Connect with us

ଅପରାଧ

ଅଭିଜିତ୍ ଆୟାର ମିତ୍ର ଗିରଫ

ସାଙ୍କେତିକ ଚିତ୍ର

ଅଭିଜିତ୍ ଆୟାର ମିତ୍ର ଗିରଫ
ଭୁବନେଶ୍ୱର,୨୩ା୧୦ : ଶେଷରେ ଗିରଫ ହେଲେ ଅଭିଜିତ ଆୟାର ମିତ୍ର । ସହିଦନଗର ଥାନାରେ ହୋଇଥିବା ଏକ ମାମଲା ଆଧାରରେ ଅଭିଜିତଙ୍କୁ ଗିରଫ କରାଯାଇଛି । ଆଜି ବିଧାନସଭାରେ ଉପସ୍ଥିତ ହେବା ପରେ ସହିଦନଗର ପୋଲିସ ତାଙ୍କୁ ଏକ ଅଜ୍ଞାତ ସ୍ଥାନରେ ଜେରା କରୁଥିଲା । ତେବେ ଆଜି ସଂଧ୍ୟାରେ ତାଙ୍କୁ ଗିରଫ କରାଯାଇଥିବା ନେଇ କମିଶନରେଟ୍ ପୋଲିସ ଏସପି ସୂଚନା ଦେଇଛନ୍ତି ।

ସୂଚନାଥାଉ କି, ମଙ୍ଗଳବାର ବିଧାନସଭା ଗୃହ କମିଟିରେ ଅଭିଜିତ ଆୟର ମିତ୍ର ହାଜର ହୋଇ କ୍ଷମା ପ୍ରାର୍ଥନା କରିଥିଲେ । କ୍ଷମା ପ୍ରାର୍ଥନା ପରେ ନିଜର ନିର୍ବୋଧ ପଣିଆ ଯୋଗୁଁ ସେ ଏପରି ମନ୍ତବ୍ୟ ଦେଇଥିବା ଅଭିଜିତ କହିଥିଲେ । ତେବେ ଆସନ୍ତା ନଭେମ୍ବର ୨ରେ ଗୃହ କମିଟିରେ ପୁଣି ହାଜର ହୋଇ ସତ୍ୟପାଠ ଦାଖଲ କରିବେ ବୋଲି ଅଭିଜିତଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଗୃହ କମିଟି ବୈଠକ ପରେ ତାଙ୍କୁ ଭୁବନେଶ୍ୱର ସହିଦ ନଗର ଥାନାକୁ ନିଆଯାଇଥିଲା । ଏନେଇ ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ସୂଚନା ଦେଇଛନ୍ତି ।

ସୂଚନାଥାଉ କି, ଓଡ଼ିଶାର କଳା ଓ ସଂସ୍କୃତି ସମ୍ପନ୍ନ କୋଣାର୍କ ମନ୍ଦିର ଉପରେ ଅଶାଳୀନ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇଯାଇଥିଲେ ଅଭିଜିତ୍ । ଏହାକୁ ନେଇ ଭୁବନେଶ୍ୱର ଓ କୋଣାର୍କ ଥାନାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଥିବା ବେଳେ ବିଧାନସଭାରେ ଦୁଇ ଦିନ ଗୃହ କାର୍ଯ୍ୟ ବନ୍ଦ ରହିଥିଲା । ପରେ ଗୃହ କମିଟିରେ ହାଜର ହେବା ପାଇଁ ଅଭିଜିତଙ୍କୁ ନୋଟିସ ହୋଇଥିଲା । ଅକ୍ଟୋବର ୫ରେ କୋଣାର୍କ ଥାନା ଓ ଅକ୍ଟୋବର ୧୧ରେ ଗୃହ କମିଟିରେ ହାଜର ହେବା ପାଇଁ ନୋଟିସ୍ ହୋଇଥିଲେ ମଧ୍ୟ ତିତ୍ଲି ବାତ୍ୟା ଯୋଗୁଁ ଅଭିଜିତ୍ ହାଜର ହୋଇ ନଥିଲେ ।

ଶେଷରେ ଆଜି ପୂର୍ବାହ୍ନରେ ଅଭିଜିତ୍ କଡା ସୁରକ୍ଷା ମଧ୍ୟରେ ଗୃହ କମିଟିରେ ହାଜର ହୋଇଥିଲେ । ୬ ଜଣିଆ ଗୃହ କମିଟି ସଦସ୍ୟଙ୍କ ଉପସ୍ଥିତିରେ ଅଭିଜିତଙ୍କୁ ପଚରାଉଚରା କରାଯାଇଥିଲା । ଗୃହ କମିଟି ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରଶ୍ନରେ ନିଜର ନିର୍ବୋଧ ପଣିଆ ଯୋଗୁଁ ସେ ଏପରି ମନ୍ତବ୍ୟ ଦେଇଥିବା ସ୍ୱୀକାର କରିଥିଲେ । ଏହାସହ ଓଡ଼ିଶାର କଳା, ସଂସ୍କୃତି ଓ ବିଧାୟକମାନଙ୍କ ସମ୍ପର୍କରେ ଦେଇଥିବା ଅଶାଳୀନ ମନ୍ତବ୍ୟ ଲାଗି ସେ ଦୁଃଖପ୍ରକାଶ କରିଥିଲେ । ଭବିଷ୍ୟତରେ ସେ ଏଭଳି ମନ୍ତବ୍ୟରୁ କ୍ଷାନ୍ତ ରହିବେ ବୋଲି ଅଭିଜିତ୍ କହିଛନ୍ତି ।

ସର୍ବଶେଷ ସମ୍ବାଦ:- ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଜାମିନ ଆବେଦନ ଖାରଜ ପରେ ଅଭିଜିତଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି । ଅଭିଜିତ ୧୪ ଦନି ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ