Connect with us

ଓଡିଶା

ମୂଳଧନୀ ସାମଗ୍ରୀ ବିନିର୍ମାଣ ଲାଗି କେନ୍ଦ୍ର ସରକାରଙ୍କ ନୂଆ ନୀତି ଘୋଷଣା

ସାଙ୍କେତିକ ଚିତ୍ର

• ସହଜ ବ୍ୟବସାୟ ପଦ୍ଧତି ମାନ୍ୟତାରେ ଭାରତ ୩୦ଟି ସ୍ଥାନ ଉପରକୁ ଉଠିଲା
• ଇସ୍ପାତ ଆଧାରିତ ଭିତିଭୂମି ନିର୍ମାଣ କ୍ଷେତ୍ରରେ ବିନିଯୋଗ ହେବ ୮୦ ହଜାର କୋଟି ଡଲାର – ବିରେନ୍ଦ୍ର ସିଂ
• ଭାରତରେ ଅତିରିକ୍ତ ଇସ୍ପାତ ନିର୍ମାଣ କ୍ଷମତା ପାଇଁ ଆଗାମୀ ୧୦/୧୨ ବର୍ଷ ମଧ୍ୟରେ ବିନିଯୋଗ ହେବ ୧୨,୮୦୦ କୋଟି ଡଲାର
• ଇସ୍ପାତ ଶିଳ୍ପ ପାଇଁ ଆମଦାନୀ ହେବ ୨,୫୦୦ କୋଟି ଡଲାରର କାରଖାନା ସାମଗ୍ରୀ ଓ ଯନ୍ତ୍ରାଂଶ
• ମୂଳଧନୀ ସାମଗ୍ରୀ ବିନିର୍ମାଣ ଲାଗି କେନ୍ଦ୍ର ସରକାରଙ୍କ ନୂଆ ନୀତି ଘୋଷଣା
• ଓଡ଼ିଶାରେ ପ୍ରତିଷ୍ଠା ହେବ ମେସିନ ଟୁଲ ଶିଳ୍ପ ପାର୍କ – ଅନନ୍ତ ଗିତେ

ଭାରତ ଏବେ ବିଶ୍ୱର ଦ୍ରୁତ ଗତିଶୀଳ ଅର୍ଥ ବ୍ୟବସ୍ଥା ମାନଙ୍କରେ ଅନ୍ୟତମ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଭବିଷ୍ୟ ଦୃଷ୍ଟି ଓ ନେତୃତ୍ୱ ଯୋଗୁ ଦେଶ ଏବେ ପ୍ରଗତି ପଥରେ ଆଗେଇ ଚାଲିଛି । ବ୍ୟବସାୟ କରିବାର ପଦ୍ଧତି ସରଳ ହେବାରୁ ବିଶ୍ୱ ମାନ୍ୟତାରେ ଭାରତ ୩୦ଟି ସ୍ଥାନ ଉପରକୁ ଉଠିଛି ବୋଲି ବିଶ୍ୱବ୍ୟାଙ୍କ ରିପୋର୍ଟରୁ ସୂଚନା ମିଳିଛି । ଇସ୍ପାତ ଆଧାରିତ ଭିତିଭୂମିର ବିକାଶ ଲାଗି ଦେଶରେ ୮୦ ହଜାର କୋଟି ଡଲାରରୁ ଅଧିକ ପୁଞ୍ଜି ବିନିଯୋଗ ହେବାର କାର୍ଯ୍ୟକ୍ରମ ରହିଛି । ବିଶେଷ କରି ସଡକ, ରାଜପଥ, ସେତୁ, ବିମାନବନ୍ଦର, ପୋତାଶ୍ରୟ, ଆନ୍ତର୍ଦେଶୀୟ ଜଳପଥ ଓ ନଦୀ ପରିବହନ ପ୍ରଣାଳୀ, ରେଳପଥ ଏବଂ ଉତ୍ସର୍ଗୀକୃତ ମାଲ ପରିବହନ କରିଡର ନିର୍ମାଣ କାର୍ଯ୍ୟ ଏଥି ମଧ୍ୟରେ ରହିଛି ।

ଆଜି ଭୁବନେଶ୍ୱରଠାରେ “ଇସ୍ପାତ ମୂଳଧନୀ ସାମଗ୍ରୀ ଏବଂ ଭାରତରେ ବିନିର୍ମାଣ” ଶୀର୍ଷକ ସମ୍ମେଳନରେ ଉଦବୋଧନ ଦେଇ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବିରେନ୍ଦ୍ର ସିଂ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଘରୋଇ ଓ ବାହ୍ୟକ୍ଷେତ୍ରର ଆବଶ୍ୟକତା ପୂରଣ ଲାଗି ଜାତୀୟ ଇସ୍ପାତ ନୀତି-୨୦୧୭ ପ୍ରସ୍ତୁତ କରାଯାଇଛି । ଏହି ନୀତି ଅନୁଯାୟୀ ୨୦୩୦-୩୧ ସୁଦ୍ଧା ୩୦ କୋଟି ଟନ ଅଶୋଧିତ ଇସ୍ପାତ ଉତ୍ପାଦନ କ୍ଷମତା ସୃଷ୍ଟି କରାଯିବ । ଯେଉଁଥିରେ କି ମୁଣ୍ଡ ପିଛା ଇସ୍ପାତ ଉପଯୋଗ ୧୬୦ କେଜି ହେଉଥିବ । ଏହାଛଡା ଭାରତୀୟ ଇସ୍ପାତ ଶିଳ୍ପକୁ ବିଶ୍ୱସ୍ତରରେ ଉତ୍ପାଦକତା, ଟେକ୍ନୋଲଜି ଏବଂ ଉନ୍ନତମାନରେ ପ୍ରତିଯୋଗିତାମୂଳକ କରାଯିବ । ଶ୍ରୀ ସିଂ କହିଥିଲେ ଆଗାମୀ ୧୦/୧୨ ବର୍ଷ ମଧ୍ୟରେ ଦେଶରେ ଅତିିରିକ୍ତ ଇସ୍ପାତ ଉତ୍ପାଦନର କ୍ଷମତା ସୃଷ୍ଟି କରିବା ଲାଗି ୧୨,୮୦୦ କୋଟି ଡଲାରର ପୁଞ୍ଜି ନିବେଶ ହେବ । ଏଥିଲାଗି ଭାରତକୁ ପ୍ରାୟ ୨୫ ବିଲିୟନ ଡଲାରର କାରଖାନା ସାମଗ୍ରୀ ଓ ସରଞ୍ଜାମ ଆମଦାନୀ କରିବାକୁ ପଡିବ । ପ୍ରତି ବର୍ଷ ଇସ୍ପାତ ଶିଳ୍ପର ଆବଶ୍ୟକତା ପୂରଣ ଲାଗି ୫୦୦ ନିୟୁତ ଡଲାରର ଉପକରଣ ମଧ୍ୟ ଆମଦାନୀ ହେବ । ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗକୁ ସକ୍ରିୟ ଭାବେ ସାମିଲ କରାଯାଉଛି । ଏହିସବୁ ଉଦ୍ୟୋଗକୁ ପ୍ରତିଯୋଗିତାମୂଳକ କରିବା ଲାଗି ଶ୍ରେଷ୍ଠ ଉତ୍ପାଦନକାରୀଙ୍କ ପାଇଁ କେନ୍ଦ୍ର ସରକାର ନିକଟରେ ଏକ ଜାତୀୟ ପୁରସ୍କାର ମଧ୍ୟ ଘୋଷଣା କରିଛନ୍ତି । ମାନକ ପ୍ରମାଣନ ପତ୍ର ଉପରେ ମଧ୍ୟ ବିଶେଷ ପ୍ରାଧାନ୍ୟ ଦିଆଯାଉଛି । କେନ୍ଦ୍ର ସରକାରଙ୍କ ନୂତନ ନୀତି ଯୋଗୁ ଅନେକ ବିଦେଶୀ ଇସ୍ପାତ କମ୍ପାନୀ ଆମ ଦେଶରେ ଇସ୍ପାତ ଉତ୍ପାଦନ କରିବା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି ।

କେନ୍ଦ୍ର ଇସ୍ପାତ ମନ୍ତ୍ରୀ କହିଥିଲେ ଯେ, ଆଜିର ସମ୍ମେଳନ ପରିପ୍ରେକ୍ଷୀରେ ମୋଟ ୩୮ଟି ବୁଝାମଣା ପତ୍ର ସ୍ୱାକ୍ଷର ଓ ଆଦାନପ୍ରଦାନ ହୋଇଛି । ଏଥି ମଧ୍ୟରୁ ୧୦ଟିରୁ ୧୫ଟି ବୁଝାମଣା ବିଦେଶୀ ସଂସ୍ଥାମାନଙ୍କ ସହ ରହିଛି । ଏହି ସବୁ ବୁଝାମଣା ମୂଳଧନୀ ସାମଗ୍ରୀ ବିନିର୍ମାଣକାରୀ, ବୈଦେଶିକ ଟେକ୍ନୋଲଜି ପ୍ରଦାନକାରୀ ଏବଂ ଇସ୍ପାତ ଯନ୍ତ୍ରପାତି ଉତ୍ପାଦନକାରୀଙ୍କ ମଧ୍ୟରେ ସମ୍ପନ୍ନ ହୋଇଛି । ଏହା ଭାରତରେ ପ୍ରାୟ ୩୯,୪୦୦ କୋଟି ଟଙ୍କାର ପୁଞ୍ଜିନିବେଶ ସୁଯୋଗ ସୃଷ୍ଟି କରିବ । ଭାରତକୁ ଇସ୍ପାତ ଯନ୍ତ୍ରାଂଶ ଓ ଉପକରଣ ବିନିର୍ମାଣର ବିଶ୍ୱ କେନ୍ଦ୍ର ଭାବେ ଗଢ଼ିତୋଳିବା ଲାଗି ଏହା ପ୍ରୟାସ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ ।

ସମ୍ମେଳନରେ ଉଦବୋଧନ ଦେଇ କେନ୍ଦ୍ର ଭାରୀ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଅନନ୍ତ ଗଙ୍ଗାରାମ ଗିତେ କହିଥିଲେ ଯେ, କେନ୍ଦ୍ର ସରକାର ଯନ୍ତ୍ରାଂଶ ଓ ଉପକରଣ ପାର୍କ ନିର୍ମାଣ ଲାଗି ଏକ ନୂଆ ସ୍କିମ ଆରମ୍ଭ କରିଛନ୍ତି । ଏହି ସ୍କିମ ଆଧାରରେ କର୍ଣ୍ଣାଟକର ଟମକୁରଠାରେ ଏକ ମେସିନ ଟୁଲ ପାର୍କ ପ୍ରତିଷ୍ଠା କରାଯାଉଛି । ଏଥିରେ ପ୍ରାୟ ୫୦୦ କୋଟି ଟଙ୍କା ବିନିଯୋଗ କରାଯାଉଛି । ଓଡ଼ିଶାରେ ଖଣିଜ ସମ୍ପଦ ଓ ଇସ୍ପାତ ଶିଳ୍ପ ଲାଗି ବ୍ୟାପକ ସୁଯୋଗ ରହିଥିବାରୁ ଏଠାରେ ଟମକୁର ଭଳି ଏକ ଶିଳ୍ପ ପାର୍କ ପ୍ରତିଷ୍ଠା କରାଯାଇ ପାରିବ । ଓଡ଼ିଶା ସରକାର ସହଯୋଗ କଲେ ରାଜ୍ୟରେ ଏକ ମେସିନ ଟୁଲ ଶିଳ୍ପ ପାର୍କ ନିର୍ମାଣ କରାଯାଇପାରିବ ବୋଲି ସେ କହିଥିଲେ ।

ଶ୍ରୀ ଗିତେ କହିଥିଲେ ଯେ, ମୋଦୀ ସରକାରଙ୍କ ଅମଳରେ ଦେଶରେ ପ୍ରଥମ ଥର ପାଇଁ ମୂଳଧନୀ ସାମଗ୍ରୀ ସେକ୍ଟର ଲାଗି ନୂତନ ନୀତି ପ୍ରସ୍ତୁତ କରାଯାଇଛି । ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଇସ୍ପାତ ମନ୍ତ୍ରଣାଳୟର ସଚିବ ଶ୍ରୀ ବିନୟ କୁମାର, ପୂର୍ବତନ ସଚିବ ଡ. ଅରୁଣା ଶର୍ମା ପ୍ରମୁଖ ଉଦବୋଧନ ଦେଇଥିଲେ ।

ସମ୍ମେଳନର ଉଦ୍ଘାଟନ ଅବସରରେ ଏକ କଫି ଟେବୁଲ ବୁକ୍ ଏବଂ ସୋଭେନିୟର ଉନ୍ମୋଚିତ ହୋଇଥିଲା । ସମ୍ମେଳନରେ ୧୨ଟି ଦେଶର ୨୮ ପ୍ରତିନିଧିଙ୍କ ସହ ପ୍ରାୟ ୩୫୦ ପ୍ରତିନିଧି ଅଂଶ ଗ୍ରହଣ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା