାଇଦେଇଛି । ଗୃହିଣୀମାନେ ଘରେ ରୋଷେଇ ଶାଳକୁ ଯିବାକୁ ଭୟ କରୁଥିବା ବେଳେ ସାଧାରଣ ଜନତା ତ୍ରାହି ତ୍ରାହି ଡାକ ଛାଡ଼ିବା ଆରମ୍ଭ କରିଦେଇଛନ୍ତି ।

ପନିପରିବାଠାରୁ ଆରମ୍ଭ କରି ଡାଲି, ତେଲ, ଲୁଣ ପର୍ଯ୍ୟନ୍ତ ସବୁର ମୂଲ୍ୟ ଆଶାତୀତ ଭାବେ ବୃଦ୍ଧି ପାଇଛି । କମିବାର ନାମ ଧରୁ ନାହିଁ । ଜଣେ ସାଧାରଣ ଲୋକ ପାଇଁ ଆଳୁ ଓ ପିଆଜ ସବୁଠାରୁ ଆବଶ୍ୟକୀୟ ପରିବା ହୋଇଥିବା ବେଳେ ଏହି ଦୁଇ ଦ୍ରବ୍ୟର ମୂଲ୍ୟ ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଗରୀବ ଓ ମଧ୍ୟବିତ ପରିବାରର ଲୋକେ ଶଙ୍କଟରେ ପଡ଼ିଛନ୍ତି । ପନିପରିବା ସହିତ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ମୂଲ୍ୟରେ ବୃଦ୍ଧି ଘଟିଥିବା ହେତୁ ଜନତା ଏହି ବୋଝକୁ ମୁଣ୍ଡାଇବାକୁ ଅସମର୍ଥ ରହିଥିବାର ପରିଲକ୍ଷିତ ହୋଇଛି । ମୂଲ୍ୟ ବୃଦ୍ଧିକୁ ରୋକିବାରେ ରାଜ୍ୟ କିମ୍ବା କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବରେ ବିଫଳ ହୋଇ ପଡ଼ିଥିବାକୁ ନେଇ ଜନସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ବଜାରରେ ପନିପରିବା ଓ ନିତ୍ୟବହାର୍ଯ୍ୟ ସାମଗ୍ରୀ ଦର ଆକାଶଛୁଆଁ ହେବାକୁ ଲାଗିଛି । ପୁଣି ପଚଂକ ବ୍ରତ ଚାଲିଛି । ଏହି ସମୟରେ ସାଧାରଣ ବ୍ୟକ୍ତି ପକ୍ଷରେ ପରିବା କିଣିବା କଷ୍ଟ ସାପେକ୍ଷ ହୋଇ ପଡ଼ିଛି । ଗରିବ ଖଟିଖିଆମାନଙ୍କ ସହ ମଧ୍ୟବିତ ବର୍ଗର ଲୋକମାନେ ଏହାଦ୍ୱାରା ପ୍ରଭାବିତ ହେଲେଣି । ପରିବା କିଣି ଖାଇବା ଏକ ଦିବା ସ୍ୱପ୍ନରେ ପରିଣତ ହୋଇଯାଇଛି । କେବଳ ପରିବା ନୁହେଁ, ମଣିଷ ବ୍ୟବହାର କରୁଥିବା ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ଏପରି ବୃଦ୍ଧି ପାଇଛିଯେ ବର୍ତମାନ ପରିବାର ଚଳାଇବା କଷ୍ଟକର ବ୍ୟାପାର ହୋଇପଡ଼ିଛି । ପରିବାର ଚଳାଇବା ନେଇ ବଜେଟରେ ନିଅଂଟିଆ ପରିସ୍ଥିତି ସୃଷ୍ଟି ହୋଇଛି ।

ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧିକୁ ରୋକିବାରେ କେନ୍ଦ୍ର ସରକାରଙ୍କ ବିଫଳତା ଯୋଗୁଁ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦାମ ବୃଦ୍ଧିକୁ ବେଶ ପ୍ରଭାବିତ କରିଛି । ପରିବହନ ଖର୍ଚ୍ଚ ଅଧିକ ହେବା ସଂଗେ ସଂଗେ କର୍ମକ୍ଷେତ୍ରରେ ଶ୍ରମିକମାନଙ୍କ ଅଭାବ ମୂଲ୍ୟ ବୃଦ୍ଧିର ମୁଖ୍ୟ କାରଣ ବୋଲି କୁହାଯାଉଛି । ଏହି ପରିବହନ ଓ ଲୋଡ଼ିଂ ଅନଲୋଡ଼ିଂ ଖର୍ଚ୍ଚକୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ପନିପରିବାର ମୂଲ୍ୟ ଉପରେ ଭିଡ଼ା ଯାଉଥିବାରୁ ବିକ୍ରୟ ମୂଲ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଏହାଦ୍ୱାରା ଗରୀବ ଓ ମଧ୍ୟବିତ ଶ୍ରେଣୀର ଲୋକ ଏତେ ମାତ୍ରାରେ ପ୍ରଭାବିତ ହେଉଛନ୍ତିଯେ ସେମାନଙ୍କ ପକ୍ଷରେ ଜୀବନଯାପନ କରିବା ସମ୍ପୂର୍ଣ୍ଣ ଭାବରେ ଅସମ୍ଭବ ହୋଇ ପଡ଼ିଛି । ଉଚ୍ଚ ପଦସ୍ଥ ଅଫିସର, ସରକାରୀ କର୍ମଚାରୀମାନଙ୍କ ସହିତ ଠିକାଦାର ଓ ବ୍ୟୁରୁକ୍ରାଟମାନଙ୍କ ଉପରେ ମୂଲ୍ୟ ବୃଦ୍ଧିର କୌଣସି ପ୍ରଭାବ ପରିଲକ୍ଷିତ ହେଉ ନଥିବା ବେଳେ ଦିନ ମଜୁରୀଆ, ଖଟିଖିଆ ଓ ସ୍ୱଳ୍ପ ବେତନ ଭୋଗି କର୍ମଚାରୀମାନେ ଏହାଦ୍ୱାରା ବହୁମାତ୍ରାରେ ପ୍ରଭାବିତ ହେଉଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଏମାନଙ୍କ ଦୁଃଖ ଦୂର କରିବା ନିମନ୍ତେ ପ୍ରୟାସ କରୁ ନଥିବାର ପରିଲକ୍ଷିତ ହୋଇଛି ।

ପରିବା ବଜାର କୁହାଯାଉଥିବା ଏକ ନଂ ଓ ଚାରି ନଂ ମାର୍କେଟରେ ଆଳୁ-ପିଆଜଠାରୁ ଆରମ୍ଭ କରି ପନିପରିବାର ଦର ଉଚ୍ଚା ରହିଛି । ଖାଉଟିମାନେ କିଲୋଗ୍ରାମ ପ୍ରତି ଆଳୁ ୨୦ରେ କିଣୁ ଥିବା ସମୟରେ ପିଆଜ କନ୍ଦେଇବା ଆରମ୍ଭ କରିଛି । ପିଆଜ କିଲୋଗ୍ରାମ ପ୍ରତି ୬୫ରୁ ୭୦ ଟଙ୍କା, ବାଇଗଣ ଦେଶୀ ୬୦ ଟଙ୍କା, ଚାଲାଣି ୪୫ରୁ ୫୦ ଟଙ୍କା, କଲରା ୮୫ରୁ ୯୦, କାକୁଡ଼ି ୪୦, ଭେଣ୍ଡି ୬୦, କୁନ୍ଦୁରୀ ୫୦ରୁ ୫୫, ଖମ୍ବଆଳୁ ୧୦୦, ବିଲାତି ୪୫ରୁ ୫୦, ପୋଟଳ ଦେଶୀ ୬୫ରୁ ୭୦, ଚାଲାଣି ୫୦, ବନ୍ଧା -୪୦ରୁ ୪୫, ମୂଳା-୪୦, ପୋଇ ୨୫ରୁ ୩୦, ପାଳଙ୍ଗ ଶାଗ ୧୦୦, ଶିମ୍ବ ୮୦ରୁ ୯୦, ସାରୁ- ୫୦ରୁ ୫୫, ଜହ୍ନି- ୬୦, ଓଲ- ୪୦ରୁ ୪୫, ବିନ ୧୨୦, ଗାଜର- ୧୨୦, ନାଡ଼ୁକା ୮୦, କଂଚା ଲଙ୍କା ୧୦୦, ଧଣିଆ ପତ୍ର ୨୫୦, ବୋଇତାଳୁ ୨୫ରୁ ୩୦, ଅମୃତଭଣ୍ଡା -୩୦, ଲାଓ ଓ ପାଣି କଖାରୁ (ଛୋଟ)-୪୦, ବଡ଼-୬୦, ଫୁଲ କୋବି(ଛୋଟ)-୪୦, ବଡ଼ ୬୦ରୁ ୮୦, କଂଚା କଦଳୀ ୩ଟାକୁ ୨୦, କଦଳୀ ଭଣ୍ଡା- ୩୦ ଓ ମଞ୍ଜା ଫୁଟ ୧୦ ଟଙ୍କା, ଲଙ୍କା ୨୫୦, ରସୁଣ- ୧୮୦, ଅଦା ଦେଶୀ ୨୫୦ ଓ ଚାଲାଣି ୨୦୦, ପୋସ୍ତ ୧୬୦୦, ସୋରିଷ ତେଲ ୧୧୫, ରିଫାଇନ(ସଫଳ) ୧୬୫, ହଳଦୀ ଗୁଣ୍ଡ-୨୦୦, ଜିରା ୨୪୦, ମୁଗ ଓ ହରଡ଼ ଡ଼ାଲି ୧୦୦, ବୁଟ ଓ ମସୁରୀ ଡ଼ାଲି ୬୦, ଲୁଣ ୧୫ରୁ ୨୦, ମାଂସ(ଖାସି)- ୬୦୦, କୁକୁଡ଼ା ଦେଶୀ ୫୫୦, ମାଛ ବଡ ଭାକୁଡ଼- ୪୦୦, ଛୋଟ-୨୦୦, ରୋହୀ(ବଡ଼) ୪୦୦, ଛୋଟ ୨୦୦, ଇଲିସି(୮୦୦ରୁ ଏକ କିଲୋ ମଧ୍ୟରେ)- ୧୧୦୦ରୁ ୧୨୦୦, ଚିଙ୍ଗୁଡ଼ି ଦେଶୀ ୬୦୦ରୁ ୮୦୦ ଛୋଟ ୨ ଶହରୁ ୪ଶହ ମୂଲ୍ୟରେ ବିକ୍ରି ହେଉଥିବାର ପରିଲକ୍ଷିତ ହୋଇଛି ।

ବଜାରରେ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ମୂଲ୍ୟ ଏତେ ପରିମାଣରେ ବଢ଼ିଛିଯେ, ପରିବାରକୁ ଦୁଇବେଳା ଖାଦ୍ୟ ଯୋଗାଇବା ସମ୍ଭବ ହେଉନାହିଁ । ହଜାରେ ଟଙ୍କାରେ ବ୍ୟାଗ ଭର୍ତି ହେଉ ନାହିଁ । ଯେଉଁମାନଙ୍କ ନିକଟରେ କଳାଧନ ରହିଛି ସେମାନଙ୍କର କିଛି ଯାଏ ଆସେ ନାହିଁ । ମାତ୍ର ମଧ୍ୟବିତ ପରିବାର ପାଇଁ ଏହି ମୂଲ୍ୟ ବୃଦ୍ଧି ଆଖିରେ ଲୁହ ଆଣି ଦେଉଛି । ଆୟ ଉପାର୍ଜନ ସେପରି ନଥିବା ବେଳକୁ ଅହେତୁକ ମୂଲ୍ୟ ବୃଦ୍ଧି ଖାଉଟିର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଉଛି । ଏହି ପ୍ରକାର ମୂଲ୍ୟବୃଦ୍ଧି ଲାଗି ରହିଲେ ସଂସାରରେ ବଂଚି ରହିବା ଅସମ୍ଭବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା