Connect with us

ଓଡିଶା

ଆଜି ବଲାଙ୍ଗିର ଆସୁଛନ୍ତି ପ୍ରଧାନମନ୍ତ୍ରୀ

ସାଙ୍କେତିକ

ଆଜି ବଲାଙ୍ଗିର ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର,୧୪ା୧: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫ ଜାନୁଆରୀ ୨୦୧୯ରେ ଓଡ଼ିଶାର ବଲାଙ୍ଗିର ଗସ୍ତ କରିବେ । ସଂକ୍ଷିପ୍ତ ଗସ୍ତ କାଳରେ ସେ ଝାରସୁଗୁଡ଼ା ଠାରେ ବହୁମୂଖି ଲଜିଷ୍ଟିକ ପାର୍କ ଏବଂ ଅନ୍ୟ ବିକାଶମୂଳକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିବେ । ପ୍ରଧାନମନ୍ତ୍ରୀ ବଲାଙ୍ଗିରରୁ ବିଛୁପାଲି ମଧ୍ୟରେ ନୂଆ ରେଳଲାଇନର ଉଦଘାଟନ କରିବେ । ସୋନପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କୋଠା ନିର୍ମାଣ ପାଇଁ ସେ ଶିଳାନ୍ୟାସ କରିବେ । ୧୦୦ କୋଟି ଟଙ୍କା ବିନିଯୋଗରେ ଝାରସୁଗୁଡ଼ା ଠାରେ ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କ ନିର୍ମାଣ କରାଯାଇଛି । ଘରୋଇ ମାଲ ପରିବହନ ସମତେ ଏଥିରେ ଏକ୍ସିମ ଏବଂ ଆଭ୍ୟନ୍ତରୀଣ ପଣ୍ୟ ପରିବହନ ପ୍ରେରଣ ସୁବିଧା ରହିଛି ।

ଏମଏମଏଲପି ହାୱଡ଼ା-ମୁମ୍ବାଇ ଜାତୀୟ ରାଜପଥ ନିକଟରେ ରହିଛି ଯାହା ଝାରସୁଗୁଡ଼ା ରେଳ ଷ୍ଟେସନ ଠାରୁ ମାତ୍ର ୫ କିମି ଦୂର । ଏହି ସ୍ଥାନ ଚାରିପାଖରେ ଇସ୍ପାତ, ସିମେଂଟ, କାଗଜକଳ ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ଶିଳ୍ପାନୁଷ୍ଠାନ ରହିଛି ଏବଂ ଏହାଦ୍ୱାରା ଏମାନେ ଲାଭାନ୍ୱିତ ହୋଇପାରିବେ । ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କ ଝାରସୁଗୁଡ଼ାକୁ ଓଡ଼ିଶାର ଏକ ପ୍ରମୁଖ ଲଜିଷ୍ଟିକ୍ସ କେନ୍ଦ୍ର ଭାବେ ପରିଣତ କରିବ ଏବଂ ରାଜ୍ୟରେ ବ୍ୟବସାୟିକ ସୁଗମତାକୁ ତ୍ୱରାନ୍ୱିତ କରିବ । ୧୫ କିମି ଲମ୍ବ ବଲାଙ୍ଗିର-ବିଛୁପାଲି ରେଳଲାଇନ ଦ୍ୱାରା ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶାକୁ ସଂଯୋଗ କରିବାରେ ସହାୟକ ହୋଇପାରିବ ଏବଂ ଏହା ରାଜ୍ୟବ୍ୟାପୀ ବିକାଶକୁ ସକ୍ରିୟ କରିବ । ଏହା ନୂଆଦିଲ୍ଲୀ ଏବଂ ମୁମ୍ବାଇ ଭଳି ବଡ଼ ସହରରୁ ଭୁବନେଶ୍ୱର ଓ ପୁରୀକୁ ଯାତ୍ରା ସମୟ ହ୍ରାସ କରିବ ।

ଏହି ଲାଇନ ଓଡ଼ିଶାର ବହୁ ମଧ୍ୟମ ଏବଂ କୁଟୀର ଶିଳ୍ପକୁ ଲାଭାନ୍ୱିତ କରିବ ଏବଂ ଓଡ଼ିଶାରେ ଖଣି କ୍ଷେତ୍ର ପାଇଁ ଅପାର ସମ୍ଭାବନା ଉନ୍ମୁକ୍ତ କରିବ । ୧୦୮୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ୮୧୩ କିମି ବ୍ୟାପୀ ଝାରସୁଗୁଡ଼ା-ବିଜୟନଗରମ ଏବଂ ସମ୍ବଲପୁର-ଅନୁଗୁଳ ରେଳ ଲାଇନର ବିଦ୍ୟୁତିକରଣ କାର୍ଯ୍ୟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରାଯିବ । ଏହାଦ୍ୱାରା ଏହି ଲାଇନରେ ନିର୍ବିଘ୍ନରେ ରେଳ ଚଳାଚଳ ସୁନିଶ୍ଚିତ ହେବ । -୧୩.୫ କିମି ଲମ୍ବ ବରପାଲି-ଡୁଙ୍ଗୁରିପାଲି ଏବଂ ବଲାଙ୍ଗିର-ଦେଓଗାଁ ଲାଇନର ଦୋହରୀକରଣ କାର୍ଯ୍ୟକୁ ଲୋକାର୍ପଣ କରାଯିବ । ଏହି ଦୋହରୀକରଣ ଦ୍ୱାରା ଓଡ଼ିଶାରେ ଶିଳ୍ପ କ୍ଷମତା ବୃଦ୍ଧିକୁ ପ୍ରୋତ୍ସାହନ ମିଳିପାରିବ । -ଥେରୁବାଲି-ସିଙ୍ଗାପୁର ରୋଡ ଷ୍ଟେସନ ମଧ୍ୟରେ ୫୮୮ ନଂ ସେତର ଲୋକାର୍ପଣ । ଫଳସ୍ୱରୂପ ୨୦୧୭ ଜୁଲାଇରେ ଆସିଥିବା ବନ୍ୟାରେ ନାଗାବଳୀ ନଦୀ ଉପରେ ଥିବା ସେତୁ ଧୋଇଯିବା କାରଣରୁ ବିଚ୍ଛିନ୍ନ ଯୋଗାଯୋଗ ପୁନଃପ୍ରତିଷ୍ଠା ହେବ ।

ପାସପୋର୍ଟ ସେବା ପ୍ରଦାନ କରିବା ତଥା ଲୋକମାନଙ୍କ ଯାତ୍ରାଜନିତ ବାଧା ଦୂର କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, କନ୍ଧମାଳ, ବରଗଡ଼ ଏବଂ ବଲାଙ୍ଗିର ଠାରେ ନୂଆ ପାସପୋର୍ଟ ସେବା କେନ୍ଦ୍ରର ମଧ୍ୟ ଉଦଘାଟନ କରିବେ । ଏହାଦ୍ୱାରା ଏସବୁ ଅଂଚଳର ଲୋକମାନେ ବ୍ୟାପକ ଭାବେ ଲାଭବାନ ହୋଇପାରିବେ କାରଣ ଏମାନଙ୍କୁ ପାସପୋର୍ଟ ସଂକ୍ରାନ୍ତ ସେବା ପାଇଁ ଭୁବନେଶ୍ୱର ଆସିବାକୁ ପଡ଼ୁଥିଲା । ବୌଦ୍ଧର ଗନ୍ଧହାରାଡି ଠାରେ ନୀଳମାଧବ ଏବଂ ସିଦେ୍ଧଶ୍ୱର ମନ୍ଦିରର ପୁନରୁଦ୍ଧାର ଏବଂ ନବୀକରଣ କାର୍ଯ୍ୟକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ପଶ୍ଚିମ ଓଡ଼ିଶାର “”ହର-ହରି” ସଂସ୍କୃତିକୁ ବହନ କରୁଥିବା ଏହି ମନ୍ଦିରଗୁଡ଼ିକ ଓଡ଼ିଶାର ପ୍ରାଚୀନ ମନ୍ଦିର ଶୈଳୀର ନିଦର୍ଶନ ।

ଏତଦବ୍ୟତୀତ, ପ୍ରାଚୀନ କାଳର ବାଣିଜ୍ୟ ପଥ ରୁଟ୍ରେ ପଡୁଥିବା ବଲାଙ୍ଗିର ନିକଟବର୍ତୀ ରାଣୀପୁର ଝରିଆଲ କୀର୍ତିରାଜିର ପୁନରୁଦ୍ଧାର ଏବଂ ନବୀକରଣ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ମଧ୍ୟ କଳାହାଣ୍ଡିର ଅସୁରଗଡ଼ ଦୁର୍ଗର ପୁନରୁଦ୍ଧାର ଏବଂ ନବୀକରଣ କାର୍ଯ୍ୟକୁ ଉଦଘାଟନ କରିବେ । ପ୍ରାଚୀନ ଗ୍ରନ୍ଥରେ ଅସୁରଗଡ଼ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଏବଂ ବାଣିଜ୍ୟିକ କେନ୍ଦ୍ର ଭାବେ ବର୍ଣ୍ଣିତ । ପ୍ରଧାନମନ୍ତ୍ରୀ ମୋଦୀ ସୋନପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କୋଠା ନିର୍ମାଣ ପାଇଁ ଶିଳାନ୍ୟାସ କରିବେ ।

ଏହି ବିଦ୍ୟାଳୟରେ ୧ହଜାରରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କ ପାଇଁ ଆଧୁନିକ ସ୍କୁଲ ସୁବିଧା ରହିବ । ଏପ୍ରିଲ ୨୦୧୪ ପରେ ଏହା ହେଉଛି ସହରକୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ଗସ୍ତ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା