Connect with us

ଓଡିଶା

ଝୋଟିଚିତ୍ରରେ ଝଟକିଲା ସିଂହଦ୍ୱାର

ନୂଆବର୍ଷ ପାଇଁ ୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ସମ୍ଭାବନା
ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା
ଝୋଟିଚିତ୍ରରେ ଝଟକିଲା ସିଂହଦ୍ୱାର
ସୁରକ୍ଷା ଦାୟୀତ୍ୱରେ ୬୫ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ
ପୁରୀ, ୩୧ ଡ଼ିସେମ୍ବର – ଇଂରାଜୀ ନୂଆବର୍ଷ ୨୦୨୦କୁ ସ୍ୱାଗତ କରିବା ସହ ୫ ଲକ୍ଷରୁ ଊଦ୍ଧ୍ୱର୍ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ର ଆସିବାର ସମ୍ଭାବନା ରହିଛି । ନୂଆବର୍ଷ ଦିନ ପ୍ରଭୁଙ୍କୁ ଦର୍ଶନ କରି ବର୍ଷକଯାକ ଭଲରେ ବିତାଇବା ପାଇଁ ପ୍ରଭୁଙ୍କ ପାଖରେ ଗୁହାରୀ କରିବେ । ଏଥିପାଇଁ ମଙ୍ଗଳବାର ଦିନ ୧୨ଟାରୁ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି । ଟ୍ରେନ୍, ବସ୍ ଓ ଅନ୍ୟାନ୍ୟ ଗାଡିରେ ଲକ୍ଷ ଲକ୍ଷ ଭକ୍ତ ଶ୍ରୀକ୍ଷେତ୍ରରେ ଆସି ପହଂଚିଲେଣି । ଅଧିକାଂଶ ଭକ୍ତ ସମୁଦ୍ରକୂଳେ ୨୦୧୯ ବର୍ଷର ଶେଷ ସୂର୍ଯ୍ୟାସ୍ତ ଦେଖିବା ପାଇଁ ଅପେକ୍ଷାରତ । ଏହାସହ ନବବର୍ଷର ପ୍ରଥମ ସୂର୍ଯ୍ୟଙ୍କୁ ସିଂହଦ୍ୱାରରେ ଦର୍ଶନ କରି ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ ହୋଇସାରିଛି । ତଦନୁଯାୟୀ, ମଙ୍ଗଳବାର ରାତି ସାଢେ ୧୦ଟା ସୁଦ୍ଧା ମହାପ୍ରଭୁଙ୍କ ପହୁଡ଼ ପଡିବ । ରାତି ୧ଟାରେ ଦ୍ୱାର ଫିଟା ସହ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ । ଶ୍ରଦ୍ଧାଳୁମାନେ ଟାଉନଥାନା ଠାରୁ ବ୍ୟାରିକେଡ୍ ଯୋଗେ ଆସି ସିଂହଦ୍ୱାରରେ ପ୍ରବେଶ କରିବେ । ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ କରାଯାଇଛି । ମୁଖ୍ୟମନ୍ତ୍ରୀ ନୂଆବର୍ଷ ଦିନ ନୂଆ ସକାଳରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସିବାର ମଧ୍ୟ ସମ୍ଭାବନା ରହିଛି । ତାଙ୍କ ଭିଣୋଇ ସୋନି ମେହେଟ୍ଟାଙ୍କ ପରଲୋକ ହେତୁ ନୂଆବର୍ଷ ପାଳିବେନି ମୁଖ୍ୟମନ୍ତ୍ରୀ ।
ଅନ୍ୟପକ୍ଷରେ ଭକ୍ତଙ୍କ ପାଇଁ ହୋଇଥିବା ନୂତନ ସେଡ୍ ଉଦଘାଟିତ ହେବାପରେ ଭକ୍ତଙ୍କ ଦ୍ୱାରା ବ୍ୟବହୃତ ହେବ । ଶ୍ରଦ୍ଧାଳୁମାନେ ହାତ ଓ ପାଦ ଧୋଇ ମନ୍ଦିରକୁ ଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସେଡ୍ ଭିତରେ ସ୍ୱଳ୍ପ ସମୟ ବସିବା ପାଇଁ ବେଂଚ୍ ବ୍ୟବସ୍ଥା ହୋଇଛି । ଓଡିଶାର କଳା ସଂସ୍କୃତି ଓ ଐତିହ୍ୟର ଝଲକ ଝୋଟି ଦ୍ୱାରା ପ୍ରକଟିତ ହୋଇଛି । ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ଯୋଗୁଁ ଝୋଟି ଝଟକୁଛି । ଆଲୋକୀକରଣ ଯୋଗୁଁ ସିଂହଦ୍ୱାର ଏବେ ଅଧିକ ଆକର୍ଷଣୀୟ ଦେଖାଯାଉଛି । ବ୍ୟାରିକେଡ ଚାରିପଟ ବିଭିନ୍ନ ଗଛ ରଖାଯାଇଛି । ପ୍ରବେଶ ପଥରେ ଦୁଇଟି ନଡ଼ିଆଗଛ ଭକ୍ତଙ୍କୁ ସ୍ୱାଗତ କରିବା ଢ଼ଙ୍ଗରେ ରଖାଯାଇଛି । ଖରାରେ ଭକ୍ତଙ୍କ ପାଦ ନତାତିବା ପାଇଁ ଶ୍ରୀନଅରଠାରୁ ନାଲି କାର୍ପେଟ ବ୍ୟାରିକେଡ ଭିତରେ ପକାଯାଇଛି । ମାର୍କେଟ ଛକ ଠାରେ ଜୋତାଷ୍ଟାଣ୍ଡ ଖୋଲାଯାଇଛି । ନୂଆବର୍ଷକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ଚେଷ୍ଟା କରାଯାଇଛି । ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ଭିତରେ ଧାଡି ଦର୍ଶନ ବ୍ୟବସ୍ଥା କରାଯାଇଛି । ନାଟମଣ୍ଡପ ବାହାର କାଠ ଠାରୁ ଭକ୍ତ ଶ୍ରୀଜୀଉଙ୍କ ଦର୍ଶନ କରିବେ । ସେହିପରି ୨୦୨୦ ନୂଆବର୍ଷ ଯୁଗ୍ମସଂଖ୍ୟା ପଡୁଥିବାରୁ ଭଲରେ କଟିବ ବୋଲି ଭକ୍ତମାନେ କହିଛନ୍ତି ।
ସୁରକ୍ଷା ଦାୟୀତ୍ୱରେ ୬୫ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ : ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ବୋଲି ଏସପି ଡଃ. ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଟ୍ରାଫିକ୍ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ପାଇଁ ଅଧିକ ଟ୍ରାଫିକ୍ ପୁଲିସ ନିୟୋଜିତ ହେବେ । ଜାନୁଆରୀ ୧ ତାରିଖ ଦିନ କୌଣସି ଭାରିଯାନ ସହର ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ । ଚାରିଚକିଆ ଯାନଗୁଡିକ ଜଗନ୍ନାଥ ବଲ୍ଲଭ ପାର୍କିଂ, ପୌରମାର୍କେଟ ପାର୍କିଂ, ମୋଚିସାହି ମହୋଦଧି ମାର୍କେଟ ଓ ତା ପାଖ ପାର୍କିଂସ୍ଥଳ, ମେଡିକାଲ ଛକଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡଦାଣ୍ଡର ଦୁଇପାଶ୍ୱର୍ରେ ପାର୍କିଂ କରିପାରିବେ । ଶ୍ରୀମନ୍ଦିର ଭିତର ଓ ବାହାର ପାଇଁ ସ୍ୱତନ୍ତ୍ର ପୁଲିସ ବ୍ୟବସ୍ଥା ହୋଇଛି । ୨୭୬ ଜଣ ପୁଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି । ୬୫ ପ୍ଲାଟୁନ୍ ପୁଲିସ ଫୋର୍ସ ସହରର ବିଭିନ୍ନ ସ୍ଥାନରେ ଜଗି ରହିଛନ୍ତି । ଦୁଇଜଣ କମାଣ୍ଡାଂଟ, ୬ ଜଣ ଏଏସପି, ୧୪ ଜଣ ଡିଏସପି, ୪୮ ଜଣ ଆଇଆଇସି ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହୋଇଛନ୍ତି । ୬୦୦ ଜଣ ହୋମଗାର୍ଡ ଓ କନେଷ୍ଟେବଳ ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଛନ୍ତି ।

ସମୁଦ୍ରକୂଳର ସୁରକ୍ଷା ପାଇଁ ବାଇନାକୁଲାରଧାରୀ ପୁଲିସ, ସାଧାପୋଷାକଧାରୀ ପୁଲିସ ମୁତୟନ ହୋଇଛନ୍ତି । ତିନୋଟି ସ୍ଥାନରେ ପୁଲିସ ଟେଂଟ କରାଯାଇ ବେଳାଭୂମି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଭକ୍ତଙ୍କ ସ୍ନାନ ସୁରକ୍ଷା ପାଇଁ ୧୦୦ ଜଣ ଲାଇଫ୍ ଗାର୍ଡ ନିୟୋଜିତ ହୋଇଛନ୍ତି । ସହରର ବିଭିନ୍ନ ଛକ ସ୍ଥାନରେ, ବଡଦାଣ୍ଡର ଦୁଇପାଶ୍ୱର୍ରେ, ବସଷ୍ଟାଣ୍ଡ, ଷ୍ଟେସନ ଓ ସହରର ପ୍ରବେଶ ପଥରେ ସିସିଟିଭି ଲଗାଯାଇଛି । ସିସିଟିଭି କଂଟ୍ରୋଲ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଡଗ୍ ସ୍କ୍ୱାର୍ଡ, ବମ ସ୍କ୍ୱାର୍ଡ ଓ ଗୁଇନ୍ଦା ପୁଲିସ ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ଉପରେ ନଜର ରଖିଛନ୍ତି । ଭକ୍ତମାନଙ୍କର ସୁବିଧା ଦର୍ଶନ ଓ ସୁରକ୍ଷା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା