Connect with us

ଓଡିଶା

“ଗାନ୍ଧୀ କଥା” କାର୍ଯ୍ୟକ୍ରମ

ସାଙ୍କେତିକ

“ଗାନ୍ଧୀ କଥା” କାର୍ଯ୍ୟକ୍ରମ
ଖୁବ୍ଶୀଘ୍ର କାର୍ଯ୍ୟକାରୀ ହେବ ଗାନ୍ଧୀଐତିହ୍ୟ ସମୃଦ୍ଧ ସ୍ଥାନଗୁଡ଼ିକୁ ନେଇ “ଗାନ୍ଧୀ ସର୍କିଟ ଯୋଜନା” : ସଂସ୍କୃତି ମନ୍ତ୍ରୀ
ଭୁବନେଶ୍ୱର, ୦୨ ଅକ୍ଟୋବର- ଜାତିର ଜନକ ମହାତ୍ମା ଗାନ୍ଧୀ ଓଡ଼ିଶାକୁ ୮ ଥର ଗସ୍ତରେ ଆସିଥିବା ପୃଷ୍ଠଭୂମିରେ ଗାନ୍ଧୀଐତିହ୍ୟ ସମ୍ବଳିତ ସ୍ଥାନଗୁଡ଼ିକର ଉନ୍ନତିକରଣ ସମେତ ଗାନ୍ଧୀ ସର୍କିଟ୍ ଯୋଜନାକୁ ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବ । ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହରେ ଆହୁରି ଅଧିକ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ସହିତ ତାଙ୍କର ଏକ ବିଶାଳ ପ୍ରତିମୂର୍ତି ସ୍ଥାପିତ ହେବ ବୋଲି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ “ଗାନ୍ଧୀ କଥା” କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଏହା କହିଛନ୍ତି ।

ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଜଳସଂପଦ, ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କୁ ବିଶ୍ୱର ଅନ୍ୟତମ ବିଚକ୍ଷଣ ବ୍ୟକ୍ତିତ୍ୱ ଭାବରେ ଅଭିହିତ କରିବା ସହିତ ଗାନ୍ଧିଜୀଙ୍କ ବାଣୀ ଚିରଦିନ ପାଇଁ ଅମର ରହିବ ବୋଲି କହିଥିଲେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଗାନ୍ଧୀ ଦର୍ଶନର ପ୍ରାସଙ୍ଗିକତା ଭବିଷ୍ୟତ ପାଇଁ ଅନୁକୂଳ ହେବ ବୋଲି କହିବା ସହିତ ଗାନ୍ଧିଜୀଙ୍କୁ ସହସ୍ରାବ୍ଦୀର ଶ୍ରେଷ୍ଠ ବ୍ୟକ୍ତିତ୍ୱ ଭାବେ ବର୍ଣ୍ଣନା କରିଥିଲେ ।

ମୁଖ୍ୟବକ୍ତା ଭାବରେ ଯୋଗଦେଇ ବିଶିଷ୍ଟ ବିଦ୍ୱାନ ଶ୍ରୀ ସତ୍ୟନାରାୟଣ ସାହୁ ଗାନ୍ଧୀ ବିଚାର ଏବେ ମଧ୍ୟ ଅତୁଟ ରହିଛି ଓ ବହୁବର୍ଷ ପୂର୍ବରୁ ଗାନ୍ଧିଜୀଙ୍କ ପ୍ରଦତ ବାଣୀ ଏବେ କାଯର‌୍ୟଧାରାରେ ଅନୁସୃତ ହେଉଛି ବୋଲି ପ୍ରକାଶ କରିଥିଲେ । ଅହିଂସା, ସତ୍ୟାଗ୍ରହ ଓ ସତ୍ୟ ଗାନ୍ଧିଜୀଙ୍କର ଚରମ ଅସ୍ତ୍ର ଥିଲା । ଗାନ୍ଧିଜୀ ଭାରତୀୟ ପୁରାଣର ଭକ୍ତ ପ୍ରହ୍ଲାଦ, ଗ୍ରୀକ୍ ଦାର୍ଶନିକ ସକ୍ରେଟିସ୍, ଯିଶୁଖ୍ରୀଷ୍ଟ, ଇସ୍ଲାମ୍ ଧର୍ମର ଇମାମ୍ ହୁସେନ୍ ଓ ମୀରାବାଈଙ୍କୁ ସତ୍ୟାଗ୍ରହୀ ଭାବରେ ଅନୁସରଣ କରିଥିଲେ । ସତ୍ୟାଗ୍ରହକୁ ସେ ସବୁଧର୍ମର ସଙ୍ଗମ ବୋଲି ବିଚାର କରୁଥିଲେ । ସତ୍ୟ ଓ ଅହିଂସା ଯୋଗର ମୂଳଭିତି ବୋଲି ଗାନ୍ଧିଜୀ ବିଚାର କରୁଥିଲେ । ଓଡ଼ିଶାର ଜଣେ ସାଧାରଣ ବ୍ୟକ୍ତି କୃଷ୍ଣଚନ୍ଦ୍ର ନାୟକ ସାପ କାମୁଡ଼ାରେ ମୃତ୍ୟୁବରଣ କରିଥିବା ପରିପ୍ରେକ୍ଷୀରେ ଗାନ୍ଧିଜୀ ତାଙ୍କ ମୃତ୍ୟୁକୁ ସମ୍ମାନ ଜଣାଇ ସେହିପରି ଭାବରେ ମୃତ୍ୟୁବରଣ କରିବେ ବୋଲି ଇଚ୍ଛା କରିଥିଲେ । ହିଂସା ବିରୋଧରେ ଲଢ଼ିବା କଥା ବ୍ରିଟିଶମାନେ ଜାଣିଥିଲେ । ମାତ୍ର ଅହିଂସା ଉପାୟରେ ଲଢ଼ିବା କଥା ଗାନ୍ଧିଜୀ ବିଶ୍ୱକୁ ଦେଖାଇଦେଲେ ।

ସୂଚନା ଓ ଲୋକସଂପର୍କ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଆମ ସମସ୍ତଙ୍କ ଆଚରଣରେ ଗାନ୍ଧୀବାଦ ପ୍ରତିଫଳିତ ହେଲେ ଏକ ସୁସ୍ଥ ଓ ସମୃଦ୍ଧ ସାମାଜିକ ବ୍ୟବସ୍ଥା ସମ୍ଭବ ହେବ ବୋଲି କହିଥିଲେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ନାୟକ ସ୍ୱାଗତ ଭାଷଣ ପ୍ରସଙ୍ଗରେ ଗାନ୍ଧୀ ଜୟନ୍ତୀ ଓ ବିଶ୍ୱବ୍ୟାପୀ ପାଳିତ ଅହିଂସା ଦିବସ ଉପରେ ଆଲୋକପାତ କରିଥିଲେ । ଯୁଗ୍ମ ନିର୍ଦେଶକ ନିରଞ୍ଜନ ସେଠୀ ମଧ୍ୟ ଉପସ୍ଥିତ ଥିଲେ । ଅତିଥିମାନେ ଗାନ୍ଧିଜୀଙ୍କ ଫଟୋଚିତ୍ରରେ ସୂତ୍ରମାଳ ଅର୍ପଣ କରିବା ସହିତ ବୃକ୍ଷ·ରାରେ ଜଳଦାନପୂର୍ବକ କାର୍ଯ୍ୟକ୍ରମର ଅୟମାରମ୍ଭ କରିଥିଲେ । ପ୍ରାରମ୍ଭରେ ରାମ୍ଧୂନ ପରିବେଷଣ କରାଯାଇଥିଲା ।

ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶିତ ହୁସେନ ରବି ଗାନ୍ଧୀ ଓ ଇନ୍ଦିରା ଦାଶଙ୍କ ସଂପାଦିତ “କବି ମାନସରେ ଗାନ୍ଧୀ”, ଡ. ଜୟନ୍ତୀ ରଥ ଓ ଶୀତେଶ ତ୍ରିପାଠୀଙ୍କ ସଂପାଦିତ “ଗାନ୍ଧୀ କଥା ଓ କାହାଣୀ”, ଦାସ୍ ବେନ†ର, ଅରବିନ୍ଦ ପଟ୍ଟନାୟକ ଓ ଚନ୍ଦ୍ରଶେଖର ହୋତାଙ୍କ ସଂପାଦିତ “ଗାନ୍ଧୀ ବିବିଧତା: ଓଡ଼ିଶାରେ ଗାନ୍ଧୀ ଓ ଗାନ୍ଧୀଚର୍ଚ୍ଚା” ତିନୋଟି ପୁସ୍ତକର ପ୍ରଥମ ଖଣ୍ଡ ଏବଂ ଅଧ୍ୟାପକ ଧନେଶ୍ୱର ମହାରଣାଙ୍କ ରଚିତ “ମୃଣ୍ମୟ ମହାତ୍ମା” ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

କାର୍ଯ୍ୟକ୍ରମ ଶେଷରେ ଗାନ୍ଧିଜୀଙ୍କ ପ୍ରିୟ ଭଜନ “ବୈଷ୍ଣବ ଜନତୋ…” ପରିବେଷଣ କରାଯାଇଥିଲା । ବୁଧବାର ସକାଳେ ଆଚାର୍ଯ୍ୟ ବିହାରରୁ ଏୟାରପୋର୍ଟ ପର୍ଯ୍ୟନ୍ତ ଆୟୋଜିତ ଏକ ମାନବଶୃଙ୍ଖଳରେ ବିଭିନ୍ନ ଶିକ୍ଷାନୁଷ୍ଠାନର ହଜାର ହଜାର ଛାତ୍ରଛାତ୍ରୀ ତଥା ବିଜୁ ଯୁବବାହିନୀର ସ୍ୱେଚ୍ଛାସେବୀମାନେ ସାମିଲ ହୋଇ ଗାନ୍ଧିଜୀଙ୍କ ଅହିଂସା ବାର୍ତାର ପ୍ରଚାର କରିଥିଲେ । ସଂପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକର ମୁଖ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଜୟଦେବ ଭବନଠାରେ “ଓଡ଼ିଶାରେ ଗାନ୍ଧିଜୀ” ଶୀର୍ଷକ ଫଟୋଚିତ୍ର ପ୍ରଦର୍ଶନୀକୁ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ଦାସ ଉଦ୍ଘାଟନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା