Connect with us

ଓଡିଶା

ଜୁନ୍ ୨୫ରୁ ବିଧାନସଭା ଅଧିବେଶନ , ୨୮ରେ ବଜେଟ୍

ସାଙ୍କେତିକ

ଜୁନ୍ ୨୫ରୁ ବିଧାନସଭା ଅଧିବେଶନ , ୨୮ରେ ବଜେଟ୍
– ୨ ଟି ପର୍ଯ୍ୟାୟରେ ଅଗଷ୍ଟ ୮ ଯାଏ ଚାଲିବ
ଭୁବନେଶ୍ୱର, ୧୦ ଜୁନ – ଜୁନ୍ ୨୫ ତାରିଖରୁ ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବ । ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ । ଏହି ଅଧିବେଶନର ୩୧ ଟି କାର୍ଯ୍ୟକାରୀ ଦିବସ ରହିଛି । ଜୁନ୍ ୨୮ ତାରିଖରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରାଯିବ । ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ୮ ମାସ ପାଇଁ ବଜେଟ୍ ଉପସ୍ଥାପନ କରିବେ । ଏହି ଅଧିବେଶନ ୨ ଟି ପର୍ଯ୍ୟାୟରେ କରାଯିବ । ପ୍ରଥମ ପର୍ଯ୍ୟାୟ ଜୁନ୍ ୨୫ରୁ ଜୁଲାଇ ୨ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୧୨ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ରାଜ୍ୟପାଳଙ୍କ ପକ୍ଷରୁ ଅଧିବେଶନର ବୈଠକ ବସିବା ନେଇ ସମନ ଜାରୀ ହେବା ପରେ ବିଧାନସଭା ସଚିବାଳୟ ପକ୍ଷରୁ ସୋମବାର ଦିନ ବୈଠକର କାର୍ଯ୍ୟକ୍ରମ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅଭିଭାଷଣ ପ୍ରଦାନ କରିବେ । ଏହା ଉପରେ ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଧନ୍ୟବାଦ ପ୍ରସ୍ତାବ ଆଗତ କରିବା ସହ ବକ୍ତବ୍ୟ ରଖିବେ । ଉପମୁଖ୍ୟ ସଚେତକ ପ୍ରଣବ ବଳବନ୍ତ ରାୟ ଏହାକୁ ସମର୍ଥନ କରିବେ । ଜୁନ୍ ୨୬ ତାରିଖରେ ଉପବାଚସ୍ପତି ନିର୍ବାଚନ ପାଇଁ ଘୋଷଣା କରାଯିବ । ୨୭ ତାରିଖରେ ଉପବାଚସ୍ପତି ନିର୍ବାଚନ କରାଯିବ । ସେହିଦିନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ହେବ । ୨୮ ତାରିଖରେ ବଜେଟ୍ ଉପସ୍ଥାପିତ ହେବ । ଜୁଲାଇ ୧ ଓ ୨ ରେ ଦୁଇ ଦିନ ଧରି ବଜେଟ୍ ଉପରେ ସାଧାରଣ ଆଲୋଚନା କରାଯିବ । ଜୁଲାଇ ୩ ରୁ ୧୧ ତାରିଖ ୯ ଦିନ ଧରି ବିଧାନସଭାର ବୈଠକ ବସିବ ନାହିଁ । ସେହି ସମୟରେ ବିଧାନସଭା ଷ୍ଟାଣ୍ଡିଂ କମିଟି ଗୁଡିକର ବୈଠକ ବସି ବିଭିନ୍ନ ବିଭାଗର ଖର୍ଚ୍ଚ ଦାବିର ଯାଂଚ କରିବେ । ଜୁଲାଇ ୧୨ ତାରିଖ ରେ କମିଟିର ଅଧ୍ୟକ୍ଷମାନେ ଯାଂଚ ରିପୋର୍ଟ ପ୍ରଦାନ କରିବେ । ଏହା ବ୍ୟତୀତ ୨୦୧୯-୨୦ ବର୍ଷର ଓଡିଶା କଂଟିଜେନ୍ସି ଫଣ୍ଡ (ଆକସ୍ମିକ ପାଣ୍ଠି)ରୁ ନିଆଯାଇଥିବା ଅର୍ଥ ସଂକ୍ରାନ୍ତୀୟ ରିପୋର୍ଟ ଉପସ୍ଥାପନ କରାଯିବ । ଜୁଲାଇ ୧୫ ତାରିଖ ଠାରୁ ୧୪ ଟି ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା କରାଯିବ । ଅବଶିଷ୍ଟ ବିଭାଗର ଖର୍ଚ୍ଚ ଦାବି ଗୁଡିକ ଗିଲୋଟିନ୍ ଦ୍ୱାରା ଜୁଲାଇ ୩୦ ତାରିଖରେ ଗୃହୀତ ହେବ । ୩୧ ତାରିଖ ଦିନ ୨୦୧୯-୨୦ ବର୍ଷର ବଜେଟ୍ ସଂକ୍ରାନ୍ତୀୟ ବ୍ୟୟ ମଂଜୁରୀ ବିଲ୍ ଆଗତ ହେବ ଏବଂ ଏହା ଉପରେ ଆଲୋଚନା କରାଯାଇ ପାରିତ କରାଯିବ । ସେହିପରି ଅଗଷ୍ଟ ୧ ଓ ୨ ତାରିଖରେ କଂଟିଜେନ୍ସି ଫଣ୍ଡ ଉପରେ ଆଲୋଚନା କରାଯିବ ଏବଂ ୨ ତାରିଖରେ ତତ୍ ଜନିତ ବ୍ୟୟ ମଂଜୁରୀ ବିଲ୍ ଆଲୋଚନା ହୋଇ ପାରିତ ହେବ ।
ଏହି ଅଧିବେଶନରେ ୩ ଦିନ ସରକାରୀ ଦିବସ ରଖାଯାଇଥିବା ବେଳେ ବେସରକାରୀ ଦିବସ ୩ ଦିନ ରଖାଯାଇଛି । ଅଧିବେଶନରେ ଜୁନ୍ ୩୦ ତାରିଖ ରବିବାର , ଜୁଲାଇ ୧୩ ଓ ୧୪ ଶନିବାର /ରବିବାର , ଜୁଲାଇ ୨୧ ରବିବାର , ୨୮ ତାରିଖ ରବିବାର ଓ ଅଗଷ୍ଟ ୪ ତାରିଖ ରବିବାର ପାଇଁ ଗୃହର କାର୍ଯ୍ୟ ବନ୍ଦ ରହିବ । ବିଧାନସଭା ଅଧିବେଶନ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଭିନ୍ନ ଜିଲ୍ଲାପାଳ ମାନଙ୍କୁ ଜଣାଇ ଦିଆଯିବା ସହ ଶୋକପ୍ରସ୍ତାବ ଲାଗି ଇତିମଧ୍ୟରେ ପରଲୋକ ହୋଇଥିବା ବିଧାୟକ/ବିଧାୟିକା ମାନଙ୍କର ତାଲିକା ଓ ଜୀବନୀ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଶହୀଦ ହୋଇଥିବା ଯବାନ ଓ ପୋଲିସ୍ ଙ୍କ ତାଲିକା ଦେବା ପାଇଁ ଗୃହ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା