Connect with us

ଓଡିଶା

ଆଜିଠାରୁ ଜଳ, ସ୍ଥଳ ଓ ଆକାଶ ଉପରେ ନଜର ରଖିଲା ପୁଲିସ

ସାଙ୍କେତିକ

ଆଜିଠାରୁ ଜଳ, ସ୍ଥଳ ଓ ଆକାଶ ଉପରେ ନଜର ରଖିଲା ପୁଲିସ
ପୁରୀ, ୧ ଜୁଲାଇ – ଶ୍ରୀଗୁଣ୍ଡିଚା ଯାତ୍ରାର ୨ଦିନ ଆଗରୁ ସୋମବାର ଠାରୁ ପୁରୀ ସହରସାରା ପୁଲିସ ଛାଉଣି ଦେଖିବାକୁ ମିଳିଛି । ବିଶେଷକରି ବାହାର ଯାତ୍ରୀ, ଲୁଟେରା, ମହିଳା ଲୁଟେରା ଓ ବିଭିନ୍ନ ଅସାମାଜିକ ଲୋକ ରଥଯାତ୍ରା ପୂର୍ବରୁ ସହରରେ ପ୍ରବେଶ କରୁଥିବାରୁ ସେମାନଙ୍କ ଉପରେ ପୁଲିସ ଆଜିଠାରୁ ନଜର ରଖିଛି । ଶ୍ରୀମନ୍ଦିର ଚାରିପଟେ ପୁଲିସ ଘନ ଘନ ଯାଂଚ୍ କରୁଥିବା ପରିଲକ୍ଷିତ ହୋଇଛି । ଶତାଧିକ ସାଧା ପୋଷାକଧାରୀ ପୁଲିସ ସହରର ବିଭିନ୍ନ ସାହି ଗଳିକନ୍ଦିରେ ବୁଲି ତଥ୍ୟ ସଂଗ୍ରହ କରୁଛନ୍ତି । ଶ୍ରୀଗୁଣ୍ଡିଚା ଦିନ ଶ୍ରୀମନ୍ଦିରର ଚାରିଦ୍ୱାରରେ ମେଟାଲ ଡିଟେକ୍ଟର ମାଧ୍ୟମରେ ଯାଂଚ୍ କରି ନୀତି ସଂପୃକ୍ତି ସେବକମାନଙ୍କୁ ଛଡାଯିବ । ମନ୍ଦିର ଭିତରେ ବିଭିନ୍ନ ସ୍ଥାନରେ ପୁଲିସକୁ ଡ୍ୟୁଟି ଦିଆଯାଇଛି । ମନ୍ଦିର ବାହାରେ ମଧ୍ୟ ପୁଲିସ ପଇଁତରା ମାରୁଛି । ବଡଦାଣ୍ଡର ଦୁଇପାଶ୍ୱର୍ରେ ଉଚ୍ଚା କୋଠାରେ ପୁଲିସ ରହି ବଡଦାଣ୍ଡ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛି । ଭକ୍ତମାନେ ଯେପରି ଶୃଙ୍ଖଳିତଭାବେ ଦର୍ଶନ କରିପାରିବେ ସେଥିପ୍ରତି ପୁଲିସ ସ୍ୱତନ୍ତ୍ର ଦୃଷ୍ଟି ଦେଇଛି । ସମୁଦ୍ରକୂଳେ ଲାଇଫଗାର୍ଡ, ହୋମଗାର୍ଡ, କନଷ୍ଟେବଳମାନଙ୍କୁ ନିୟୋଜିତ କରାଯାଇ ରଥଯାତ୍ରୀଙ୍କ ପ୍ରତି ଦୃଷ୍ଟି ରଖାଯାଇଛି । କୌଣସି ଗଣ୍ଠିଲି ଅଧିକ ସମୟ ପଡିରହିଲେ ସେଗୁଡିକୁ ତୁରନ୍ତ ସ୍କାନର ଦ୍ୱାରା ଯାଂଚ୍ କରାଯିବ । ଷ୍ଟେସନଠାରେ ଅତ୍ୟଧିକ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ସେହିପରି ଆକାଶ ପଥରେ କୌଣସି ହେଲିକେପ୍ଟର, ଡ୍ରୋନ କ୍ୟାମେରା ଉଡିପାରିବ ନାହିଁ । ସେଥିପ୍ରତି ଦୃଷ୍ଟି ରଖାଯାଇଛି । ବିଶେଷ କରି ଟ୍ରାଫିକ ନିୟନ୍ତ୍ରଣ କରିବା ପୁଲିସ ପାଇଁ କାଠିକର ପାଠ ହୋଇପାରେ । ବଡଦାଣ୍ଡ, ସହରର ପ୍ରବେଶ ପଥ, ଶ୍ରୀମନ୍ଦିର ଭିତର ଓ ବାହାର ସିସିଟିଭି ନଜରରେ ରହିବ । ସିସିଟିଭିର କଂଟ୍ରୋଲ ରୁମ ଟାଉନ ଥାନାରେ ରହିବ । ୬ଶହ ଭିଏଚଏଫ ସେଟ୍ ଦ୍ୱାରା ପୁଲିସ ଅଧିକାରୀଙ୍କୁ ସୂଚନା ପ୍ରଦାନ କରାଯିବ । ଟାଉନଥାନାରେ ଖୋଲାଯାଇଥିବା କଂଟ୍ରୋଲ ରୁମ୍ ୨୪ଘଂଟା କାର୍ଯ୍ୟକ୍ଷମ ରହିବ । ଆଇଜି ଅପରେସନ ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜି ସଂଜୀବ ପଣ୍ଡା, ଏଡିଜି ରେଲୱେ ପ୍ରଣବେନ୍ଦୁ ଆଚାର୍ଯ୍ୟ, ଆଇଜି ହେଡକ୍ୱାଟର ଅସିତ ପାଣିଗ୍ରାହୀ, ଭିଡ଼ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ଅଧିକାରୀ ଅମିତାଭ ଠାକୁର ସମସ୍ତ ସ୍ଥିତିକୁ ଅନୁଧ୍ୟାନ କରିବେ । ସମୁଦାୟ ୧୫୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ରଥ ପରିଚାଳନା ଦାୟିତ୍ୱରେ ୨ଜଣ ଏଡିଜି ରହିବେ । ୧୫ଜଣ ଆଇପିଏସ ରଥଯାତ୍ରା ପରିଚାଳନା ଦାୟିତ୍ୱରେ ରହିବେ । ଅତିରିକ୍ତ ଏସପି ୩୫ଜଣ, ଡିଏସପି ୮୦ଜଣ, ଇନ୍ସପେକ୍ଟର ୬୫୦ଜଣ ନିୟୋଜିତ ହୋଇ ଆଜିଠାରୁ କାର୍ଯ୍ୟକ୍ରମ ଆରମ୍ଭ କଲେଣି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା