Connect with us

ଓଡିଶା

ଜାତୀୟ ଡିଜିଟାଲ ସଞ୍ଚାର ନୀତିକୁ କ୍ୟାବିନେଟ ଅନୁମୋଦନ

ଜାତୀୟ ଡିଜିଟାଲ ସଞ୍ଚାର ନୀତିକୁ କ୍ୟାବିନେଟ ଅନୁମୋଦନ
ପ୍ରତି ଗ୍ରାମପଞ୍ଚାୟତକୁ ମିଳିବ ୧ ଜିବିପିଏସ ସଂଯୋଗ
ଭୁବନେଶ୍ୱର,୨୬ା୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଜାତୀୟ ଡିଜିଟାଲ ସଂଚାର ନୀତି-୨୦୧୮(ଏନଡିସିପି-୨୦୧୮)କୁ ଅନୁମୋଦନ କରିଛନ୍ତି । ଏଥିସହିତ ଟେଲିକମ ଆୟୋଗଙ୍କ ନାମ ପରିବର୍ତନ କରାଯାଇ “ଡିଜିଟାଲ ସଂଚାର ଆୟୋଗ” କରାଯାଇଛି । ଉଦ୍ୟୋଗ ଏବଂ ନାଗରିକମାନଙ୍କ ସୂଚନା ଏବଂ ସଂଚାର ଆବଶ୍ୟକତାକୁ ପୂରଣ ଜରିଆରେ ଭାରତକୁ ଏକ ସଶକ୍ତ ଡିଜଟାଲ ଅର୍ଥବ୍ୟବସ୍ଥା ଏବଂ ସମାଜରେ ପରିଣତ କରିବା ଉଦ୍ଦେଶ୍ୟରେ ଏନଡିସିପି-୨୦୧୮ ନୀତି ପ୍ରଣୟନ କରାଯାଇଛି । ସର୍ବବ୍ୟାପୀ, ନମନୀୟ ଏବଂ ଶସ୍ତା ଡିଜିଟାଲ ଭିତିଭୂମି ତଥା ସେବା ପ୍ରତିଷ୍ଠା ମାଧ୍ୟମରେ ଏହା କରାଯିବ ।

‘ଉପଭୋକ୍ତାଙ୍କ ପ୍ରତି ଲକ୍ଷ୍ୟବଦ୍ଧ’ ଏବଂ ‘ଆପ୍ଲିକେସନ ପରିଚାଳିତ’ ଏନଡିସିପି-୨୦୧୮ ୫-ଜି, ଆଇଓଟି, ଏମଟୁଏମ ଆଦି ଅତ୍ୟାଧୁନିକ ପ୍ରଯୁକ୍ତିର ଶୁଭାରମ୍ଭ ପରେ ନୂତନ ଉପାୟ ଏବଂ ଅଭିନବୀକରଣ ଦିଗରେ ବାଟ କଢ଼େଇ ନେବ, ଯାହା ଭାରତରେ ଟେଲିକମ କ୍ଷେତ୍ରକୁ ପରିଚାଳନା କରିବ । ଏହି ନୀତିର ପ୍ରମୁଖ ଲକ୍ଷ୍ୟଗୁଡ଼ିକ ହେଲା ସମସ୍ତଙ୍କ ପାଇଁ ବ୍ରଡବ୍ୟାଣ୍ଡ ବ୍ୟବସ୍ଥା କରିବା । ଏହାସହ ଡିଜିଟାଲ ସଂଚାର କ୍ଷେତ୍ରରେ ୪ ନିୟୂତ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ । ଭାରତର ଜିଡିପରେ ଡିଜିଟାଲ ସଂଚାର କ୍ଷେତ୍ରର ଯୋଗଦାନ ୨୦୧୭ରେ ୬ ପ୍ରତିଶତ ଥିବା ବେଳେ ଏହାକୁ ୮ପ୍ରତିଶତକୁ ସମ୍ପ୍ରସାରିତ କରାଯାଇପାରିବ । ଆଇଟିୟୁର ଆଇସିଟି ବିକାଶ ସୂଚକାଙ୍କରେ ଭାରତର ସ୍ଥାନ ୨୦୧୭ରେ ୧୩୪ରେ ଥିବା ବେଳେ ଏହାକୁ ଶ୍ରେଷ୍ଠ ୫୦ଟି ଦେଶ ମଧ୍ୟରେ ସାମିଲ କରାଯାଇପାରିବ । ଏହା ବ୍ୟତୀତ ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଭାରତର ଯୋଗଦାନକୁ ସମ୍ପ୍ରସାରିତ କରାଯିବା ସହ ଡିଜିଟାଲ ସାର୍ବଭୌମତ୍ୱ ସୁନିଶ୍ଚିତ କରାଯାଇପାରିବ । ଏହି ଲକ୍ଷ୍ୟ ୨୦୨୨ ସୁଦ୍ଧା ହାସଲ କରାଯିବ ବୋଲି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ନିଷ୍ପତି ନିଆଯାଇଛି ।

ନୀତିର ମୁଖ୍ୟ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ନାଗରିକଙ୍କୁ ସେକେଣ୍ଡ ପ୍ରତି ୫୦ ଏମବି/ବେଗର ସାମୂହିକ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଗାଇ ଦେବା । ସେହିପରି ସମସ୍ତ ଗ୍ରାମପଂଚାୟତକୁ ୨୦୨୦ ସୁଦ୍ଧା ସେକେଣ୍ଡ ପ୍ରତି ୧ ଜିବି ଏବଂ ୨୦୨୨ ସୁଦ୍ଧା ସେକେଣ୍ଡ ପ୍ରତି ୧୦ ଜିବି ସ୍ପିଡର ବ୍ରଡବ୍ୟାଣ୍ଡ ସଂଯୋଗ ପ୍ରଦାନ କରାଯିବ । ଅପହଁଚ ଇଲାକାରେ ସଂଯୋଗ ସୁନିଶ୍ଚିତ କରାଯିବ । ଡିଜିଟାଲ ଯୋଗାଯୋଗ କ୍ଷେତ୍ରରେ ୧୦୦ ବିଲିୟନ ଆମେରିକୀୟ ଡଲାରର ନିବେଶ ଆକୃଷ୍ଟ କରାଯାଇପାରିବ । ନୂଆ ଯୁଗର ଦକ୍ଷତା ବିକାଶ ପାଇଁ ୧ ନିୟୁତ ଶ୍ରମଶକ୍ତିଙ୍କୁ ତାଲିମ ଦିଆଯିବ । ୫ ବିଲିୟନ ସଂଯୁକ୍ତ ଡିଭାଇସ ସହିତ ଆଇଓଟି ବ୍ୟବସ୍ଥାକୁ ସମ୍ପ୍ରସାରିତ କରାଯିବ । ଡିଜିଟାଲ ସଂଚାର ପାଇଁ ଏକ ବିସ୍ତୃତ ଡାଟା ସୁରକ୍ଷା ବ୍ୟବସ୍ଥା ପ୍ରତିଷ୍ଠା କରିବା ଯାହା ଗୋପନୀୟତା, ସ୍ୱଅଧିକାର ଏବଂ ବ୍ୟକ୍ତିଗତ ପସନ୍ଦକୁ ସୁରକ୍ଷା ପ୍ରଦାନ କରିବ ।

ଏହା ବ୍ୟତୀତ ବିଶ୍ୱ ଡିଜିଟାଲ ଅର୍ଥବ୍ୟବସ୍ଥାରେ ଭାରତର ପ୍ରଭାବୀ ଅଂଶଗ୍ରହଣ ପାଇଁ ବ୍ୟବସ୍ଥା କରାଯିବ । ଆବଶ୍ୟକ ସଂସ୍ଥାଗତ ବ୍ୟବସ୍ଥା ଜରିଆରେ ନାଗିରକମାନଙ୍କ ପାଇଁ ସୁରକ୍ଷିତ ଏବଂ ନିରାପଦ ଡିଜିଟାଲ ସଂଚାର ଭିତିଭୂମି ଓ ସେବା ସୁନିଶ୍ଚିତ କରିବା ଦିଗରେ ଉତରଦାୟିତ୍ୱ ସୁନିଶ୍ଚିତ କରାଯିବ । ଡିଜିଟାଲ ସଂଚାର ଭିତିଭୂମି ଏବଂ ସେବାକୁ ସୁରକ୍ଷିତ ରଖାଯିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା