Connect with us

ଓଡିଶା

ଆରମ୍ଭ ହେଲା ମୋ ସରକାର କାର୍ଯ୍ୟକ୍ରମ

ସାଙ୍କେତିକ

ଆରମ୍ଭ ହେଲା ମୋ ସରକାର କାର୍ଯ୍ୟକ୍ରମ
ଲୋକଙ୍କ ସହ ସିଧା କଥା ହୋଇ ମତାମତ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୦୨ ଅକ୍ଟୋବର – ପ୍ରଶାସନିକ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଓ ବ୍ୟାପକ ପରିବର୍ତନର ବାର୍ତାବହ ହୋଇଥିବା ବହୁ ପ୍ରତିକ୍ଷିତ ମୋ ସରକାର କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରୁ ୮ ଜଣ ଲୋକଙ୍କ ସହ ଫୋନ ଯୋଗେ ସିଧାସଳଖ କଥା ହୋଇ ଥାନା ଓ ଡାକ୍ତରଖାନାରେ ମିଳୁଥିବା ସେବା ଓ ବ୍ୟବସ୍ଥା ସମ୍ପର୍କରେ ମତାମତ ଲୋଡ଼ିଥିଲେ । ମୋ ସରକାର ପୋର୍ଟାଲରୁ ବିକ୍ଷିପ୍ତ ଭାବେ ସଂଗୃହୀତ ନମ୍ବରକୁ ସେ ଫୋନ୍ କରିଥିଲେ । ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ଥାନା ଓ ଡାକ୍ତରଖାନା ସମ୍ପର୍କରେ ସେମାନଙ୍କ ମତାମତ ଦେଇଥିଲେ ଏବଂ ଏଭଳି ଅଭିନବ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ପରେ ସେ କ୍ୟାପିଟାଲ ହସ୍ପିଟାଲ ଓ ସହିଦ ନଗର ଥାନାକୁ ଯାଇ ମୋ ସରକାର ଲୋଗ ଏବଂ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ବାର୍ତା ସମ୍ବଳିତ ଫଳକ ଉନ୍ମୋଚନ କରିଥିଲେ ।

ଆଜିଠାରୁ ରାଜ୍ୟର ସମସ୍ତ ପୋଲିସ ଥାନା ଓ ୨୧ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବଂ କଟକ, ବ୍ରହ୍ମପୁର ଓ ସମ୍ବଲପୁର ମେଡ଼ିକାଲ କଲେଜରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଅକ୍ଟୋବର ୩୦ ତାରିଖ ସୁଦ୍ଧା ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା କାର୍ଯ୍ୟକ।।ରୀ ବେହ । ୨୦୨୦ ମାର୍ଚ୍ଚ ୫ ସୁଦ୍ଧା ରାଜ୍ୟର ସବୁ ବିଭାଗରେ ଏହା କାର୍ଯ୍ୟକାରୀ ହେବ । ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୧୫ ସ୍ୱାଧିନତା ଦିବସ ଦିନ ମୁଖ୍ୟମନ୍ତ୍ରୀ ମୋ ସରକାର କାର୍ଯ୍ୟକ୍ରମ ବିଷୟରେ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ, ସରକାରୀ କାର୍ଯ୍ୟାଳୟକୁ ବିଭିନ୍ନ ସେବା ପାଇଁ ଆସୁଥିବା ଲୋକମାନଙ୍କୁ ଉତମ ବ୍ୟବହାର ପ୍ରଦର୍ଶନ ସହ ସେବା ଯୋଗାଇଦେବା । କାରଣ ଗଣତନ୍ତ୍ରରେ ଜନସାଧାରଣ ହେଉଛନ୍ତି ପ୍ରକୃତ ମାଲିକ ଓ ସରକାରୀ କର୍ମଚାରୀ ମାନେ ହେଉଛନ୍ତି ସେବକ ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ କାର୍ଯ୍ୟାଳୟକୁ ଆସୁଥିବା ଜନମତ ବିକ୍ଷିପ୍ତ ଭାବରେ ସଂଗ୍ରହ କରାଯିବ । ଏହା ଏକ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ନୁହେଁ । କେବଳ ସରକାରୀ କର୍ମଚାରୀଙ୍କର ବ୍ୟବହାର ବୃଦ୍ଧି ସହ ମତାମତ ଗ୍ରହଣ କରାଯାଇ ବ୍ୟବସ୍ଥାର ଉନ୍ନତି ଆଣିବା ମୂଳ ଲକ୍ଷ୍ୟ । ବ୍ୟବସ୍ଥାରେ ଉନ୍ନତି ହିଁ ଜନ ସାଧାରଣଙ୍କ ଜୀବନର ଦିଗଦର୍ଶନ ଆଣିପାରିବ । ସରକାରୀ ଅନୁଷ୍ଠାନକୁ କାମ ପାଇଁ ଆସୁଥିବା ସବୁ ବ୍ୟକ୍ତିଙ୍କ ଟେଲିଫୋନ ନମ୍ବର ପଂଜୀକରଣ କରାଯିବ ଏବଂ ୨୪ ଘଂଟା ମଧ୍ୟରେ ସେ ବାବଦରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଫୋନକୁ ଏସଏମଏସ କରାଯିବ । ଯଦି ଏହା ନ ଯାଏ କିମ୍ବା ତାଙ୍କ ନମ୍ବର ପଂଜୀକୃତ ହୋଇନଥାଏ ତେବେ ସମ୍ପୃକ୍ତ ବ୍ୟକ୍ତି ୧୪୫୪୫ ନମ୍ବରକୁ ମିସ୍ କଲ କରି ନିଜର ଟେଲିଫୋନ ନମ୍ବରକୁ ପଂଜିକୃତ କରିପାରିବେ ।

ମୋ ସରକାର ପୋର୍ଟାଲକୁ ବିକ୍ଷିପ୍ତ ଭାବରେ ଟେଲିଫୋନ ନମ୍ବର ସଂଗ୍ରହ କରାଯିବ ଏବଂ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ଥାନା କ୍ଷେତ୍ରରେ ପୋଲିସ ମହାନିର୍ଦ୍ଦେଶକ ଏବଂ ଚିକିତ୍ସା ସୁବିଧା ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ, ସଚିବ ଓ ନିର୍ଦ୍ଦେଶକକଙ୍କୁ ଫୋନ୍ କରି ଜନ ସାଧାରଣଙ୍କ ମତାମତ ଲୋଡ଼ିବେ । ଏହି ମତାମତ ଭିତିରେ ସମ୍ପୃକ୍ତ ଥାନା ବା ଡାକ୍ତରଖାନାର କର୍ମଚାରୀ ମାନଙ୍କୁ ଭଲ ଓ ଖରାପ ର‌୍ୟାଙ୍କ ଦିଆଯିବ । ଭଲ ର‌୍ୟାଙ୍କ ପାଇଥିବା କର୍ମଚାରୀଙ୍କୁ ଆଗୁଆ ଓ ଖରାପ ର‌୍ୟାଙ୍କ ପାଇଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସରକାରୀ କାର୍ଯ୍ୟାଳୟ ବ୍ୟବସ୍ଥା ଏବଂ କର୍ମଚାରୀଙ୍କ ବ୍ୟବହାର ସମ୍ପର୍କରେ ନକରାତ୍ମକ ମତାମତ ଦେଇଥିବା ବ୍ୟକ୍ତି ମାନଙ୍କର ନାମ ଗୋପନ ରଖାଯିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା