
ସିଏଏ ପ୍ରତ୍ୟାହାର କରିବା ଦାବିରେ ଆମେ ଭାରତବାସୀ ମଂଚର ଜନସମାବେଶ ଆସନ୍ତା ୩୦ରେ
ଭୁବନେଶ୍ୱର, ୨୦ ଜାନୁଆରୀ – ଆମେ ଭାରତବାସୀ ମଂଚ ପକ୍ଷରୁ ଦେଶର ସମ୍ବିଧାନର ସୁରକ୍ଷା ତଥା ସମ୍ବିଧାନ ବିରୋଧୀ ଓ ଧର୍ମ ନିରପେକ୍ଷତା ବିରୋଧୀ “ନାଗରିକ ସଂଶୋଧନ ଆଇନ- ଜାତୀୟ ନାଗରିକ ପଞ୍ଜିକା-ଜାତୀୟ ଜନସଂଖ୍ୟା ପଞ୍ଜିକା” ପ୍ରତ୍ୟାହାର କରିବା ଦାବି ନେଇ ଆସନ୍ତା ୩୦ ତାରିଖ ମହାତ୍ମା ଗାନ୍ଧୀଙ୍କ ସହିଦ୍ ଦିବସରେ ଭୁବନେଶ୍ୱରଠାରେ ଏକ ଜନସମାବେଶ ଅନୁଷ୍ଠିତ ହେବ । ସେହି ଦିନ ପୂର୍ବାହ୍ନ ୧୧ଟାରେ ସହୀଦ୍ ନଗର ପୁଜାମଣ୍ଡପଠାରୁ “ଆମେ ଭାରତବାସୀ” ଶୋଭାଯାତ୍ରା ବାହାରି ଲୋୟର ପି.ଏମ୍.ଜି. ଠାରେ ପହଂଚିବା ପରେ ସେଠାରେ ସାଧାରଣ ସଭା ଅନୁଷ୍ଠିତ ହେବ । ଏହି ସମାବେଶରେ ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନର ଭାରତବର୍ଷ ନିର୍ମାଣ ପାଇଁ ଏବଂ ଡଃ ବାବାସାହେବ ଆମ୍ବେଦକରଙ୍କ ଦ୍ୱାରା ପ୍ରଣୀତ ସମ୍ବିଧାନ ଓ ଧର୍ମନିରପେକ୍ଷତାର ସୁରକ୍ଷା ନିମନ୍ତେ ସଙ୍କଳ୍ପ ଗ୍ରହଣ କରାଯିବ ।
ସୋମବାର ଲୋହିଆ ଏକାଡେମୀ ଠାରେ ପ୍ରଫେସର ସ୍ୱାଧୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ଏବଂ ଷ୍ଟିଅରିଂ କମିଟି ବୈଠକରେ ଏହି ବିଷୟ କୁହାଯାଇଛି । ସାମ୍ବାଦିକ ସମ୍ମିଳନୀରେ ପ୍ରଫେସର ସ୍ୱାଧୀନ ପଟ୍ଟନାୟକଙ୍କ ସମେତ ପ୍ରଫେସର ବିରେନ୍ଦ୍ର ନାୟକ, ତାପସୀ ପ୍ରହରାଜ, ପ୍ରଫେସର ସୁମିତ୍ରା କୁମାରୀ ପଟେଲ୍, ପ୍ରମିଳା ସ୍ୱାଇଁ, ପ୍ରଫୁଲ୍ଲ ସାମନ୍ତରା ,ରବି ଦାସ, ସୁଧୀର ପଟ୍ଟନାୟକ,ଦିବାକର ନାୟକ, ସୁରେଶ ପାଣିଗ୍ରାହୀ, ସାଲ ମାର୍ଣ୍ଡି, ସଞ୍ଜୀବ ପତ୍ରି, ଅମୀୟ ପାଣ୍ଡବ, ଦେବ ପ୍ରସାଦ ରାୟ ମହାପାତ୍ର, ଅଭିରାମ ମଲ୍ଲିକ, ଗୋହିଗୋବିନ୍ଦ ବେଶ୍ରା, ନରେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ “ଆମେ ଭାରତବାସୀ” ଷ୍ଟିଅରିଂ କମିଟି ତରଫରୁ ଓଡିଶାବାସୀଙ୍କୁ ନିବେଦନ କରାଯାଇଛି ।
