Connect with us

ଆଞ୍ଚଳିକ

ଆଦିବାସୀମେଳା ୯ମ ସଂଧ୍ୟାରେ ୫୫ଲକ୍ଷ ଟଙ୍କାର ବ୍ୟବସାୟ

ସାଙ୍କେତିକ

ଆଦିବାସୀମେଳା ୯ମ ସଂଧ୍ୟାରେ ୫୫ଲକ୍ଷ ଟଙ୍କାର ବ୍ୟବସାୟ
– ଆକର୍ଷଣ ସାଜିଛି ଜନଜାତି ଚିତ୍ରକଳା
ଭୁବନେଶ୍ୱର, ୪ ଫେବୃଆରୀ – ସାଧାରଣତନ୍ତ୍ର ଦିବସରୁ ଆରମ୍ଭ ହୋଇଥିବା ଆଦିବାସୀ ମେଳାର ୯ମ ସଂଧ୍ୟାରେ ୫୫ଲକ୍ଷ ଟଙ୍କାରୁ ଅଧିକ କାରବାର ହୋଇଥିବାବେଳେ ପୂର୍ବଦିନ ଭଳି ଜାତୀୟ ଜନଜାତି ଖାଦ୍ୟମେଳା ଓ ଆଦିବାସୀ ହାଟରେ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଛି । ତେବେ ଜନଜାତି କଳାକାରଙ୍କ ଚିତ୍ରକଳା ପ୍ରଦର୍ଶନ ସବୁଠାରୁ ଅଧିକ ଆକର୍ଷଣୀୟ ହୋଥିବା ଦେଖିବାକୁ ମିଳିଛି । ଜନଜାତି କଳାକାରମାନେ ମେଳା ପରିସରରେ ପ୍ରଥମଥର ପାଇଁ ଆୟୋଜିତ ଜନଜାତି କଳା ପ୍ରଦର୍ଶନ ମଣ୍ଡପରେ ତିଆରି କରୁଥିବା ଚିତ୍ରକଳାକୁ ନିକଟରୁ ଦେଖିବାପାଇଁ ଲୋକଙ୍କର ଅସମ୍ଭବ ଭିଡ ପରିଲକ୍ଷିତ ହେଉଛି । ଲୋକେ ପାଖରୁ ଜନଜାତି କଳାକାରଙ୍କ କଳାନୈପୂଣ୍ୟ ଦେଖିବା ସହିତ ନିଜ ମନ ପସନ୍ଦର ଚିତ୍ରକଳା ଗୁଡିକ କିଣି ନେଉଛନ୍ତି । ବିଦେଶୀ ଦର୍ଶକମାନେ ମଧ୍ୟ ଏହା କିଣୁଥିବା ଦେଖିବାକୁ ମିଳିଛି ।
ନବମ ସଂଧ୍ୟାରେ ଆଇ.ଟି.ଡି.ଏ. ରାଇରଙ୍ଗପୁରର ସାନ୍ତାଳୀ ନୃତ୍ୟ, ଭୂମିଜ ନୃତ୍ୟ, ଆଇ.ଟି.ଡି.ଏ. ସୁନ୍ଦରଗଡ଼ର ଓରାଓଁ ନୃତ୍ୟ, କିସ୍‌ର କୁନି କୁନି ଆଦିବାସୀ ପିଲାମାନଙ୍କର ନୃତ୍ୟ ମେଳାର ସଂଧ୍ୟାକୁ ମନୋମୁଗ୍ଧକର କରିଥିଲା । ମେଳାକୁ ପ୍ରବେଶ କରୁଥିବା ଦର୍ଶକମାନେ ପ୍ରଥମେ କିଛି ସମୟପାଇଁ ନୃତ୍ୟମଣ୍ଡପ ନିକଟରେ ଅଟକି ଯାଉଥିଲେ । ଜନଜାତି କଳାକାରଙ୍କ ପାରମ୍ପରିକ ବାଦ୍ୟର ତାଳେ ତାଳେ ଆଦିବାସୀ ରମଣୀଙ୍କ ନୃତ୍ୟ ଦର୍ଶକଙ୍କ ହୃଦୟକୁ ଜିଣି ନେଇଥିଲା । ସେହିଭଳି ଦର୍ଶକମାନେ ଆଦିବାସୀ ମେଳାରୁ ଅଳଙ୍କାର, ଫୁଲ ଝାଡ଼ୁ, ପାମ୍ପଡ଼, ବଢ଼ି, ଆଚାର, ମାଣ୍ଡିଆ ମିଶ୍ଚର, ମସଲା ଜାତ ଦ୍ରବ୍ୟ, ବିଭିନ୍ନ ପ୍ରକାର ଗୃହ ସାମଗ୍ରୀ ସହିତ ବାଉଁଶ ତିଆରି ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ବିପୁଳ ପରିମାଣରେ ଖରିଦ କରିଥିଲେ । ଦର୍ଶକଙ୍କ ଗହଳି ସହିତ ମେଳାରେ ବ୍ୟାପକ ବିକ୍ରିବଟା ଯୋଗୁଁ ନବମ ସଂଧ୍ୟାରେ ୫୫ଲକ୍ଷ ୭୭ହଜାର ଟଙ୍କାର ବ୍ୟବସାୟ ହୋଇଥିବାବେଳେ ଏଥି ମଧ୍ୟରେ ଖାଦ୍ୟ ମେଳାରେ ୯ଲକ୍ଷ ଓ ଆଦିବାସୀ ହାଟରେ ସାଢେ ୪ଲକ୍ଷ ଟଙ୍କାର କାରବାର ହୋଇଥିବା ମେଳା ଦାୟିତ୍ୱରେ ଥିବା ରାଜ୍ୟ ଜାତି ଓ ଜନଜାତି ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ