Connect with us

ଅପରାଧ

୧୦୦୦ ସ୍କୁଲରେ ଲାଗିବ ସିସିଟିଭି କ୍ୟାମେରା

ସାଙ୍କେତିକ

କନ୍ଧମାଳ ସେବାଶ୍ରମ ଛାତ୍ରୀ ପ୍ରସବ ଘଟଣା, ଚେତିଲେ ସରକାର
୧୦୦୦ ସ୍କୁଲରେ ଲାଗିବ ସିସିଟିଭି କ୍ୟାମେରା
ଭୁବନେଶ୍ୱର,୧୪ା୧ : କନ୍ଧମାଳ ସେବାଶ୍ରମର ଛାତ୍ରୀ ସନ୍ତାନ ପ୍ରସବ ଘଟଣା ଘଟିବା ପରେ ସରକାରଙ୍କ ଚେତା ପଶିଛି । ଆଗକୁ ଯେପରି ଏମିତି କିଛି ନହୁଏ ସେ ନେଇ ପଦକ୍ଷେପ ନେଇଛନ୍ତି । ଏହାସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଖୁବ୍ଶୀଘ୍ର ଏକ ହଜାର ସ୍କୁଲରେ ସିସିଟିଭି ଲାଗିବା ନେଇ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଘଟଣାରେ ରାଜ୍ୟ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ୬ ଜଣଙ୍କୁ ବହିଷ୍କାର କରାଯିବା ସହ ୪ଜଣଙ୍କୁ ସରକାର ନିଲମ୍ବନ କରିଛନ୍ତି ।

ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରାୟ ୧ ହଜାର ସ୍କୁଲରେ ସିସିଟିଭି କ୍ୟାମେରା ଲଗାଯିବ । ଅଗ୍ରାଧିକାର ଭିତ୍ତିରେ ପ୍ରଥମେ ବାଳିକା ବିଦ୍ୟାଳୟମାନଙ୍କରେ ସିସିଟିଭି ଲାଗିବ । ଅନ୍ୟପଟେ ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀଙ୍କ ଇସ୍ତଫା ଦାବି କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟରେ ଶାସନ ବୋଲି କିଛି ନାହିଁ । ଏଭଳି ଏକ ନିନ୍ଦନୀୟ ଘଟଣା ପାଇଁ ବିଭାଗୀୟ ମନ୍ତ୍ରୀ ଦାୟୀ । ତେଣୁ ନୈତିକତା ଦୃଷ୍ଟିରୁ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ ଇସ୍ତଫା ଦିଅନ୍ତୁ ବୋଲି ସେ କହିଛନ୍ତି ।

ସେହିପରି ବିଜେଡିରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ଦାମୋଦର ରାଉତ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ଏହି ଘଟଣା ରାଜ୍ୟ ସରକାରଙ୍କ ଅସଲ ଚେହେରାକୁ ପଦାରେ ପକାଇ ଦେଇଛି ବୋଲି ଦାମ ରାଉତ କହିଛନ୍ତି । ନବୀନ ସରକାରରେ ମହିଳା ସୁରକ୍ଷିତ ନୁହଁନ୍ତି । ପ୍ରଶାସନିକ ଅଧିକାରୀ ଏବଂ ରାଜନେତାମାନଙ୍କର ମହିଳାଙ୍କ ପ୍ରତି ଦରଦ ନାହିଁ । ବିଭିନ୍ନ ମାମଲାରେ ସେମାନଙ୍କର ସମ୍ପୃକ୍ତି ରହିଥିବା ଦାମ ରାଉତ ଅଭିଯୋଗ କରିଛନ୍ତି । ଏହାସହ ସେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ବହିଷ୍କାର ଦାବି କରିଛନ୍ତି ।

ସୂଚନାଥାଉ କି, ରବିବାର ଦାରିଙ୍ଗବାଡି ଅଞ୍ଚଳରେ ଥିବା ଏକ ସେବାଶ୍ରମରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେବା ଘଟଣା ସାମ୍ନାକୁ ଆସିଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକ ତୁରନ୍ତ ତଦନ୍ତ କରାଯାଇ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏହି ଘଟଣାରେ ଗତକାଲି ୮ଜଣଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ବେଳେ ସୋମବାର ଦିନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଛି । ସୋମବାର ସକାଳେ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜରେ ନବଜାତ ଶିଶୁର ମୃତ୍ୟୁ ଘଟିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ