Connect with us

ଓଡିଶା

ବାତ୍ୟା, ବନ୍ୟା ମୁକାବିଲାରେ ଓଡିଶା ସରକାର ବିଫଳ : ଜିତେନ୍ଦ୍ର ସିଂ

ସାଙ୍କେତିକ ଚିତ୍ର

ବାତ୍ୟା, ବନ୍ୟା ମୁକାବିଲାରେ ଓଡିଶା ସରକାର ବିଫଳ : ଜିତେନ୍ଦ୍ର ସିଂ
ଏସ୍.ଆର.ସି., ଗଞ୍ଜାମ ଓ ଗଜପତି ଜିଲ୍ଲାପାଳଙ୍କ ନିଲମ୍ବନ ଦାବି
ଭୁବନେଶ୍ୱର,୨୨ା୧୦ : ଓଡିଶାରେ ପ୍ରାକୃତିକ ବିପର୍ଯ୍ୟୟ ତିତଲି ଓ ଏହାର ପରବର୍ତୀ ବର୍ଷା ଘଟଣାକୁ ୧୨ ଦିନ ବିତି ଯାଇଥିଲେ ହେଁ ଏପର୍ଯ୍ୟନ୍ତ ପ୍ରଭାବିତ ଜିଲ୍ଲା ଗୁଡିକରେ ସ୍ଥିତିରେ କୌଣସି ପରିବର୍ତନ ଆସିନାହିଁ । ରାଜ୍ୟ ସରକାର ବିପର୍ଯ୍ୟୟ ପରିଚାଳନା କରିବାରେ ସମ୍ପୂର୍ଣ୍ଣଭାବେ ବିଫଳ ହୋଇଛନ୍ତି । ବାତ୍ୟା ହେବ ବୋଲି ଜାଣି ସୁଦ୍ଧା ଲୋକଙ୍କ ପାଖରେ ପୂର୍ବ ସୂଚନା ପହଂଚାଇ ପାରିଲେ ନାହିଁ । ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଜିରୋ କାଜୁଆଲଟି କଥା କହିଥିବା ବେଳେ ବର୍ତମାନ ସୁଦ୍ଧା ସରକାରୀ ଭାବେ ୬୨ ଜଣଙ୍କର ମୃତ୍ୟୁ ଘଟିସାରିଛି । ସେହିପରି କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେବାରେ ମଧ୍ୟ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ହେଳା କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଏସଆରସି ଏବଂ ଗଂଜାମ ଓ ଗଜପତି ଜିଲ୍ଲାର ଜିଲ୍ଲାପାଳଙ୍କୁ ନିଲମ୍ବିତ କରିବାକୁ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଦାବି କରିଛନ୍ତି ।

ସେହିପରି ବାତ୍ୟା ଓ ବନ୍ୟା ଯୋଗୁଁ ବାସଗୃହ ହରାଇଥିବା ପିଡୀତଙ୍କୁ ୧୦ ଲକ୍ଷ ଟଙ୍କା ଏବଂ ଆଂଶିକ କ୍ଷତିଗ୍ରସ୍ତଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି । ଏହା ବ୍ୟତୀତ କେନ୍ଦ୍ର ସରକାର ମଧ୍ୟ ପ୍ରଭାବିତ ଅଂଚଳ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିବାକୁ ଶ୍ରୀ ସିଂହ ଦାବି କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଭୟଙ୍କର ଝଡବାତ୍ୟା ‘ତିତ୍ଲି’ ସମୟରେ ଓଡ଼ିଶା ସରକାର ଗୋଟିଏ ହେଲେ ଜୀବନ ହାନି ନ ଘଟାଇବାକୁ ଯେଉଁଭଳି ଭାବେ ପ୍ରଚାର କରିଚାଲିଲେ ଏବଂ ବାତ୍ୟା ପରବର୍ତୀ ସମୟରେ ନିଜ ଦାୟିତ୍ୱ ଭୁଲିଗଲେ, ସେଥିପାଇଁ ବର୍ଷା ଓ ବନ୍ୟା ବିତ୍ପାତରେ ୭୦ରୁ ଅଧିକ ଜୀବନ ହାନି ଘଟିଲା । ଏଥିପାଇଁ ନବୀନ ପଟ୍ଟନାୟକ ସରକାରଙ୍କ ଦାୟିତ୍ୱହୀନତା ସମ୍ପୂର୍ଣ୍ଣ ଦାୟୀ । ବାତ୍ୟା ପ୍ରାରମ୍ଭରୁ ଓଡ଼ିଶା ସରକାରଙ୍କ ଅଫିସର ଏବଂ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ଏହାକୁ ଯେଉଁଭଳି ଗୁରୁତ୍ୱ ଦେବାକଥା, ଦେଲେନାହିଁ ।

ସମୁଦାୟ ପ୍ରଶାସନ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ଜିଲା ଗଞ୍ଜାମ ଉପରେ ଦୃଷ୍ଟିନିବଦ୍ଧ କଲା । ତିତ୍ଲି ସ୍ଥଳଭାଗ ଛୁଇଁବା ପୂର୍ବଦିନ ଏବଂ ଛୁଇଁବା ପରଦିନ ଏସଆରସିଙ୍କ ପକ୍ଷରୁ ପ୍ରକାଶିତ ପ୍ରେସ ବିବୃତିରେ କେତେଲୋକ ପ୍ରଭାବିତଙ୍କୁ ସ୍ଥାନାନ୍ତର ଓ କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଉକ୍ତ ରିପୋର୍ଟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଗଜପତି ଜିଲା ସମ୍ପର୍କରେ କୋଣସି ବିସ୍ତୃତ ତଥ୍ୟ ଉଲ୍ଲେଖ ନଥିଲା । ଗଜପତି ଜିଲାର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ବାରଘର ଗ୍ରାମକୁ ଜିଲା ପ୍ରଶାସନର କେହି ଯାଇନଥିଲେ କିମ୍ବା ଲୋକଙ୍କୁ ନିରାପଦ ସ୍ଥାନକୁ ନେବା ସକାଶେ ଉଦ୍ୟମ କରିନଥିଲେ । ଉକ୍ତ ଗ୍ରାମରେ ଭୂସ୍ଖଳନ ଘଟି ୧୮ଜଣଙ୍କର ପ୍ରାଣହାନି ଘଟିଛି ।

ଓଡ଼ିଶା ସରକାର ପାଣିପାଗ ବିଭାଗର ସତର୍କ ସୂଚନାକୁ ଅନୁସରଣ କରି ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତ କରିଥିଲେ, ବହୁ ମୂଲ୍ୟବାନ ଜୀବନ ସୁରକ୍ଷିତ ରହିପାରିଥାନ୍ତା । ରାଜ୍ୟ ସରକାର ‘ଜିରୋ କାଜୁଆଲିଟି’ ପ୍ରଚାରକୁ ନେଇ ଏଭଳି ପାଗଳ ଥିଲେ ଯେ ଏହା ପ୍ରାୟ ୪ ଦିନ ପର୍ଯ୍ୟନ୍ତ ବାତ୍ୟା ଓ ବର୍ଷାଜନିତ ମୃତ୍ୟୁ ସଂଖ୍ୟା ସାଧାରଣରେ ପ୍ରକାଶ କଲେନାହିଁ । ଶ୍ରୀ ସିଂହ କହିଛନ୍ତି ଯେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିର୍ଦ୍ଦେଶରେ ଆମେ ପ୍ରଭାବିତ ଜିଲ୍ଲା ଗୁଡିକ ପରିଦର୍ଶନ କରିଥିଲୁ । ବର୍ତମାନ ସୁଦ୍ଧା ସମ୍ପୃକ୍ତ ଅଂଚଳ ଗୁଡିକରେ ସ୍ଥିତିରେ କୌଣସି ପରିବର୍ତନ ଆସିନାହିଁ । ବିଜୁଳି ପହଂଚିପାରିନାହିଁ , ରାସ୍ତା ମରାମତି ହୋଇନି, ପିଇବା ପାଣି ମିଳୁନାହିଁ , ରିଲିଫ୍ ବାବଦକୁ କିଛି ଲୋକେ ଏପର୍ଯ୍ୟନ୍ତ କିରୋସିନ୍ , ଖାଦ୍ୟ ଆଦି ପାଇ ପାରିନାହାନ୍ତି । କେହି କେହି ଚାଉଳ ପାଇନାହାନ୍ତି । ନବୀନ ସରକାର କ୍ଷତିଗ୍ରସ୍ତଙ୍କୁ ରିଲିଫ୍ ଯୋଗାଇବାରେ ବିଫଳ ହୋଇଛନ୍ତି । ସରକାରଙ୍କ ପାଖରେ କ୍ଷତିଗ୍ରସ୍ତଙ୍କୁ ଥଇଥାନ କରିବାର କୌଣସି ବ୍ୟବସ୍ଥା ନାହିଁ । ସେହିପରି ବିରୋଧିଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ପ୍ରଭାବିତ ଆସ୍କା ଅଂଚଳକୁ ଏପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀ ପହଂଚିନାହାନ୍ତି । ଲୋକଙ୍କୁ ଖାଇବାକୁ ଦେବେ ବୋଲି ପ୍ରତିଶ୍ରୁତି ଦେଇ ପାଳନ କରିନାହାନ୍ତି । ୧୨ ଦିନ ପରେ ମଧ୍ୟ ଅବସ୍ଥା ସୁଧୁରିନି ।

ଏଭଳି ସରକାରର ଶାସନରେ ରହିବାର କୌଣସି ନୈତିକ ଅଧିକାର ନାହିଁ ବୋଲି ସେ କହିଛନ୍ତି । ଏହି ସାମ୍ବାଦିକ ସମିଳନୀରେ ଏଆଇସିସି ଯୁଗ୍ମ ସଂପାଦକ ଅନିଲ୍ ଚୌଧୁରୀ, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ମିଡିଆ ବିଭାଗ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା