Connect with us

ଅପରାଧ

ଅଭିଯୋଗକୁ ବିଜେଡି କଲା ଖଣ୍ଡନ

ସାଙ୍କେତିକ

ମଙ୍ଗୁଳି ଜେନାଙ୍କ ହତ୍ୟା:-ବିଜେପି ବିଜେଡି ବିରୁଦ୍ଧରେ ଆଣିଲା ହତ୍ୟା ଅଭିଯୋଗ
– ଅଭିଯୋଗକୁ ବିଜେଡି କଲା ଖଣ୍ଡନ
– ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା ଓ ଦୁଃଖ ପ୍ରକାଶ
ଖୋର୍ଦ୍ଧା ,୧୫।୪- ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ପ୍ରତିବାଦରେ ସୋମବାର ବିଜେପି ପକ୍ଷରୁ ଖୋର୍ଦ୍ଧା ବନ୍ଦ ଡାକରା ଦିଆଯାଇଛି । ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ। ସହ ସହରର ଚଣ୍ଡିଚୁଆ ଛକ, ଖୋର୍ଦ୍ଧା ଆଦର୍ଶ ଥାନା ପ୍ରମୁଖ ସ୍ଥାନରେ ଦଳ ପକ୍ଷରୁ ରାସ୍ତାରୋକୋ ଚାଲିଛି । ସେହିପରି ନିରାକାରପୁର ଥାନା ଅଧୀନ ଜାତୀୟ ରାଜପଥର ବଡ଼ପୋଖରିଆଠାରେ ଅନୁରୂପ ଭାବେ ରାସ୍ତାରୋକୋ ଚାଲୁ ରହିଛି । ଟାଉନ ଥାନା ସମ୍ମୁଖରେ ବିଜେପି କର୍ମୀମାନେ ଗଣ ପ୍ରତିବାଦ କରିବା ସହ ଧାରଣାରେ ବସିଥିଲେ । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ସେମାନେ ଦାବି କରିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଜେପିର ୯ନଂ. ଜୋନ୍‌ ମଣ୍ଡଳ ସଭାପତି ତଥା ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ବଡ଼ପୋଖରିଆର ପୂର୍ବତନ ସରପଞ୍ଚ ମଙ୍ଗୁଳି ଜେନାଙ୍କୁ ରବିବାର ରାତିରେ ଖୋର୍ଦ୍ଧା ଆଦର୍ଶ ଥାନାର ନବୀନବାଗ୍‌ଠାରେ ହତ୍ୟା କରାଯାଇଥିଲା । ରବିବାର ବିଳମ୍ବିତ ରାତିରେ ୨ ଯୁବକ ଏକ ବାଇକ୍‌ରେ ଆସି ନବୀନ ବାଗସ୍ଥିତ ବିଜେପି କାର୍ଯ୍ୟାଳୟ ନିକଟରେ ମଙ୍ଗୁଳି ଜେନାଙ୍କୁ ଗୁଳି କରି ପଳାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏହି ଘଟଣା ଉପରେ ସୋମବାର ଦିନ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଖୋର୍ଦ୍ଧା ଏସ୍‌ପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ସମୀକ୍ଷା କରିଛନ୍ତି । ଆଇଜି ଗଣମାଧ୍ୟମକୁ କହିଛନ୍ତି ଯେ , ଏହି ଘଟଣା ଉପରେ ଜଣେ ନିର୍ଦ୍ଦିଷ୍ଟ ଲୋକ ନାଁରେ ଅଭିଯୋଗ ଆସିଛି । ଖୋର୍ଦ୍ଧା ଆଦର୍ଶ ଥାନାର ଆଇଆଇସିଙ୍କୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଆଇଆଇସିଙ୍କୁ ସହାୟତା ପାଇଁ ୩ଟି ଟିମ୍‌ ଗଠନ ହୋଇଛି । ତଦନ୍ତ ପାଇଁ କଟକ କ୍ରାଇମ୍‌ବ୍ରାଞ୍ଚର ସାଇବର ସେଲ୍‌ ଟିମ୍‌ ପହଞ୍ଚିଛି । ପରେ ସାଇଣ୍ଟିଫିକ୍‌ ଟିମ୍‌କୁ ମଧ୍ୟ ଡକାଯାଇଛି । ଉଭୟେ ତଦନ୍ତ ଆରମ୍ଭ କରିଛନ୍ତି ।

ବିଜେପି ମୁଖପାତ୍ର ସୁଦୀପ୍ତ ରାୟଙ୍କ ସମେତ ଖୋର୍ଦ୍ଧାର ବିଜେପି ବିଧାୟକ ପ୍ରାର୍ଥୀ କାଳୁ ଖଣ୍ଡାୟତରାୟ ଅଭିଯୋଗ କରିଛନ୍ତି ଯେ, ଏହି ହତ୍ୟାକାଣ୍ଡରେ ବିଜେଡିର ହାତ ରହିଛି । ତେବେ ସେମାନଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ଜ୍ୟୋତିରିନ୍ଦ୍ରନାଥ ମିତ୍ର । ସେ କହିଛନ୍ତି, ଏହି ହତ୍ୟାକାଣ୍ଡରେ ବିଜେଡି କର୍ମୀଙ୍କ ସମ୍ପୃକ୍ତି ନାହିଁ । ବିଜେଡି ଭଲ ସ୍ଥିତିରେ ରହିଛି । ବିଜେପି ଆମକୁ ବଦନାମ୍‌ କରିବା ପାଇଁ ଷଡଯନ୍ତ୍ର କରୁଛି । ଘଟଣାର ନିରପେକ୍ଷ ତଦନ୍ତ ହେଉ ଓ ଦୋଷୀଙ୍କୁ ଦଣ୍ଡବିଧାନ କରାଯାଉ ବୋଲି ସେ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ