Connect with us

ଓଡିଶା

ଓଡିଶା ଛୁଇଁବନି ବାତ୍ୟା ବୁଲବୁଲ

ସାଙ୍କେତିକ

ଓଡିଶା ଛୁଇଁବନି ବାତ୍ୟା ବୁଲବୁଲ
– ଆଜିଠୁ ଉପକୂଳ ଓଡିଶାରେ ବର୍ଷା ,୮୦ରୁ ୯୦ କିମି ବେଗରେ ବହିବ ପବନ
ଭୁବନେଶ୍ୱର, ୦୭ ନଭେମ୍ବର – ସାମୁଦ୍ରିକ ବାତ୍ୟା ବୁଲବୁଲ୍ ଆସନ୍ତା ୨୪ ଘଂଟା ମଧ୍ୟରେ ଅତି ଉଗ୍ରରୂପ ଧାରଣ କରି ବଙ୍ଗୋପସାଗର ଉପର ଦେଇ ବାଲାଂଦେଶ ଓ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇବ । ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ଉପକୂଳ ଓଡ଼ିଶାର କେତୋଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ଘଂଟାକୁ ୮୦ ରୁ ୯୦ କିଲୋମିଟର ବେଗରେ ପବନ ପ୍ରବାହିତ ହେବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।
ଅପରପକ୍ଷରେ ପ୍ରଧାମନ୍ତ୍ରୀ କାର୍ଯ୍ୟାଳୟର ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଓଡିଶା , ପଶ୍ଚିମବଙ୍ଗ ଓ ଆଣ୍ଡାମାନର ଏସଆରସି , ଗୃହ ସଚିବ ଓ ମୁଖ୍ୟ ଶାସନ ସଚିବ ମାନଙ୍କ ସହ ସମ୍ଭାବ୍ୟ ବାତ୍ୟା ସମ୍ପର୍କର ଆଲୋଚନା କରିଛନ୍ତି ।
ପୂର୍ବରୁ ବାତ୍ୟା ବୁଲ୍ ବୁଲର ପ୍ରଭାବ ଓଡିଶା ଉପରେ ପଡିବ ନାହିଁ ବୋଲି କୁହାଯାଉଥିବା ବେଳେ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସଦ୍ୟତମ ସୂଚନା ଅନୁଯାୟୀ ବାତ୍ୟାର ବିେଶେଷ ନପଡିଲେ ମଧ୍ୟ ବର୍ଷା ହେବ ବୋଲି କୁହାଯାଇଛି । ଏସଆରସି କହିଛନ୍ତି ଯେ ୮ ତାରିଖ (ଶୁକ୍ରବାର) ଠାରୁ ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଏବଂ କଟକ ଜିଲ୍ଲାର କେତେକ ଅଂଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୯ ତାରିଖ ଦିନପୁରୀ , କେନ୍ଦ୍ରାପଡା, ଜଗତସିଂହପୁର,କଟକ, ମୟୂରଭଞ୍ଜ, ବାଲେଶ୍ୱର ଏବଂ ଯାଜପୁର ଜିଲ୍ଲାର କିଛି ଅଂଚଳରେ ମଧ୍ୟ ପ୍ରବଳ ବୃଷ୍ଟିପାତର ସମ୍ଭାବନା ରହିଛ । ଏହି ସମୟ ମଧ୍ୟରେ ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ଘଂଟା ପ୍ରତି ୮୦ ରୁ ୯୦ କିଲୋମିଟର ବେଗରେ ପବନ ପ୍ରବାହିତ ହେବାର ସମ୍ଭାବନା ରହିଛି । ୧୦ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ବର୍ଷା ଓ ପବନ ଯୋଗୁଁ ଉପକୂଳ ଓଡିଶାରେ ଥିବା କଚ୍ଚା ଘର , ଗଛ ପ୍ରଭାବିତ ହୋଇପାରେ । ବିଦ୍ୟୁତ୍ ଓ ଟେଲିଫୋନ୍ ଯୋଗାଯୋଗ ମଧ୍ୟ ଆଂଶିକ ଭାବେ ପ୍ରଭାବିତ ହୋଇପାରେ । ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରେ ଓଡ୍ରାଫ୍ ଓ ଏନଡିଆରଏଫ୍ ଟିମ୍ ପହଂଚି ସାରିଛନ୍ତି । ବାତ୍ୟା ସମୟରେ ଘରୁ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।
ବାତ୍ୟା ବୁଲବୁଲ୍ ପାରାଦୀପଠାରୁ ୭୦୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ଉତର-ଉତରପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ଯିବ । ଏହା ଓଡ଼ିଶା ଉପକୂଳଠୁ ୧୧୦ କିମି ଦୂରରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି । ତେଣୁ ସତର୍କତା ସ୍ୱରୂପ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ବାରଣ କରାଯିବା ସହ ଚାଷୀ ମାନଙ୍କୁ ଫସଲର ସୁରକ୍ଷା ପାଇଁ ପରାମର୍ଶ ଦିଆଯାଇଛି ।ଯେଉଁମାନେ ସମୁଦ୍ରକୁ ମାଛମାରି ଯାଇଛନ୍ତି, ସେମାନେ ଫେରିଆସିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ରାଜ୍ୟର ସମସ୍ତ ବନ୍ଦରରେ ୨ ନମ୍ବର ବିପଦ ସଙ୍କେତ ଦିଆଯାଇଛି ।
ଏହା ବ୍ୟତୀତ ଚାଷୀ ମାନେ ଅମଳ ହୋଇଥିବା ଫସଲକୁ ଘୋଡାଇ ରଖିବାକୁ କୁହାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା