Connect with us

ଓଡିଶା

କାଳିଆ ଯୋଜନା ଚାଷୀଙ୍କ ସର୍ବାଙ୍ଗୀନ ବିକାଶ କରିବ : ବିଜେଡି

କାଳିଆ ଯୋଜନା

କାଳିଆ ଯୋଜନା ଚାଷୀଙ୍କ ସର୍ବାଙ୍ଗୀନ ବିକାଶ କରିବ : ବିଜେଡି
ଭୁବନେଶ୍ୱର,୨୨ା୧ : କାଳିଆ ଯୋଜନାକୁ ନେଇ ବିରୋଧୀ ଉଠାଉଥିବା ପ୍ରଶ୍ନର ଉତର ଦେଇଛି ବିଜେଡି । ଚାଷୀମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ‘କାଳିଆ’ ଯୋଜନା ଆରମ୍ଭ କରିଛନ୍ତି । ଏହା ସେମାନଙ୍କ ହାତମୁଠା ଟାଣ କରିବ ଏବଂ ଚାଷ ଦିଗରେ ମନୋନିବେଶ କରି ଜୀବିକା ନିର୍ବାହ କରିବା ପାଇଁ ସେମାନଙ୍କୁ ଶକ୍ତି ପ୍ରଦାନ କରିବ । କେନ୍ଦ୍ର ସରକାର ମଧ୍ୟ ଏହି ଯୋଜନା ପ୍ରତି ଆକର୍ଷିତ ହୋଇ ଏଭଳି ଅନୁରୂପ ଏକ ଯୋଜନା ଆଣି ଦେଶର ଚାଷୀମାନଙ୍କୁ ବିପଦରୁ ଉଦ୍ଧାର କରିବା ପାଇଁ ବିଚାର କରୁଛନ୍ତି ।

ଏହି ଯୋଜନା କାର୍ଯ୍ୟକାରୀ କରିବା ଅତ୍ୟନ୍ତ ଜରୁରୀ ହୋଇପଡିଥିବାରୁ ସରକାର ରାଜ୍ୟ ବିପର୍ଯ୍ୟୟ ଓ ଜରୁରୀକାଳୀନ ପାଣ୍ଠି (ଓସିଏଫୟ)ରୁ ୭୩୪.୬୬ କୋଟି ଟଙ୍କା ଉଠାଇଛନ୍ତି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ବିଜେଡି ଆଇଟି ସାମ୍ମୁଖ୍ୟ ମୁଖ୍ୟ ଡ. ଅମର ପଟ୍ଟନାୟକ କହିଛନ୍ତି । ବିରୋଧୀ ଦଳଗୁଡିକ ହୀନ ଉଦ୍ଦେଶ୍ୟ ରଖି ଏବଂ ଆଇନର ବାସ୍ତବତାକୁ ନଜର ଅନ୍ଦାଜ କରି ସରକାରଙ୍କ ଉପରେ ଦୋଷ ଲଦି ଚାଲିଛନ୍ତି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଭାରତୀୟ ସମ୍ବିଧାନର ଧାରା ୨୬୭ ଅନୁସାରେ ଭାରତୀୟ ଜରୁରୀକାଳୀନ ପାଣ୍ଠି ଗଠନ ନେଇ ନିୟମ ରହିଛି । ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନକ୍ରମେ ବିନିଯୋଗ କରାଯାଇପାରିବ । ସେହିଭଳି ଧାରା ୨୦୫ ବା ୨୦୬ ଅନୁସାରେ ରାଜ୍ୟର ଅପ୍ରତ୍ୟାଶିତ ବା ଜରୁରୀକାଳୀନ ବ୍ୟୟ ନିମନ୍ତେ ରାଜ୍ୟପାଳ ଏହି ପାଣ୍ଠିରୁ ଅଗ୍ରୀମ ପ୍ରଦାନ କରିପାରିବେ । ପୂର୍ବରୁ ଓସିଏଫ୍ ଅର୍ଥ ଅନ୍ୟ ଦିଗରେ ବିନିଯୋଗ ହୋଇଛି କି ନାହିଁ, ତାହା ମଧ୍ୟ ଯାଂଚ କରିବା ଦରକାର । ଯଦି ଅତୀତର ଘଟଣାବଳିକୁ ନଜର ପକାଇବା, ତା’ହେଲେ ବର୍ତମାନ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପର ଯଥାର୍ଥତାକୁ ବିଚାର କରିପାରିବା । ‘କାଳିଆ’ ଯୋଜନା ଦ୍ୱାରା ରାଜ୍ୟ ଉପରେ ଋଣ ବୋଝ ବଢ଼ିବ ବୋଲି ବିରୋଧୀମାନେ ଯେଉଁ ବିଭ୍ରାନ୍ତିକର ଆଶଙ୍କା ସୃଷ୍ଟି କରୁଛନ୍ତି, ତାହାର କୌଣସି ମୂଲ୍ୟ ନାହିଁ । ଅନ୍ୟ ରାଜ୍ୟଗୁଡିକର ଋଣକୁ ଦେଖିଲେ, ଓଡ଼ିଶାର ଋଣବୋଝ ଅତ୍ୟନ୍ତ କମ୍ । ସେଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ପ୍ରକାଶିତ ତଥ୍ୟ ଉପରେ ଦୃଷ୍ଟି ପକାଇବା ଆବଶ୍ୟକ ।

ଆରବିଆଇ ତଥ୍ୟ ଦର୍ଶାଇଛି ଯେ ୨୦୧୬ ମାର୍ଚ୍ଚ ଶେଷ ସୁଦ୍ଧାଉତର ପ୍ରଦେଶ ସବୁଠାରୁ ଋଣୀ ରାଜ୍ୟର ଆଖ୍ୟା ପାଇଛି । ଏହି ସମୟରେ ରାଜ୍ୟ ଉପରେ ଋଣ ବୋଝ ୩,୮୫,୩୦୦ କୋଟି ଟଙ୍କା ଥିଲା ବେଳେ ମହାରାଷ୍ଟ୍ର ଉପରେ ୩,୫୧,୪୦୦ କୋଟି ଓ ପଶ୍ଚିମବଙ୍ଗ ଉପରେ ୩,୧୪,୭୦୦ କୋଟି ଟଙ୍କା ରହିଛି । ୨୦୦୭ ଆରମ୍ଭରୁ ରାଜ୍ୟଗୁଡିକ ବଜାରରୁ ବିପୁଳ ପରିମାଣର ଋଣ ହାସଲ କରିଛନ୍ତି । ବିଶେଷକରି ରାଜ୍ୟ ବିକାଶ ଋଣ (ଏସଡିଏଲ) ଆଧାରରେ ଏହି ଋଣ ହାସଲ କରାଯାଇଛି । ବିପୁଳ ଋଣ ହାସଲ କରିଥିବା ଅନ୍ୟ ୩ ରାଜ୍ୟ ମଧ୍ୟରେ ରାଜସ୍ଥାନ, ପଞ୍ଜାବ ଓ ଗୁଜରାଟ ରହିଛନ୍ତି । ତଥ୍ୟ ଅନୁସାରେ ଏସଡିଏଲ୍ ପରିମାଣ ୨୦୧୨-୧୩ରୁ ୨୦୧୭-୧୮ ମଧ୍ୟରେ ଦୁଇଗୁଣ ବୃଦ୍ଧି ପାଇଛି । ଏହାବ୍ୟତୀତ କେନ୍ଦ୍ର ସରକାରଙ୍କ ଋଣ ସଂକ୍ରାନ୍ତରେ ସଦ୍ୟତମ ଭାବେ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହା ଅତ୍ୟନ୍ତ ଚିନ୍ତାଜନକ ରହିଛି ।

ବିଶେଷକରି ସାଢ଼େ ୪ବର୍ଷ ମଧ୍ୟରେ ବା ମୋଦି ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ କେନ୍ଦ୍ର ଋଣ ପରିମାଣର ୫୦% ବୃଦ୍ଧି ପାଇ ୨୦୧୮ ସେପ୍ଟେମ୍ବର ବେଳକୁ ଏହା ୮୨,୦୩,୨୫୩ କୋଟି ଟଙ୍କାରେ ପହଂଚିଛି । ୨୦୧୪ ଜୁନ୍ ପର୍ଯ୍ୟନ୍ତ କେନ୍ଦ୍ରସରକାରଙ୍କ ଉପରେ ମୋଟ ଋଣ ପରିମାଣ ୫୪,୯୦,୭୬୩ କୋଟି ଟଙ୍କା ରହିଥିଲା । ଏହି ରିପୋର୍ଟ ଅନ୍ୟ କେଉଁ ବେସରକାରୀ ସଂସ୍ଥା ନୁହେଁ, ବରଂ ଖୋଦ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଏହି ରିପୋର୍ଟ ପ୍ରକାଶ କରିଛି ବୋଲି ମୁଖ୍ୟ ଡ. ପଟ୍ଟନାୟକ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ମୁଖପାତ୍ର ଡ. ସସ୍ମିତ ପାତ୍ର ଓ ସାଧାରଣ ସଂପାଦକ ମାନସ ମଙ୍ଗରାଜ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା