Connect with us

ଓଡିଶା

ଉତ୍କଳଗୌରବ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳିତ

ସାଙ୍କେତିକ

ଉତ୍କଳଗୌରବ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳିତ
– ସାରା ଓଡ଼ିଆ ଜାତି ମଧୁବାବୁଙ୍କୁ ପ୍ରାଣଭରି ଶ୍ରଦ୍ଧାଞ୍ଜଳି ଜଣାଏ
ଭୁବନେଶ୍ୱର, ୦୪ ଫେବୃଆରୀ – ସାରା ଓଡ଼ିଆ ଜାତି ଉତ୍କଳଗୌରବ ମଧୁସୂଦନଙ୍କୁ ପ୍ରାଣଭରି ଭଲ ପାଆନ୍ତି । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଭିତି ମାନଚିତ୍ର ତାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ଓ ସେ ତତ୍‌କାଳୀନ ଭାଇସରାୟ ଲର୍ଡ କର୍ଜନଙ୍କୁ ସିମଳାରେ ସାକ୍ଷାତ କରି ଓଡ଼ିଶା ସଂପର୍କରେ ଅବଗତ କରାଇବା ପରେ କର୍ଜନ ଓଡ଼ିଶା ଆସିଥିଲେ । ମଧୁବାବୁଙ୍କ କୃତି ଓ କୃତିତ୍ୱ ପାଇଁ ଓଡ଼ିଆ ଜାତି ତାଙ୍କୁ ହୃଦୟର ସହିତ ସବୁଦିନ ପାଇଁ ଶ୍ରଦ୍ଧାଞ୍ଜଳି ଜଣାଉଥିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।
ଆଜି ସନ୍ଧ୍ୟାରେ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଉତ୍କଳ ସମ୍ମିଳନୀର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ଅବସରରେ ଅତିଥିମାନେ ମଧୁବାବୁଙ୍କ ଘଟଣାବହୁଳ ଜୀବନ ତଥା ଓଡ଼ିଶାର ସମୃଦ୍ଧି ପାଇଁ ତାଙ୍କର ବହୁମୁଖୀ ଅବଦାନ ଉପରେ ଆଲୋକପାତ କରି ମଧୁବାବୁଙ୍କ ଉଦ୍ଦେଶ୍ୟରେ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଓଡ଼ିଶା ସରକାରଙ୍କ ଲୋକସଂପର୍କ ଓ ଗଣମାଧ୍ୟମ ଉପଦେଷ୍ଟା ଶ୍ରୀ ମାନସ ମଙ୍ଗରାଜ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୁଳବୃଦ୍ଧ ଉତ୍କଳଗୌରବ ମଧୁସୂଦନଙ୍କ ସ୍ମରଣ ବିନା ଏକ ସମୃଦ୍ଧ ଓଡ଼ିଶାର ଚିତ୍ର କଳ୍ପନା କରିହେବ ନାହିଁ ବୋଲି ଉଲ୍ଲେଖ କରିଥିବାବେଳେ ମଧୁବାବୁ ଉତ୍କଳ ସମ୍ମିଳନୀକୁ ନୂତନ ଦିଗ୍‌ଦର୍ଶନ ଦେଇ ସ୍ୱତନ୍ତ୍ର ପ୍ରଦେଶ ଗଠନରେ ଏହାର ଭୂମିକାକୁ ପ୍ରଭାବଶାଳୀ କରିଥିଲେ ବୋଲି କହିଥିଲେ । ଆଜିର ପିଢ଼ି ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଶ୍ରୀ ମଙ୍ଗରାଜ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି “ଓଡ଼ିଶା ରଭିୟୁ” ଓ “ଉତ୍କଳ ପ୍ରସଙ୍ଗ” ର ସଂପାଦକ ଡ. ଲେନିନ୍ ମହାନ୍ତି କହିଲେ ଯେ, ମଧୁବାବୁ ଓଡ଼ିଆ ଜାତିକୁ ସ୍ୱପ୍ନର ଭାଷା ଶିଖାଇଛନ୍ତି । ତାଙ୍କର ଜାତିପ୍ରୀତି, ଉଚ୍ଚାଭିଳାଷ ଓ ପ୍ରଗତିମନ୍ତ୍ର ଆଜି ମଧ୍ୟ ପ୍ରାସଙ୍ଗିକ ହୋଇ ରହିଛି । ଉତ୍କଳଗୌରବ ସ୍ୱପ୍ନର ବିଭିନ୍ନ ସଫଳ ରୂପାୟନ ଫଳରେ ଆଜି ଓଡ଼ିଆ ଜାତି ଦେଶବିଦେଶରେ ପ୍ରଶଂସିତ ହେଉଛି ବୋଲି ଡ. ମହାନ୍ତି କହିଥିଲେ । ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଶ୍ରୀ ଅରୁଣ କୁମାର ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗଦେଇ ଉତ୍କଳଗୌରବଙ୍କ ଜୀବନୀ ଉପରେ ବିଶଦ ଭାବରେ ବକ୍ତବ୍ୟ ରଖିଥିଲେ ।
ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ଓ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ ପରେ “ସୁରବିତାନ” ର ଶିଳ୍ପୀବୃନ୍ଦ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ସୂଚନା ଓ ଲେ।କ ସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ସ୍ୱାଗତ ଭାଷଣ କ୍ରମେ ମଧୁବାବୁ ବିଭିନ୍ନ ପ୍ରତିକୂଳତା ସହ ସଂଗ୍ରାମ କରି ସ୍ୱାଭିମାନର ବାର୍ତ୍ତା ଦେଇଛନ୍ତି ବୋଲି ଉଲ୍ଲେଖ କରିଥିଲେ ।
ଏହି ଅବସରରେ ପୂର୍ବରୁ ଆୟୋଜିତ ଆନ୍ତଃବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ନିରଞ୍ଜନ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଅଧିକାରୀ ଶ୍ରୀ ସଚ୍ଚିଦାନନ୍ଦ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶେଷରେ ଉଦ୍‌ଯାପନୀ ସଂଗୀତ ପରିବେଷଣ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା