Connect with us

ଓଡିଶା

ଦୁର୍ଦ୍ଦିନରେ ବିଏସଏନଏଲ୍ ଠିକା କର୍ମଚାରୀ : ୯ ମାସ ଧରି ବେତନ ମିଳୁନି

ସାଙ୍କେତିକ

ଦୁର୍ଦ୍ଦିନରେ ବିଏସଏନଏଲ୍ ଠିକା କର୍ମଚାରୀ : ୯ ମାସ ଧରି ବେତନ ମିଳୁନି
ଭଦ୍ରକ, ୧୨ ସେପ୍ଟେମ୍ବର – ବିଏସ୍ଏନଏଲର ଶତାଧିକ ଗରିବ ଠିକା କର୍ମଚାରୀ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଚଳିତବର୍ଷ ଡିସେମ୍ବର ମାସ ଠାରୁ ସେମାନଙ୍କୁ ପାରିଶ୍ରମିକ ଦିଆଯାଉନଥିବା ବେଳେ ଏହି ଗରିବ କର୍ମଚାରୀମାନେ ଘୋର ଆର୍ଥିକ ଦୁର୍ଗତିରେ ଦିନ କାଟୁଛନ୍ତି । ଅସ୍ଥାୟୀ କର୍ମଚାରୀଙ୍କ ବେତନ ପାଇଁ କେନ୍ଦ୍ରୀୟ ଅନୁଦାନ ନାହିଁ କହି ଏହି ଗରିବ କର୍ମଚାରୀଙ୍କୁ କର୍ତ୍ତୃପକ୍ଷ ମାସ ମାସ ଧରି ସେମାନଙ୍କ ପ୍ରାପ୍ୟ ଦେଉନଥିବା ବେଳେ ନିଗମରେ ନିୟୋଜିତ ସ୍ଥାୟୀ କର୍ମଚାରୀମାନେ ସେମାନଙ୍କ ବେତନ ବାବଦକୁ ମାସିକ କୋଟି କୋଟି ଟଙ୍କା ନେଇଯାଉଛନ୍ତି । ଯାହାକୁ ନେଇ ନିଗମ ଅଧୀନରେ କାର୍ଯ୍ୟରତ ଶହ ଶହ ଅସ୍ଥାୟୀ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।

ନିଗମ ଅଧୀନରେ ୨୦ ରୁ ୩୦ ବର୍ଷ ଧରି କାମ କରିଆସୁଥିବା ଏହି ଗରିବ ଠିକା କର୍ମଚାରୀଙ୍କୁ ନା ସ୍ଥାୟୀ କରାଯାଉଛି ନା ସେମାନଙ୍କୁ ଦିଆଯାଉଥିବା ସ୍ୱଳ୍ପ ବେତନ ଠିକଣା ସମୟରେ ପୈଠ କରାଯାଉଛି । ପରନ୍ତୁ ଏଥିନେଇ ମୁହଁ ଖୋଲିଲେ ସେମାନଙ୍କୁ ଛଟେଇର ଧମକ ଦିଆଯାଉଛି । ଭଦ୍ରକ ସବ୍ଡିଭିଜନ ଏବଂ ବାଲେଶ୍ୱର ଡିଭିଜନ ଅଧୀନରେ ଏବେ ୧୮୪ ଜଣ ଅସ୍ଥାୟୀ କର୍ମଚାରୀ ହେଲପର ଭାବେ ନିୟୋଜିତ ହୋଇଛନ୍ତି । ସେମାନଙ୍କୁ କର୍ତ୍ତୃପକ୍ଷ ଦୈନିକ ୩୨୧ ଟଙ୍କା ମଜୁରୀ ହିସାବରେ ମାସିକ ୨୪ ଦିନର ବେତନ ଦେଉଛନ୍ତି । ହେଲପର ଭାବେ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ସେମାନେ ବିଏସ୍ଏନ୍ଏଲର ଲାଇନ୍ମ୍ୟାନ୍ ଭାବେ କାମ କରୁଛନ୍ତି । ସେମାନଙ୍କୁ ଲ୍ୟାଣ୍ଡ ଲାଇନ ସହିତ ବ୍ରୋଡବ୍ୟାଣ୍ଡ ବ୍ୟାଙ୍କ ଲିଙ୍କ ଏବଂ ହଟ ଲାଇନ୍ ବ୍ୟବସ୍ଥାରେ ନିୟୋଜିତ କରାଯାଉଛି । ଏହି ସୂଚନା ଅନୁଯାୟୀ କେବଳ ଭଦ୍ରକ ସବ୍ଡିଭିଜନ ଅଧୀନରେ ୮୪ ଜଣ ଠିକା କର୍ମଚାରୀ କାମ କରୁଥିବା ବେଳେ ବାଲେଶ୍ୱର ଡିଭିଜନ ଅଧୀନରେ ଶହେରୁ ଉଦ୍ଧ୍ୱର୍ କର୍ମଚାରୀ କାମ କରୁଛନ୍ତି । କର୍ମଚାରୀ ପିଛା ମାସିକ ପ୍ରାୟ ୭ ରୁ ୮ ହଜାର ଟଙ୍କା ପାରିଶ୍ରମିକ ବାବଦକୁ ସେମାନଙ୍କୁ ଦିଆଯାଉଛି । ତେବେ ଦୁର୍ଭାଗ୍ୟର କଥା ହେଲା ସେତକ ଅର୍ଥ ଦେବାକୁ ମଧ୍ୟ ନିଗମର ସମ୍ବଳ ନାହିଁ ।

ଗୋଟିଏ ପଟରେ ଗ୍ରାହକଙ୍କୁ ଉପଯୁକ୍ତ ସେବା ଦେଇନପାରିବାରୁ ବହୁ ଲ୍ୟାଣ୍ଡ ଲାଇନ୍ ସେବା ରଦ୍ଦ ହୋଇଯାଇଥିବାବେଳେ ଯେତିକି ଲାଇନ୍ ରହିଛି, ସେଗୁଡିକର ମଧ୍ୟ ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉନାହିଁ । ଏକଦା ଭଦ୍ରକ ସବ୍ଡିଭିଜନ ଅଧୀନରେ ପ୍ରାୟ ୧୫ ହଜାରରୁ ଉଦ୍ଧ୍ୱର୍ ଲ୍ୟାଣ୍ଡ ଲାଇନ୍ ରହିଥିବାବେଳେ ଉପଯୁକ୍ତ ସେବା ଅଭାବରୁ ଇତିମଧ୍ୟରେ ଅଧାରୁ ଅଧିକ ଲାଇନ୍ କଟିଗଲାଣି । ସଂସ୍ଥାର ବଡ ବଡିଆ ମାନେ କେବଳ ଅଫିସରେ ବସି ମାସିକ ଲକ୍ଷ ଲକ୍ଷ ଟଙ୍କାର ବେତନ ନେଇଯାଉଥିବା ବେଳେ ପ୍ରକୃତ ପକ୍ଷେ ଖରାବର୍ଷା ଏବଂ ଶୀତ କାକରରେ ରାତିଦିନ ଖଟୁଥିବା ଏଡି ଗରିବ ଠିକା କର୍ମଚାରୀଙ୍କ ନିୟମିତ ଭାବେ ସେମାନଙ୍କ ସ୍ୱଳ୍ପ ପାରିଶ୍ରମିକ ଦିଆଯାଉନଥିବାରୁ ସେମାନଙ୍କ ପରିବାର ଏବେ ଭୋକ ଉପାସରେ ଦିନ କାଟୁଥିବା କଥା ଠିକା କର୍ମଚାରୀ ସଂଘ ସଭାପତି ଜୟନ୍ତ ସେଠୀ ଏବଂ ସଂପାଦକ ଶରତ ନାୟକ ଅତ୍ୟନ୍ତ ଦୁଃଖର ସହ ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା