Connect with us

ଅପରାଧ

ଆଇନର ରକ୍ଷକ ଜାଳିଦେଲେ ପିସିଆର ଭ୍ୟାନ୍ ?

ଆଇନର ରକ୍ଷକ ଜାଳିଦେଲେ ପିସିଆର ଭ୍ୟାନ୍ ?

କଟକ,୨୯ା୮ : ଆଇନକୁ ରକ୍ଷା କରିବାରେ ପୋଲିସ ଓ ଓକିଲଙ୍କ ହେଉଛି ଗୁରୁ ଦାୟିତ୍ୱ । କିନ୍ତୁ ଏହି ଆଇନ୍ ରକ୍ଷକଙ୍କ ମଧ୍ୟରେ ତେଜିଛି ବିବାଦ । ଆଇନର ଶୃଙ୍ଖଳା ପାଇଁ ପ୍ରହରା ଦେଉଥିବା ପୋଲିସ ଓ ଦୋଷୀଙ୍କୁ ଉପଯୁକ୍ତ ନ୍ୟାୟ ଦେଉଥିବା ଓକିଲ ବା ଆଇନଜୀବିଙ୍କ ମଧ୍ୟରେ ବିଶୃଙ୍ଖଳା ଦେଖାଯାଇଛି । ଓକିଲଙ୍କୁ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଛି । ଏହାପରେ ତେଜିଛି ପୋଲିସ ଓକିଲଙ୍କ କଳି ।

ଆଜି କଟକ ଆରଡିସି ଅଫିସ୍ ସାମ୍ନାରେ ଏକ ପିସିଆର ଭ୍ୟାନକୁ ପୋଡି ଦିଆଯାଇଛି । ତେବେ ଭ୍ୟାନକୁ କିଏ ପୋଡିଲା ସେ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ । ଏହି ମାମଲାରେ ଉଭୟେ ପରସ୍ପର ଉପରେ ଦୋଷ ଲଦିଛନ୍ତି । ଅପରପକ୍ଷରେ ଏହି ଘଟଣାକୁ କେନ୍ଦ୍ରକରି ଆସନ୍ତାକାଲି ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ରାଜ୍ୟବ୍ୟାପୀ ଆଇନଜୀବିଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି । ଗତକାଲି କଟକ ନୂଆବଜାର ଅଞ୍ଚଳରେ ଏକ ସଡକ ଦୁର୍ଘଟଣାକୁ ନେଇ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ସହ ପିସିଆର ଭ୍ୟାନରେ ଥିବା କର୍ମଚାରୀଙ୍କ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୋଲିସ ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏହାରି ପ୍ରତିବାଦରେ ଆଇନଜୀବୀମାନେ ଏନେଇ ଥାନାରେ ଏତଲା ଦେବା ସହ ଚାଉଳିଆଗଞ୍ଜ ଥାନା ଘେରାଉ କରିଥିଲେ ।

ସେହିପରି ଏହି ମାମଲାରେ କଟକରେ ଆଜି ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ସାଧାରଣ ପରିଷଦ ବୈଠକ ବସିଥିଲା । ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଆସନ୍ତାକାଲି ରାଜ୍ୟବ୍ୟାପୀ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହାସହ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବାର ଆସୋସିଏସନ । ଦାବି ପୂରଣ ନ ହେଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ଆସୋସିଏସନ ପକ୍ଷରୁ କୁହାଯାଇଛି ।

ଅପରପକ୍ଷରେ ଏହି ମାମଲାରେ ପୋଲିସ କମିଶନର ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଓକିଲ ପୋଲିସ ଘଟଣାକୁ ନେଇ ଚାଉଳିଆଗଞ୍ଜ ଥାନାରେ ୨ଟି ମାମଲା ରୁଜୁ ହୋଇଛି । ଆଜିର ପୋଲିସ ଗାଡି ପୋଡି ଘଟଣାରେ ଲାଲବାଗ ଥାନାରେ ଆଉଏକ ମାମଲା ରୁଜୁ କରାଯାଇଥିବା ସେ ପ୍ରକାଶ କରିଛନ୍ତି । ଏତଦବ୍ୟତୀତ ଓକିଲମାନଙ୍କୁ ଶାନ୍ତି ବଜାୟ ରଖିବାକୁ ପୋଲିସ କମିଶନର ନିବେଦନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ