Connect with us

ଓଡିଶା

ଆଜି ୧୩୦୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

କାଉଣ୍ଟିଙ୍ଗ ଏଜେଣ୍ଟ ମତଗଣନା କେନ୍ଦ୍ରକୁ ଯିବାପାଇଁ ପ୍ରସ୍ତୁତ

ଆଜି ୧୩୦୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ
ଭୁବନେଶ୍ୱର,୨୨ ମଇ – ଗୁରୁବାର ସାଧାରଣ ନିର୍ବାଚନ ଭୋଟ୍ ଗଣତି । ସରକାର ଗଠନ ପାଇଁ କାଉଂଟଡାଉନ୍ ଆରମ୍ଭ ହୋଇ ସାରିଥିବା ବେଳେ ନେତାଙ୍କ ଛାତି ଧଡ୍ ଧଡ୍ ହେଉଛି । ତେବେ ହାତୀ କାହା ମୁଣ୍ଡରେ ସୁନା କଳସୀ ଢାଳିବ ତାହା ଆସନ୍ତାକାଲିର ଫଳାଫଳ ହିଁ ନିର୍ଣ୍ଣୟ କରିବ ।
୪ ଟି ପର୍ଯ୍ୟାୟରେ ରାଜ୍ୟର ମୋଟ୍ ୨୧ ଟି ଲୋକସଭା ଓ ୧୪୬ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଛି । ଇଭିଏମ୍ ରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇସାରିଛି । ଗୁରୁବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ଏଥି ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତି ସରିଛି । ଓଡିଶାର ୬୩ଟି କେନ୍ଦ୍ରରେ ଭୋଟ୍ ଗଣତି କରାଯିବ । ଅନୁଗୋଳ ଜିଲ୍ଲାରେ ସର୍ବାଧିକ ୫ଟି, ସୁନ୍ଦରଗଡ଼, ମୟୁରଭଞ୍ଜ, ଓ ଗଞ୍ଜାମ ଜିଲ୍ଲାରେ ୪ଟି ଲେଖାଁଏ ଭୋଟଗଣନା କେନ୍ଦ୍ର ସ୍ଥାପନ କରାଯାଇଛି । ସେହିପରି ଭୁବନେଶ୍ୱର ବିଜେପି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର-ଉତର, ଏକାମ୍ର-ଭୁବନେଶ୍ୱର ଏବଂ ଜଟଣୀ ବିଧାନସଭା ଆସନର ଭୋଟ ଗଣନା କରାଯିବ । ସେହିପରି କଟକ ଭୁବନାନନ୍ଦ ଇଂଜିନୟରିଂ ସ୍କୁଲରେ କଟକର ୬ଟି ବିଧାନସଭା ଆସନର ଭୋଟ ଗଣନା କରାଯିବା ନେଇ ବନ୍ଦୋବସ୍ତ କରାଯାଇଛି । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ୭ଟି ଟେବୁଲରେ ଉଭୟ ବିଧାନସଭା ଓ ଲୋକସଭା ପାଇଁ ଭୋଟ ଗଣତି ହେବ ।
ସେହିପରି ପ୍ରତ୍ୟେକ କେନ୍ଦ୍ରରେ ୯ ଜଣ ଗଣତି ଏଜେଂଟ ରହିବେ । ଜଣେ ଏଜେଂଟ କେନ୍ଦ୍ରୀୟ ଟେବୁଲରେ ଏବଂ ପୋଷ୍ଟାଲ ବାଲଟ ଗଣତି ପାଇଁ ଜଣେ ଲେଖାଏଁ ଏଜେଂଟ ରହିବେ । ପୋଷ୍ଟାଲ ବାଲଟ୍ ଗଣତି ପାଇଁ ସର୍ବାଧିକ ସମୟସୀମା ୩୦ ମିନିଟ୍ ରହିଛି । ସେହିପରି ପ୍ରତ୍ୟେକ ରାଉଣ୍ଡ ଗଣତି ପାଇଁ ୨୦ ମିନିଟ୍ ଧାର୍ଯ୍ୟ କରାଯାଇଛି ।
ଭୋଟ୍ ଗଣତି କେନ୍ଦ୍ର ମାନଙ୍କରେ ପୋଲିସ୍ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଚଳିତ ସାଧାରଣ ନିର୍ବାଚନରେ ୧୪୬ ବିଧାନସଭା ଆସନ ପାଇଁ ୧୧୨୭ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ୨୧ ଟା ଲୋକସଭା ଆସନ ପାଇଁ ୧୭୪ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା