Connect with us

ଓଡିଶା

ଆନ୍ଧ୍ର ଓ କର୍ଣ୍ଣାଟକ ଭୋଟରଙ୍କୁ ମନାଇବା ପ୍ରୟାସ: ବଳି ପଡିଲା ଓଡ଼ିଶାର ସ୍ୱାର୍ଥ – ନିରଂଜନ

ସାଙ୍କେତିକ

ଆନ୍ଧ୍ର ଓ କର୍ଣ୍ଣାଟକ ଭୋଟରଙ୍କୁ ମନାଇବା ପ୍ରୟାସ: ବଳି ପଡିଲା ଓଡ଼ିଶାର ସ୍ୱାର୍ଥ – ନିରଂଜନ
ଭୁବନେଶ୍ୱର,୧୯ ମାର୍ଚ୍ଚ – ଆଗାମୀ ନିର୍ବାଚନରେ ଆନ୍ଧ୍ରପ୍ରଦେଶରେ ନିଜର ପାଦ ଥାପିବାକୁ ସମସ୍ତ ଉଦ୍ୟମ କରୁଥିବା ଭାରତୀୟ ଜନତା ପାର୍ଟି ବିଶାଖାପାଟଣାରେ ଏକ ନୂଆ ରେଳବାଇ ଜୋନ୍ ସ୍ଥାପନ କରି ଆନ୍ଧ୍ରପ୍ରଦେଶ ଭୋଟରଙ୍କୁ ମନାଇବାର ନାଟକ କରିଛି । କେନ୍ଦ୍ରର ବିଜେପି ସରକାରଙ୍କର ଏଭଳି ନିଷ୍ପତି ଓଡ଼ିଶା ପାଇଁ କାଳ ହୋଇଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଂଜନ ପଟନାୟକ କହିଛନ୍ତି ।

ଏକ ବିବୃତିରେ ସେ କହିଛନ୍ତି ଯେ, ଭାରତୀୟ ରେଳବାଇକୁ ଓଡ଼ିଶା ପଣ୍ୟ ଓ ଯାତ୍ରୀ ପରିବହନରେ ବିପୁଳ ପରିମାଣର ରାଜସ୍ୱ ଦେଇଆସୁଥିବାବେଳେ ଏହାକୁ ଦୀର୍ଘକାଳ ଧରି ଦକ୍ଷିଣ ପୂର୍ବ ରେଳପଥ ଅଧୀନରେ ରଖାଯାଇ ଅବହେଳିତ ଅବସ୍ଥାରେ ରଖାଯାଇଥିଲା । ବହୁ ଦାବି ଆନ୍ଦୋଳନ ପରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ପୂର୍ବତଟ ରେଳ ଜୋନ୍ ସ୍ଥାପନ କରିବାକୁ ନିଷ୍ପତି ନେଲେ । ୧୯୯୬ରେ ଜଣେ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟିଙ୍କୁ ନିଯୁକ୍ତ କରାଯାଇ ପ୍ରଥମେ ଖୋର୍ଦ୍ଧାରୋଡ ଡିଭିଜନକୁ ଏହା ଅଧୀନକୁ ଅଣାଯାଇଥିଲା । ପରେ ୨୦୦୩ ଏପ୍ରିଲ ୧ ତାରିଖରେ ଓଡ଼ିଶାରେ ପୂର୍ବତଟ ରେଳପଥ ନାମରେ ଏକ ନୂଆ ଜୋନ୍ ସ୍ଥାପନ କରାଯାଇଥିଲା ଏବଂ ସେଥିରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡର କିଛି ଅଂଚଳକୁ ସାମିଲ କରାଯାଇଥିଲା । କିନ୍ତୁ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ସରକାର ଆସିବାପରେ ପୂର୍ବତଟ ରେଳପଥକୁ ଦୁର୍ବଳ କରିବାର ଚକ୍ରାନ୍ତ ଆରମ୍ଭ ହୋଇଗଲା । ଏବେ ଆନ୍ଧ୍ରପ୍ରଦେଶରେ ବିଜେପି ନିଜର ପାଦ ରଖିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କୁ ମନାଇବା ଉଦ୍ୟମରେ ଦକ୍ଷିଣ ତଟ ରେଳପଥ ନାମରେ ନୂଆ ଜୋନ୍ ସ୍ଥାପନ କରିଛି । ସେଥିପାଇଁ ପୂବତଟ ରେଳପଥରୁ ୱାଲଟିୟର ଡିଭିଜନକୁ ପୃଥକ କରାଯାଇ ଦକ୍ଷିଣ ତଟ ଜୋନକୁ ନିଆଯାଇଛି । ତାହାକୁ ବିଜୟୱାଡା ଡିଭିଜନ ଅଧୀନରେ ରଖାଯାଇଛି । ଏହା ଓଡ଼ିଶାର ସ୍ୱାର୍ଥ ପରିପନ୍ଥୀ ଏବଂ ଓଡ଼ିଆଙ୍କ ସ୍ୱାଭିମାନକୁ ଶକ୍ତ ଧକ୍କା ବୋଲି ନିରଂଜନ ଅଭିଯୋଗ କରିବା ସହିତ ଓଡ଼ିଶାରୁ କେନ୍ଦ୍ରରେ ଥିବା ଦୁଇ ମନ୍ତ୍ରୀ ଏବଂ ରାଜ୍ୟ ବିଜେପି ନେତୃବୃନ୍ଦ ତାହାକୁ ପୂର୍ଣ୍ଣ ସମର୍ଥନ କରୁଥିବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ଛୋଟ ଛୋଟ ଘଟଣାରେ ତୁମ୍ବିତୋଫାନ କରୁଥିବା ବିଜେପି ନେତୃବୃନ୍ଦ ଏହି ପ୍ରସଙ୍ଗ ଉପରେ ମୁହଁ ଖୋଲୁନାହାନ୍ତି । ଅନୁରୂପ ଭାବେ ଅଣବିଜେପି ଶାସିତ ରାଜ୍ୟ କର୍ଣ୍ଣାଟକ ଭୋଟରଙ୍କୁ ମନାଇବାକୁ ଓଡ଼ିଶାରେ ଥିବା ରେଳବାଇ ବିଦ୍ୟୁତକରଣ ପ୍ରକଳ୍ପ କାର୍ଯ୍ୟାଳୟ ବେଙ୍ଗାଲୁରୁ ଉଠାଇନେବାକୁ ନିଷ୍ପତି ହୋଇଛି । ଚଳିତ ମାସ ୩୧ରେ ଭୁବନେଶ୍ୱରସ୍ଥିତ ଅଫିସ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇ ତାହାକୁ ବେଙ୍ଗାଲୁରୁ ସ୍ଥାନାନ୍ତର କରାଯାଉଛି ।
ଶ୍ରୀ ପଟନାୟକ କହିଛନ୍ତି ଯେ ଭୁବନେଶ୍ୱରସ୍ଥିତ ରେଳବାଇ ବିଦ୍ୟୁତୀକରଣ କାର୍ଯ୍ୟାଳୟ ଅଧୀନରେ ୪ଟି ବିଦ୍ୟୁତକରଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିଲା, ଯାହାର ପ୍ରକଳ୍ପ ମୂଲ୍ୟ ୩୫୦ କୋଟି ଟଙ୍କା । ଏବେ ଭୁବନେଶ୍ୱର ପ୍ରକଳ୍ପଗୁଡିକର କାର୍ଯ୍ୟ ଦାନାପୁର କାର୍ଯ୍ୟାଳୟ ଦେଖାଶୁଣା କରିବ । ଫଳରେ ଉକ୍ତ ପ୍ରକଳ୍ପଗୁଡିକର ଭବିଷ୍ୟତ ଅନିଶ୍ଚିତ ହୋଇପଡିଛି ବୋଲି ପିସିସି ସଭାପତି ଶ୍ରୀ ପଟନାୟକ କହିବା ସହିତ ପ୍ରତ୍ୟେକ ଓଡ଼ିଆ କେନ୍ଦ୍ରର ଏଭଳି ବୈମାତୃକ ମନୋଭାବର ଦୃଢ ବିରୋଧ କରିବା ଏବଂ ଆଗାମୀ ନିର୍ବାଚନରେ ଏହାର ଉପଯୁକ୍ତ ଜବାବ ଦେବାକୁ ଆହ୍ୱାନ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା