Connect with us

ଓଡିଶା

କ୍ରୋଧ ଜର୍ଜରିତ ମହାଲକ୍ଷ୍ମୀ ନନ୍ଦିଘୋଷ ରଥ ଭାଙ୍ଗିଲେ : ହେରାପଂଚମୀ ନୀତି ସମ୍ପନ୍ନ

ସାଙ୍କେତିକ

କ୍ରୋଧ ଜର୍ଜରିତ ମହାଲକ୍ଷ୍ମୀ ନନ୍ଦିଘୋଷ ରଥ ଭାଙ୍ଗିଲେ : ହେରାପଂଚମୀ ନୀତି ସମ୍ପନ୍ନ
ପୁରୀ, ୮ ଜୁଲାଇ – ରଥଯାତ୍ରାରେ ନଅଦିନ ପାଇଁ ଚତୁର୍ଦ୍ଧାମୂର୍ତି ରତ୍ନ ସିଂହାସନ ଛାଡି ଆଡପ ମଣ୍ଡପରେ ବିଜେ କରିଛନ୍ତି । ପ୍ରଭୁ ଶ୍ରୀ ଜଗନ୍ନାଥ ସାଙ୍ଗରେ ଭଉଣୀ ସୁଭଦ୍ରା ଓ ବଡଭାଇ ବଳଭଦ୍ରଙ୍କୁ ଧରି ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଗୁଣ୍ଡିଚା ମନ୍ଦିରକୁ ବିଜେ କରିଛନ୍ତି । ମା ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ଆଣିନଥିବାରୁ ମା ଲକ୍ଷ୍ମୀ ଶ୍ରୀମନ୍ଦିର ଭିତରେ ଏକା ଏକା ବଗଡା ଅନ୍ନ ରାନ୍ଧି ମନ ଦୁଃଖରେ ରହିଛନ୍ତି । ତାଙ୍କ ଦୁଃଖ ସଂପର୍କରେ ମା ବିମଳାଙ୍କୁ ଜଣାଇଥିଲେ । ମାଙ୍କ ପରାମର୍ଶ କ୍ରମେ ସିନ୍ଧୁ ନନ୍ଦିନୀ ମୋହଚୂର୍ଣ୍ଣ ଧରି ଗୁଣ୍ଡିଚା ମନ୍ଦିର ଯିବା ପାଇଁ ପ୍ରସ୍ତୁତ ହୋଇଛନ୍ତି ।

ହେରାପଂଚମୀ ତିଥିରେ ଶ୍ରୀମନ୍ଦିରରେ ମା ଲକ୍ଷ୍ମୀଙ୍କର ବିଭିନ୍ନ ନୀତି ଅନୁଷ୍ଠିତ ହୋଇଥିଲା । ଭଣ୍ଡାର ଘରେ ବିଜେ ହୋଇଥିବା ମା ଲକ୍ଷ୍ମୀଙ୍କୁ ସେବକମାନେ ମାଜଣା କରିବା ପରେ ବନକଲାଗି, ପାଟଶାଢୀ ଓ ଅଳଙ୍କାରରେ ସଜାଇ ବେଶ କରିଥିଲେ । ପୂଜାପଣ୍ଡା ସେବକମାନେ ପନ୍ତିଭୋଗ କରିଥିଲେ । ମା ଲକ୍ଷ୍ମୀଙ୍କ ବିମାନ ବଟବୃକ୍ଷ ତଳେ ରଖାଯାଇଥିଲା । ଭଣ୍ଡାର ଘରୁ ଲକ୍ଷ୍ମୀଙ୍କ ପ୍ରତିମା ମହାଜନମାନେ ଆଣି ବିମାନରେ ବିଜେ କରାଇଥିଲେ । ବିମାନବଡୁ ସେବକମାନେ ବିମାନ ଧରିବା ସହ ଘଂଟ ଘଂଟା, କାହାଳୀ ବଜାଇ ବଡଦାଣ୍ଡରେ ନନ୍ଦିଘୋଷ ରଥ ପାଖକୁ ନେଇଥିଲେ । ରଥ ପାଖରେ ପତି ମହାପାତ୍ର ପ୍ରସାଦ ଲାଗି, ବନ୍ଦାପନା, ଚାମର ଆଲଟ, ଘଷାବିଡିଆ ଓ ଦହିପଟି ମଣୋହି କରିଥିଲେ । ଅନ୍ୟପଟେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡପ ମଣ୍ଡପରେ ଚତୁର୍ଦ୍ଧାମୂର୍ତିଙ୍କ ମଧ୍ୟାହ୍ନ ଧୂପ ସରି ଶାଢୀ ଲାଗି ହୋଇ ଆଳତୀ ହୋଇଥିଲା ।

ଆଳତୀ ପରେ ଜଗନ୍ନାଥ ମହାପ୍ରଭୁଙ୍କ ବାଡରେ ପଚାଂମୃତ ମହାସ୍ନାନ ଓ ତିନିବାଡରେ ସର୍ବାଙ୍ଗ ହୋଇ ବେଶ ବଢିଥିଲା । ପରେ ପରେ ସନ୍ଧ୍ୟାଧୂପ ଉଠି ପୂଜା ହୋଇଥିଲା । ଏହି ସମୟରେ ମା ଲକ୍ଷ୍ମୀ ରଥ ପାଖ ନୀତି ସାରି ଗୁଣ୍ଡିଚା ମନ୍ଦିରର ଜୟବିଜୟ ଦ୍ୱାରପାଖକୁ ଆସିଥିଲେ । ଦେଢଶୂର ପ୍ରଭୁ ବଳଭଦ୍ର ଥିବାରୁ ମା ଲକ୍ଷ୍ମୀ ଦ୍ୱାରବନ୍ଧ ପାଖରେ ଲୁଚି ରହିଥିଲେ । ଏହି ସମୟରେ ମା ଲକ୍ଷ୍ମୀ ମୋହଚୂର୍ଣ୍ଣ ଗୁଣ୍ଡ ପ୍ରଭୁ ଜଗନ୍ନାଥଙ୍କ ଉପରକୁ ପକାଇଥିଲେ । ପ୍ରଭୁ ଏହା ଜାଣିପାରି ଭାଇ ଅଛନ୍ତି ରାଗିବେ କହି ଆଜ୍ଞାମାଳ ଦେଇ ମା ଲକ୍ଷ୍ମୀଙ୍କୁ କଂଟ ଦେଲେ ଶୀଘ୍ର ଶ୍ରୀମନ୍ଦିର ଫେରିବେ । ଏହାପରେ କବାଟ ଧଡକିନି ପଡିଯାଇଥିଲା । ମା ମହାଲକ୍ଷ୍ମୀ ନାକଚଣା ଦ୍ୱାର ଦେଇ ବିମାନକୁ ଆସିଥିଲେ । ବିମାନ ପାଖରେ ଭିତରଚ୍ଛ ମହାପାତ୍ର ଗରାବଡୁ ସେବକଙ୍କଠାରୁ ହାତୁଆଣି ନେଇ ବନ୍ଦାପନା ଓ ଦହିପଟି ମଣୋହି କରିଥିଲେ । କ୍ରୋଧ ଜର୍ଜରିତ ସିନ୍ଧୁ ନନ୍ଦିନୀ ମା ମହାଲକ୍ଷ୍ମୀ ନନ୍ଦିଘୋଷ ରଥ ପାଖକୁ ଯାଇ ଖଣ୍ଡେ କାଠ ଭାଙ୍ଗି ସିଧା ବଡଦାଣ୍ଡରେ ପଳାଇଥିଲେ । କାଳେ କିଏ ଦେଖିବ ସେଥିପାଇଁ ହେରାଗୋହିରି ସାହିଦେଇ ଶ୍ରୀମନ୍ଦିରକୁ ଫେରିଥିଲେ ।

ମାଙ୍କ ଯିବା ଓ ଆସିବା ସମୟରେ ବିଭିନ୍ନ ମଠ ଓ ଅନୁଷ୍ଠାନ ପକ୍ଷରୁ ବାଟରେ ପନ୍ତି ଭୋଗ ହୋଇଥିଲା । ମା ଲକ୍ଷ୍ମୀ ନିଳାଦ୍ରି ବିଜେ ଦିନ ତାଙ୍କ ଅଭିମାନ ସୁଝାଇବା ପାଇଁ ଜଗି ରହିବେ । ପ୍ରଭୁ ରସଗୋଲା ଦେଇ ମା ଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିବେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା