Connect with us

ଓଡିଶା

ତିତ୍ଲି କ୍ଷତିଗ୍ରସ୍ତ ୧୩ ହଜାର ପରିବାରକୁ ମିଳିବ ବିଜୁ ପକ୍କା ଘର

ସାଙ୍କେତିକ ଚିତ୍ର

ତିତ୍ଲି କ୍ଷତିଗ୍ରସ୍ତ ୧୩ ହଜାର ପରିବାରକୁ ମିଳିବ ବିଜୁ ପକ୍କା ଘର
ଭୁବନେଶ୍ୱର,୧୯ା୧୧ : ଗତ ଅକ୍ଟୋବର ୧୧ ତାରିଖରେ ଓଡ଼ିଶାରେ ବ୍ୟାପକ କ୍ଷତି ଘଟାଇଥିବା ସାମୁଦ୍ରିକ ଝଡ ‘ତିତ୍ଲି’ରେ ୧୧ଟି ଜିଲ୍ଲାରେ ୧୩ ହଜାର ପରିବାରର ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି ବୋଲି ତଥ୍ୟ ଆକଳନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୧୩ ହଜାର ପରିବାରକୁ ବିଜୁ ପକ୍କା ଘର ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ୧୭୬ କୋଟି ଟଙ୍କା ବିନିଯୋଗ କରାଯିବ । ଗୃହ ନିର୍ମାଣ କାର୍ଯ୍ୟକୁ ତ୍ୱରିତ ବେଗରେ ସମ୍ପୂର୍ଣ୍ଣ କରିବା ଏବଂ ଏହି କାର୍ଯ୍ୟରେ ସ୍ୱଚ୍ଛତା ରକ୍ଷା କରିବା ପାଇଁ ସମସ୍ତ ୱାର୍କ ଅର୍ଡର ଗୁଡିକୁ ଏକ ନିର୍ଦ୍ଦିଷ୍ଟ ତାରିଖରେ ବ୍ଲକସ୍ତରରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହି କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ବିଜୁ ପକ୍କାଘର ପାଇଁ ନିର୍ମାଣ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ଘରୋଇ ବ୍ୟବସାୟୀମାନଙ୍କ ସହିତ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ମଧ୍ୟ ଦାୟିତ୍ୱ ଦେବାକୁ ନିଷ୍ପତ୍ତି କରାଯାଇଛି । ଏଥିପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ଅତିରିକ୍ତ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯିବ । ଘର ଗୁଡିକର ନିର୍ମାଣ ସାମଗ୍ରୀ ପ୍ରସ୍ତୁତି, ମିସ୍ତ୍ରୀ ପ୍ରଶିକ୍ଷଣ, କ୍ଷତିଗ୍ରସ୍ତ ଲୋକଙ୍କୁ ଜୀବିକା ସୁବିଧା ପ୍ରଦାନ ପାଇଁ ୟୁଏନ୍ଡିପିର ସହଯୋଗ ପାଇଁ ମଧ୍ୟ ଅନୁରୋଧ କରାଯିବ ବୋଲି ଜଣାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା