Connect with us

ଓଡିଶା

ଚୂଡାନ୍ତ ଭୋଟର ତାଲିକା ପ୍ରକାଶ

ଚୂଡାନ୍ତ ଭୋଟର ତାଲିକା ପ୍ରକାଶ
ରାଜ୍ୟରେ ୩,0୧୮,୭୮୭0 ଭୋଟର
ଭୁବନେଶ୍ୱର,୨୧ା୧ : ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା । ଆଗାମୀ ନିର୍ବାଚନରେ ରାଜ୍ୟର ମୋଟ ୩ କୋଟି ୧୮ ଲକ୍ଷ ୭୮୭ ହଜାର ଭୋଟର ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି । ଆଜି ରାଜ୍ୟ ନିର୍ବାଚନ କମିଶନ, ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ମଧ୍ୟରେ ବୈଠକ ବସି ଆଗାମୀ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହିତ କରାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ।

ଅଧିକାରୀସ୍ତରୀୟ ବୈଠକ ପରେ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୨୦୧୮ ମସିହା ସେପ୍ଟେମ୍ବର ୧ ତାରିଖରେ ପ୍ରସ୍ତୁତ କରାଯାଇଥିବା ଡ୍ରାଫ୍ଟ ଭୋଟର ତାଲିକାରେ ମୋଟ ୩ କୋଟି ୧୨ ଲକ୍ଷ ୫୨ ହଜାର ୩୩ଜଣ ଭୋଟର ଥିଲେ । ତେବେ ନାମ ସଂଯୋଗ ଓ ବାଦ ପଡିବା ପରେ ଆଜି ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଏଥିରେ ରାଜ୍ୟରେ ମୋଟା ୩ କୋଟି ୧୮ ଲକ୍ଷ ୭୮୭ ହଜାର ଭୋଟର ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ । ଫଳରେ ଡ୍ରାଫ୍ଟ ଭୋଟର ତାଲିକା ଓ ଚୂଡାନ୍ତ ଭୋଟର ତାଲିକାରେ ମୋଟ ୫ ଲକ୍ଷ ୩୯ ହଜାର ୪୫୪ ଭୋଟର ସଂଖ୍ୟା ବୃଦ୍ଧି ପାଇଛି ।

ସେହିପରି ରାଜ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ପୂର୍ବର ଡ୍ରାଫ୍ଟ ଭୋଟର ତାଲିକାରେ ଏକ ହଜାର ପୁରୁଷ ଭୋଟରଙ୍କ ତୁଳନାରେ ୯୩୪ଜଣ ମହିଳା ଭୋଟର ଥିଲେ । ମାତ୍ର ଚୂଡାନ୍ତ ଭୋଟର ତାଲିକାରେ ଏକ ହଜାର ପୁରୁଷ ଭୋଟର ତୁଳନାରେ ୯୪୬ଜଣ ମହିଳା ଥିବା ରାଜ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ଅନ୍ୟପଟେ ରାଜ୍ୟରେ ଚଳିତ ବର୍ଷ ୧୮ରୁ ୧୯ ବର୍ଷ ବୟସର ମୋଟ ୫ଲକ୍ଷ ୪୫ ହଜାର ୪୦୧ଜଣ ନୂଆ ଭୋଟର ପ୍ରଥମଥର ପାଇଁ ଭୋଟ ଦେବେ ।

ଆଗାମୀ ନିର୍ବାଚନ ପାଇଁ ବୁଥ୍ ନିର୍ଣ୍ଣୟ ଲାଗି ଏକ ମାନଦଣ୍ଡ ପ୍ରସ୍ତୁତ କରାଯାଇଛି । ଏଥିରେ ସହରାଞ୍ଚଳର ଗୋଟିଏ ବୁଥ୍ରେ ୧୪ଶହ ଭୋଟର ଓ ଗ୍ରାମାଞ୍ଚଳରେ ୧୨ଶହ ଭୋଟରଙ୍କୁ ଭୋଟ ଦେବାର ସୁଯୋଗ ମିଳିବ । ଏହି ଆଧାରରେ ଆଗାମୀ ନିର୍ବାଚନ ପାଇଁ ୩୭ ହଜାର ୬୦୬ଟି ବୁଥ୍ କରାଯିବାକୁ ସ୍ଥିର ହୋଇଛି ।

ତେବେ ଆଜି ପ୍ରକାଶିତ ଚୂଡାନ୍ତ ଭୋଟର ତାଲିକାରେ ବାଦ ପଡିଥିବା ଭୋଟର ଯଦି ସେମାନଙ୍କ ନାମ ପଞ୍ଜିକୃତ କରିବାକୁ ଚାହୁଁଥାନ୍ତି କିମ୍ବା ଭୋଟର ତାଲିକାରେ ଥିବା ନାମରେ କିଛି ସଂଶୋଧନ କରିବାକୁ ଚାହୁଁଥାନ୍ତି, ସେମାନେ ଏଥିପାଇଁ ଆସନ୍ତାକାଲି ଠାରୁ ଆବେଦନ କରିପାରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା