Connect with us

ଆଞ୍ଚଳିକ

ସ୍ୱେଚ୍ଛାକୃତ ଭାବେ ଜାଗା ଦେଇଥିବା ପୁରୀର ୧୧ ପରିବାରକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ସାଙ୍କେତିକ

ସ୍ୱେଚ୍ଛାକୃତ ଭାବେ ଜାଗା ଦେଇଥିବା ପୁରୀର ୧୧ ପରିବାରକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୩ ଅକ୍ଟୋବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀମନ୍ଦିରର ସୁରକ୍ଷା ଓ ଶ୍ରୀକ୍ଷେତ୍ରରେ ଐତିହ୍ୟ ଜୋନର ବିକାଶ ପାଇଁ ସ୍ୱେଚ୍ଛାକୃତ ଭାବେ ଜାଗା ଦେଇଥିବା ୧୧ଟି ପରିବାରର ସଦସ୍ୟ ମାନଙ୍କୁ ଲୋକସେବା ଭବନରେ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉପହାର ଆକାରରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ରୂପା ତାରକସୀର ପ୍ରତିମୂର୍ତି ପ୍ରଦାନ କରିବା ସହିତ ଉତରୀୟ ମଧ୍ୟ ଦେଇଥିଲେ ।
ଏହି ଅବସରରେ ସେମାନଙ୍କ ତ୍ୟାଗ ଓ ଅବଦାନର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ପରିବାର ମାନଙ୍କ ଅବଦାନ ପାଇଁ ଓଡ଼ିଶାବାସୀ ସେମାନଙ୍କ ନିକଟରେ ଚିର ଋଣୀ ରହିବେ । ଶ୍ରୀମନ୍ଦିରର ସୁରକ୍ଷା ଶ୍ରୀକ୍ଷେତ୍ରର ବିକାଶ ପାଇଁ ସେମାନଙ୍କ ତ୍ୟାଗକୁ ଆମର ଭବିଷ୍ୟତ ପୀଢ଼ି ସବୁଦିନ ପାଇଁ ମନେ ରଖିବ ବୋଳି ସେ କହିଥିଲେ । ଅନ୍ୟମାନେ ମଧ୍ୟ ରାଜ୍ୟ ସରକାରଙ୍କ ପ୍ୟାକଜେକୁ ଗ୍ରହଣ କରି ଶ୍ରୀଜଗନ୍ନାଥଙ୍କ ସେବା ପାଇଁ ସ୍ୱେଚ୍ଛାରେ ଜାଗା ଦେବାପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୁଁ ବହୁତ ଖୁସି ଯେ ଆପଣମାନେ ମୋର ଅନୁରୋଧ ରକ୍ଷା କରିଛନ୍ତି । ଶ୍ରୀମନ୍ଦିରର ସୁରକ୍ଷା ପାଇଁ ନିଜ ଜାଗା ଦେଇଛନ୍ତି । ଆପଣମାନଙ୍କର ଏ ଅବଦାନ ପାଇଁ ଓଡ଼ିଶାବାସୀ ଆପଣମାନଙ୍କ ନିକଟରେ ଋଣୀ । ଶ୍ରୀମନ୍ଦିର ଓଡ଼ିଆ ଜାତିର ଅମୂଲ୍ୟ ସମ୍ପତି । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡ଼ିଆ ଜାତିର ବଡ଼ ପରିଚୟ । ମହାପ୍ରଭୁଙ୍କ ପାଇଁ, ତାଙ୍କ ମନ୍ଦିରର ସୁରକ୍ଷା ପାଇଁ ଆମେ କିଛି କରିପାରିଲେ ଆମ ଜୀବନ ଧନ୍ୟ ହେବ । ଯେଉଁମାନେ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଜମି ଦେଉଛନ୍ତି ସେମାନଙ୍କ ପାଇଁ ରାଜ୍ୟ ସରକାର ବହୁତ ଭଲ ପ୍ୟାକେଜ କରିଛନ୍ତି । ଖୁସିର କଥା, ୧୧ ଜଣ ବନ୍ଧୁ ଆଜି ଏହି ପ୍ୟାକେଜର ସୁଯୋଗ ନେଇଛନ୍ତି । ଅନ୍ୟମାନେ ମଧ୍ୟ ଏହାକୁ ମହାପ୍ରଭୁଙ୍କ ସେବା ଭାବି ଏହାର ସୁଯୋଗ ନିଅନ୍ତୁ ଓ ଶ୍ରୀମନ୍ଦିର ସୁରକ୍ଷା ପରି ମହାନ କାର୍ଯ୍ୟରେ ସହଯୋଗ କରନ୍ତୁ । ଆପଣମାନଙ୍କ ଏହି ମହାନ ତ୍ୟାଗ ମହାପ୍ରଭୁଙ୍କ ସେବାରେ ନୂଆ ଇତିହାସ ସୃଷ୍ଟି କରିବ । ଓଡ଼ିଆ ଜାତିର ଭବିଷ୍ୟତ ପୀଢ଼ି ଆପଣମାନଙ୍କ ତ୍ୟାଗକୁ ସବୁଦିନ ପାଇଁ ମନେ ରଖିବ ।
ସମ୍ବର୍ଦ୍ଧିତ ହୋଇଥିବା ବ୍ୟକ୍ତିମାନେ ହେଲେ ଶ୍ରୀମତୀ ସଂଯୁକ୍ତା ସାମଲ, ଶ୍ରୀମତୀ ଚନ୍ଦ୍ରକାନ୍ତି ଦାସ, ଶ୍ରୀମତୀ କୁମୁଦିନୀ ଗୁରୁ, ଶ୍ରୀମତୀ ରମାଦେବୀ ଶର୍ମା, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ବ୍ରଜ କିଶୋର ପଣ୍ଡା, ଗଦାଧର ପାଢ଼ୀ, କଳୀଯୁଗ ଗୋପାଳଚନ୍ଦ୍ର ପ୍ରତିହାରୀ, ରାଜକିଶୋର ସାହୁ, ଶଶିଭୂଷର ଦାସ ଏବଂ ସେମାନଙ୍କ ପରିବାରବୃନ୍ଦ ।

ଏହି କାର୍ଯ୍ୟକ୍ରମରେ ପୂର୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ