Connect with us

ଆଞ୍ଚଳିକ

“ଓଡ଼ିଶାରେ ୫୦ ହଜାର କୋଟି ଟଙ୍କାର ବିଦ୍ୟୁତ୍ ସ୍କାମ ହୋଇଛି’

ସାଙ୍କେତିକ ଚିତ୍ର

“ଓଡ଼ିଶାରେ ୫୦ ହଜାର କୋଟି ଟଙ୍କାର ବିଦ୍ୟୁତ୍ ସ୍କାମ ହୋଇଛି’
ଭୁବନେଶ୍ୱର,୧୪େ୧୦ : ଓଡିଶାରେ ୫୦ହଜାର କୋଟି ଟଙ୍କା ବିଦ୍ୟୁତ୍ ସ୍କାମ୍ ହୋଇଛି । ଓଡିଶା ଭଳି ଏକ ଗରୀବ ରାଜ୍ୟରେ ଏତେ ପରିମାଣର ଅର୍ଥର ସ୍କାମ୍ ହେବା ରାଜ୍ୟ ପାଇଁ ଦୁର୍ଭାଗ୍ୟଜନକ । ଏଥିରେ ଦୁର୍ନୀତିଗ୍ରସ୍ତ ଆଇଏଏସ୍ ଅଧିକାରୀ ଓ ବ୍ୟବସାୟୀଙ୍କ ସମ୍ପୃକ୍ତ ରହିଛି । ଏହି ସ୍କାମ୍ କରିବାରେ ସେମାନେ ସରକାରଙ୍କ ହାତବାରିସୀ ହୋଇଛନ୍ତି । ଏହା ଉପରେ ସିବିଆଇ ତଦନ୍ତ କିମ୍ବା କୋର୍ଟ ପରିଚାଳନାଧୀନ ସଂସ୍ଥା ଦ୍ୱାରା ତଦନ୍ତ କରିବାକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଦାବି କରିଛନ୍ତି ।

ରବିବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ଶ୍ରୀ ଜେନା କହିଛନ୍ତି ଯେ ଏହି ସ୍କାମ୍ ରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ୍ଷ ସମ୍ପୃକ୍ତି ରହିଛି । ଏହି ସରକାରଙ୍କ ସମୟରେ ବିଦ୍ୟୁତ୍ ପରିବହନ ଓ ବଂଟନ କ୍ଷତି ୪୧ ପ୍ରତିଶତରେ ପହଂଚିଛି । ଏହି କ୍ଷତିର ଭରଣା କରିବାପାଇଁ ବିଦ୍ୟୁତ୍ ଗ୍ରାହକଙ୍କ ଉପରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରାଯାଉଛି । ଯାହାକି ସାଧାରଣ ଗ୍ରାହକଙ୍କୁ ଶୋଷଣ । ଘରୋଇ ବିଦ୍ୟୁତ୍ କମ୍ପାନୀ ଗୁଡିକ ବିଦ୍ୟୁତ୍ ଚୋରି କରୁଛନ୍ତି । ଏହି ସ୍କାମରେ ଦୁର୍ନୀତିଗ୍ରସ୍ତ ଆଇଏଏସ୍ ଅଧିକାରୀ ଏବଂ ଶିଳ୍ପପତିମାନେ ସମ୍ପୃକ୍ତ । ଜଣେ ଆଇଏଏସ୍ ଅଧିକାରୀଙ୍କୁ ବିଦ୍ୟୁତ୍ ବିଭାଗ ସହିତ ଓପିଜିସିର ଅଧ୍ୟକ୍ଷ , ଗ୍ରୀଡକୋ ଓ ଓଟିପିଏଲର ଅଧ୍ୟକ୍ଷ ସମେତ ସମସ୍ତ ଘରୋଇ କମ୍ପାନୀର ପ୍ରଶାସକ ଦାୟିତ୍ୱରେ ରଖାଯାଇଛି । ଏହା କିପରି ସମ୍ଭବ ହୋଇପାରୁଛି ବୋଲି ପ୍ରଶ୍ନ କରିଛନ୍ତି ।

ଶ୍ରୀ ଜେନା ଅଭିଯୋଗ କରିଛନ୍ତି ଯେ ଦିଲ୍ଲୀରେ ଗଣେ ବିଦ୍ୟୁତ୍ ଗ୍ରାହକ ୪୦୦ ୟୁନିଟ୍ ବିଦ୍ୟୁତ୍ ବ୍ୟବହାର କଲେ ତାଙ୍କୁ ୟୁନିଟ୍ ପିଛା ୨ ଟଙ୍କା ହିସାବରେ ୮୦୦ ଟଙ୍କା ଦେବାକୁ ହୁଏ । ମାତ୍ର ଓଡିଶାରେ ସେହି ପରିମାଣର ବିଦ୍ୟୁତ୍ ପାଇଁ ୧୯୫୦ ଟଙ୍କା ଦେବାକୁ ପଡୁଛି । ୦ରୁ ୫୦ ୟୁନିଟ୍ ପାଇଁ୨ଟଙ୍କା ୫୦ ପଇସା , ୫୦ରୁ ୧୫୦ ୟୁନିଟ୍ ପାଇଁ ୪ଟଙ୍କା ୩୦ ପଇସା , ୧୫୦ରୁ ୨୦୦ ୟୁନିଟ୍ ପାଇଁ ୫ଟଙ୍କା ୩୦ ପଇସା ଏବଂ ୨୦୦ରୁ ୪୦୦ ପାଇଁ ୫ଟଙ୍କା ୭୦ ପଇସା ଦେବାକୁ ପଡୁଛି । ଦିଲ୍ଲୀ ଗ୍ରାହକଙ୍କ ଠାରୁ ଓଡିଶାର ଗ୍ରାହକ ୩ଗୁଣା ପଇସା ଦେଉଛନ୍ତି ।

ସାମ୍ବାଦିକମାନଙ୍କ ପ୍ରଶ୍ନର ଉତର ଦେଇ ସେ କହିଥିଲେ ଯେ ପଂଜାବ ସରକାର ବିଗତ ୩୦ ବର୍ଷ ଧରି ଚାଷୀ ମାନଙ୍କୁ ମାଗଣାରେ ବିଦ୍ୟୁତ୍ ଯୋଗାଉଛି । ଏବାବଦରେ ବର୍ଷକୁ ୧୦ ହଜାର କୋଟି ଟଙ୍କାର ସବସିଡି ଦେଉଛି । ଗରୀବ ଓ ପଛୁଆ ବର୍ଗ ଲୋକମାନଙ୍କୁ ଅଧା ଦାମରେ ବିଦ୍ୟୁତ୍ ଯୋଗାଇ ଦିଆଯାଉଛି । ଏବାବଦରେ ପଂଜାବ ସରକାର ୫ହଜାର କୋଟି ଟଙ୍କା ବହନ କରୁଛନ୍ତି । ଆନ୍ଧ୍ର ସରକାର ଚାଷୀଙ୍କୁ ମାଗଣା ବିଦ୍ୟୁତ୍ ଦେବାସହ ଏବାବଦରେ ୫ହଜାର କୋଟି ଟଙ୍କା ବହନ କରୁଛନ୍ତି । ମତ୍ସ୍ୟଚାଷୀଙ୍କୁ ବିଦ୍ୟୁତ୍ ଉପରେ ୫୦ ପ୍ରତିଶତ ରିହାତି ଦିଆଯାଉଛି । ମାତ୍ର ଓଡିଶାରେ ଗ୍ରାହକଙ୍କୁ ଅଧିକ ଦାମରେ ବିଦ୍ୟୁତ୍ ବ୍ୟବହାର କରିବାକୁ ପଡୁଛି । ଚାଷୀ ଏବଂ ବିପିଏଲ୍ ପରିବାର ମାନଙ୍କୁ ରିହାତି କିମ୍ବା ସବସିଡିର ବ୍ୟବସ୍ଥା ନାହିଁ । ଏବାବଦରେ ଓଇଆରସି ଆଖି ବନ୍ଦ କରି ବସି ରହିଛି । ମାତ୍ର କମ୍ପାନୀ ମାନଙ୍କ ପାଇଁ ରିହାତି ବ୍ୟବସ୍ଥା ରହିଛି । ଯେତେବେଳେ ଓଡିଶାରେ କୋଇଲା ଓ ପାଣିର ଦର କମ୍ ରହିଛି ସେ କ୍ଷେତ୍ରରେ ଓଇଆରସି କିପରି ଟାରିଫ୍ ବୃଦ୍ଧି କରୁଛି ତାହା ଉଦବେଗର ବିଷୟ ।

ଏସମ୍ପର୍କରେ ଓଇଆରସି ଓଡିଶାବାସୀଙ୍କୁ ସ୍ପଷ୍ଟକରଣ ଦେବା ଦରକାର । ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ କୃଷିର ଉତ୍ପାଦନ ବୃଦ୍ଧି ପାଇଁ ରଜ୍ୟ ସରକାର ଚାଷୀ ଓ ବିପିଏଲ୍ ପରିବାର ମାନଙ୍କୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣାରେ ବିଦ୍ୟୁତ୍ ଯୋଗାଇବା ଏବଂ ଦିଲ୍ଲୀ ଗ୍ରାହକଙ୍କ ଭଳି ଓଡିଶାରେ ସମାନ ଦରରେ ବିଦ୍ୟୁତ୍ ଯୋଗାଇ ଦେବାକୁ ଶ୍ରୀ ଜେନା ଦାବି କରିଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ସରକାର ବିଦ୍ୟୁତ୍ ସ୍କାମର ସିବିଆଇ ତଦନ୍ତ କରିବାପାଇଁ ସୁପାରିଶ କରିବା ଏବଂ ନିରପେକ୍ଷ ସଂସ୍ଥା ଦ୍ୱାରା ସ୍ୱତନ୍ତ୍ର ଅଡିଟ୍ କରିବାପାଇଁ ଦାବି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ