Connect with us

ଓଡିଶା

ଘାଟିରେ ମିନି ଟ୍ରକ୍ ଓଲଟି ୧୦ ମୃତ

ସାଙ୍କେତିକ

ଘାଟିରେ ମିନି ଟ୍ରକ୍ ଓଲଟି ୧୦ ମୃତ
କନ୍ଧମାଳ,୨୨ା୧ : ଜିଲ୍ଲାର ଦାରିଙ୍ଗବାଡି ବ୍ଳକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ନିକଟ ବଙ୍ଗରଜୁଆ ଠାରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଏକ ମିନି ଟ୍ରକ୍ ଭାରସାମ୍ୟ ହରାଇ ଘାଟି ରାସ୍ତାରୁ ତଳକୁ ଖସିପଡିବା ଫଳରେ ଏଥିରେ ସବାର ଥିବା ୫୦ରୁ ଉଦ୍ଧ୍ୱର୍ ଯାତ୍ରୀଙ୍କ ମଧ୍ୟରୁ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା । ଅପରାହ୍ନ ୫ଟା ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୦ କୁ ବୃଦ୍ଧି ପାଇଛି । ଦୁର୍ଘଟଣାରେ ଅନ୍ୟ ୩୦ ଜଣ ଯାତ୍ରୀ ଆହତ ହୋଇ ସମ୍ପ୍ରତି ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି ।

ସୂଚନା ମୁତାବକ, ଆଜି ସକାଳେ ବ୍ରାହ୍ମଣି ଗାଁ କ୍ୟାଥଲିକ ଚର୍ଚ୍ଚରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ତାଜୁଙ୍ଗି ପଂଚାୟତର କଲିଙ୍ଗ ଗ୍ରାମରୁ ପ୍ରାୟ ୫୦ରୁ ଉଦ୍ଧ୍ୱର୍ ଲୋକ ଏକ ମିନି ଟ୍ରକ୍ ନଂ ଓଆର୦୭ଡି-୧୬୧୧ ଯୋଗେ ବ୍ରାହ୍ମଣୀଗାଁ ଆଭିମୁଖେ ଆସୁଥିଲେ । ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ବ୍ରାହ୍ମଣୀଗାଁଠାରୁ ପ୍ରାୟ ଦେଢ କିଲୋମିଟର ଦୂର ବଙ୍ଗରଜୁଆ ଠାରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଗାଡିଟି ଘାଟି ରାସ୍ତାରୁ ତଳକୁ ଖସି ପଡିଥିଲା । ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ପ୍ରାଣହାନୀ ଘଟିଥିଲା । ୩୦ରୁ ଉଦ୍ଧ୍ୱର୍ ଆହତ ହୋଇଥିଲେ । ଆହତ ମାନଙ୍କୁ ପ୍ରଥମେ ବ୍ରାହ୍ମଣୀ ଗାଁ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଅନ୍ୟ ୪ ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୧୦ କୁ ବୃଦ୍ଧି ପାଇଛି ।

ଘଟଣାସ୍ଥଳରେ ସୁଲୁମାହା ଗ୍ରାମର ଦୁଇ ଭଉଣୀ ପ୍ରମିଳା ଛାଟିଆ(୩୫) ଓ ଆଲମିନା ଛଟିଆ(୧୮), ଲାଜରା ଦିଗାଲ(୪୦), ଗଦାପୁର ଗ୍ରାମର ଦୀପକ କୁମାର ନାୟକ(୧୫), କଲିଙ୍ଗର ଲିଜାରାଣି ପ୍ରଧାନ(୧୩) ଓ କସାପାଙ୍କା ଗ୍ରାମର ନସିଆ ପାଲଟା ସିଂ(୧୬)ଙ୍କ ମୃତ୍ୟୁ ଘଟିଥିଲା । ସେହିଭଳି ସୁଲୁମାହାର ସାଲିନା ଦିଗାଲ(୪୦), ସାରିଆ ବଡସେଠ(୧୭), ସ୍ନିଗ୍ଧା ବଡସେଠ(୧୨) ଓ କଲିଙ୍ଗର କାଟେଟା ପ୍ରଧାନ(୪୫)ଙ୍କର ବ୍ରହ୍ମପୁର ବଡ ମେଡିକାଲରେ ମୃତ୍ୟୁ ଘଟିଛି । ଅନ୍ୟ ଆହତମାନେ ଚିକିତ୍ସାଧିନ ଅଛନ୍ତି ।

ଫୁଲବାଣୀ ଏସଡିପିଓ ସୁରେନ୍ଦ୍ରନାଥ ମୁର୍ମୁ, ଦାରିଙ୍ଗବାଡି ଥାନା ଅଧିକାରୀ ଅଲେଖ ଗର୍ଡିଆ,ବ୍ରାହ୍ମଣୀ ଗାଁ ଥାନା ଅଧିକାରୀ ଜୟଚନ୍ଦ୍ର ମଲିକ, ଦାରିଙ୍ଗବାଡି ବିଡିଓ ତ୍ରିଲୋଚନ ପାତ୍ର, ତହସିଲଦାର ନିତିଶ ତ୍ରିପାଠୀଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି । କନ୍ଧମାଳ ଜିଲାପାଳ ଡଃ ବୃନ୍ଦା ଡି ଓ ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ବ୍ରାହ୍ମଣୀ ଗାଁ ଡାକ୍ତରଖାନାକୁ ଯାଇ ଆହତ ମାନଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଛନ୍ତି । ଜିଲାପାଳ ପ୍ରତ୍ୟେକ ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୨୫ ହଜାର ଟଙ୍କା ସହ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ।

ଆହତ ମାନଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଯଥେଷ୍ଟ ଆଶଙ୍କା ରହିଛି । ସମ୍ପୃକ୍ତ ଗାଡିଟି ଗଦାପୁର କୁନା ସାହୁଙ୍କର ବୋଲି ଜଣାପଡିଥିବା ବେଳେ ଗାଡିର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଘଟଣା ପରେ ବ୍ରାହ୍ମଣୀ ଗାଁ ସମେତ ଦାରିଙ୍ଗବାଡି ବ୍ଲକ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା