Connect with us

ଓଡିଶା

କଟକ ବାଲିଯାତ୍ରାକୁ ମିଳିବ ରାଜ୍ୟ ସ୍ତରୀୟ ମହୋତ୍ସବ ମାନ୍ୟତା

ସାଙ୍କେତିକ

ଐତିହାସିକ କଟକ ବାଲିଯାତ୍ରାକୁ ମିଳିବ ରାଜ୍ୟ ସ୍ତରୀୟ ମହୋତ୍ସବ ମାନ୍ୟତା
ଭୁବନେଶ୍ୱର, ୦୧ ନଭେମ୍ବର – କଟକର ଐତିହାସିକ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ଉତ୍ସବର ମାନ୍ୟତା ଦିଆଯିବ । ଏହି ମେଳା ପାଇଁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ବାର୍ଷିକ ୨୦ଲକ୍ଷ ଟଙ୍କାର ଅନୁଦାନ ଦେବ । ପର୍ଯ୍ୟଟନ ବିଭାଗର କ୍ୟାଲେଣ୍ଡରରେ କଟକ ବାଲିଯାତ୍ରା ସ୍ଥାନିତ ହେବା ସହିତ ବାର୍ଷିକ ୨୦ଲକ୍ଷ ଟଙ୍କା ଅନୁଦାନ ପାଇବ । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମଧ୍ୟ କଟକ ମହାନଗର ନିଗମକୁ ବାଲିଯାତ୍ରାର ଭିତିଭୂମି ବିକାଶ ନିମନ୍ତେ ପ୍ରତିବର୍ଷ ୫୦ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଚଳିତବର୍ଷ ବାଲିଯାତ୍ରାରେ ପାନୀୟଜଳ ଓ ପରିମଳ ବିଭାଗ ପକ୍ଷରୁ ୧୦୦ଟି ଅସ୍ଥାୟୀ ଶୌଚାଳୟ ଏବଂ ବିଶୁଦ୍ଧ ପିଇବାପାଣିର ବ୍ୟବସ୍ଥା ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି ।
ଶୁକ୍ରବାର ଲୋକସେବାଭବନ ଠାରେ କଟକ ବାଲିଯାତ୍ରା ସଂକ୍ରାନ୍ତରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ ମନ୍ତ୍ରୀ ଶ୍ରୀ ଜେନା ଏହା କହିଛନ୍ତି । ଏହି ବୈଠକରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉପସ୍ଥିତ ଥିଲେ ।
କଟକର ମହାନଦୀକୂଳରେ କାର୍ତିକ ପୂର୍ଣ୍ଣିମା ଠାରୁ ଅନୁଷ୍ଠିତ ହେଉଥିବା ଐତିହାସିକ, ପାରମ୍ପରିକ ଏବଂ ଉକ୍ରଳର ଗୌରବମୟ ନୌବାଣିଜ୍ୟ ପରମ୍ପରାର ସ୍ମୃତି ବହନ କରୁଥିବା ବାଲିଯାତ୍ରା ପ୍ରସ୍ତୁତି ସଂକ୍ରାନ୍ତରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ବିଭିନ୍ନ ଦୃଷ୍ଟିକୋଣରୁ ବିଚାରକରି ଏହି ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ମାନ୍ୟତା ଦେବାପାଇଁ ସ୍ଥିର ହୋଇଛି । ଏଥି ସହିତ ଏହାକୁ ଏକ ଜାତୀୟ ମେଳାର ମାନ୍ୟତା ଦେବାନେଇ ଉଦ୍ୟମ କରାଯିବ ।
ଏତଦବ୍ୟତିତ ଜଳସମ୍ପଦ, ପୂର୍ତ, ସେସୁ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମଧ୍ୟ ସମସ୍ତ ପ୍ରକାର ଆନୁଷଙ୍ଗିକ ସହଯୋଗ ଯୋଗାଇ ଦିଆଯିବ । କଟକ-ଭୁବନେଶ୍ୱର କମିଶନରେଟ ପୁଲିସ୍ ତରଫରୁ ଆଇନ ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ ଏବଂ ଅଗ୍ନିଶମ, ଓଡ୍ରାଫ ଓ ଏନଡିଆରଏଫ୍ ପକ୍ଷରୁ ମଧ୍ୟ ସହଯୋଗ ପ୍ରଦାନ କରାଯିବ । ଏହି ବାଲିଯାତ୍ରାକୁ ସରସ ସୁନ୍ଦର କରିବାପାଇଁ ରାଜ୍ୟ ସରକାରଙ୍କର କୃଷି, ପଶୁସମ୍ପଦ, ଶିଳ୍ପ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବୟନଶିଳ୍ପ ବିଭାଗ ମେଳାରେ ଅଂଶଗ୍ରହଣ କରିବେ । ଆଜିର ଏହି ବୈଠକରେ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ପର୍ଯ୍ୟଟନ ସଚିବ ବିଶାଳ ଦେବ, କେନ୍ଦ୍ରାଂଚଳ ଆରଡିସି ଅନୀଲ ସାମଲ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ପ୍ରେମ୍ କୁମାର ଝା, ଅଗ୍ନିଶମ ଅଧିକାରୀ, କଟକ ଡିସିପି, ସିଏମସି ଅଧିକାରୀଙ୍କ ସହିତ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ,ଆଗାମୀ ନଭେମ୍ବର ୧୨ ତାରିଖରୁ ମହାନଦୀର ଗଡ଼ଗଡ଼ିଆ ଘାଟ କୂଳରେ କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ ହେବ । ବାଲିଯାତ୍ରା ଏଥର ଆଠ ଦିନଧରି ଚାଲିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା