Connect with us

ଦେଶ

“କିଷାନ ମୁକ୍ତି ମୋର୍ଚ୍ଚା ‘ ପାଇଁ ଏକାଠି ହେଲେ ବିରୋଧୀ

“କିଷାନ ମୁକ୍ତି ମୋର୍ଚ୍ଚା ‘ ପାଇଁ ଏକାଠି ହେଲେ ବିରୋଧୀ
ନୂଆଦିଲ୍ଲୀ,୩୦ା୧୧ : ରାଜଧାନୀ ନୂଆଦିଲ୍ଲୀଠାରେ ଆୟୋଜିତ ହୋଇଥିବା ‘କିଷାନ ମୁକ୍ତି ମୋର୍ଚ୍ଚା’ରେ ପୁଣିଥରେ ବିରୋଧୀ ଦଳମାନଙ୍କର ଏକତା ଦେଖିବାକୁ ମିିଳିଛି । ଦେଶର ଅଣ-ବିଜେପି ବିରୋଧୀ ଦଳଗୁଡିକ ଆଜି ପୁଣିଥରେ ଗୋଟିଏ ମଞ୍ଚରେ ଏକତ୍ରିତ ହୋଇ ମୋଦି ସରକାରର କଟୁ ସମାଲୋଚନା କରିବା ସହ ଚାଷୀମାନଙ୍କର ସମସ୍ୟା ପ୍ରତି ନିଜ ନିଜର ସମର୍ଥନ ଜାହିର କରିଛନ୍ତି ।

ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ କମିଟିର ଆହ୍ୱାନରେ ଆଜି ଅପରାହ୍ନରେ ନୂଆଦିଲ୍ଲୀର ଯନ୍ତରମନ୍ତର ଠାରେ ଆୟୋଜିତ ବିକ୍ଷୋଭ ସମାବେଶରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ନ୍ୟାସନାଲ କନଫରେନ୍ସ ସୁପ୍ରିମୋ ଫାରୁକ ଅବଦୁଲ୍ଲା, ଆପ୍ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ସିପିଆଇ (ଏମ୍) ନେତା ସୀତାରାମ ୟେଚୁରୀଙ୍କ ସମେତ ବହୁ ଅଣ-ବିଜେପି ରାଜନୈତିକ ଦଳର ନେତୃବୃନ୍ଦ ଗୋଟିଏ ମଞ୍ଚରେ ଏକତ୍ରିତ ହୋଇ ନିଜର ଶକ୍ତି ପ୍ରଦର୍ଶନ ସହ ମୋଦି ସରକାରର କଟୁ ସମାଲୋଚନା କରିଥିଲେ ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏହି ବିକ୍ଷୋଭ ସମାବେଶରେ ଉଦବୋଧନ ଦେଇ କହିଥିଲେ, ଚାଷୀମାନଙ୍କୁ ଋଣଛାଡ଼, କୃଷି ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ସବୁ ଜମିକୁ ଜଳସେଚନ ସୁବିଧା, ଚାଷୀଙ୍କୁ ବୋନସ, ସ୍ୱଳ୍ପ ସୁଧରେ ଋଣ, ଚାଷୀଙ୍କ ଆୟକୁ ଦୁଇଗୁଣା କରିବା ଆଦି କରିବା ଅନେକ ଲୋଭନୀୟ ପ୍ରତିଶ୍ରୁତି ଦେଇ ଶାସନ କ୍ଷମତାକୁ ଆସିଥିଲେ । ହେଲେ, କ୍ଷମତାକୁ ଆସିବା ମାତ୍ରେ ହିଁ ପ୍ରଧାନମନ୍ତ୍ରୀ ମୋଦି ସର୍ବପ୍ରଥମେ ଚାଷୀମାନଙ୍କୁ ଭୁଲିଗଲେ । ତେବେ ଏଥିରେ ଚାଷୀକୁଳ ଆଦୌ ଦୁଃଖିତ କିମ୍ବା ଭୟଭୀତ ହେବାର କୌଣସି କାରଣ ନାହିଁ । କାରଣ ଦେଶର ସମସ୍ତ ଅଣବିଜେପି ରାଜନୈତିକ ଦଳ ଚାଷୀଙ୍କ ପଛରେ ରହିଛନ୍ତି ବୋଲି କହିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।

ସେହିପରି ସିପିଆଇ (ଏମ୍)ର ବରିଷ୍ଠ ନେତା ସୀତାରାମ ୟେଚୁର ପ୍ରଧାନମନ୍ତ୍ରୀ ମୋଦିଙ୍କ ସମାଲୋଚନା କରି କହିଲେ ଯେ, ଆର୍ଏସ୍ଏସ୍ କଥାରେ ପରିଚାଳିତ ହେଉଥିବା ବିଜେପି ଦଳ ଓ ଏହାର ପ୍ରଧାନମନ୍ତ୍ରୀ ମୋଦି କେବଳ ଅଯୋଧ୍ୟା ଓ ରାମ ମନ୍ଦିରକୁ ଗୁରୁତ୍ୱ ଦେଇ ଚାଷୀମାନଙ୍କର ସମସ୍ୟାକୁ ଭୁଲିଯିବା ଅତ୍ୟନ୍ତ ବିଡମ୍ବନାର ବିଷୟ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ