Connect with us

ଅପରାଧ

ରାଜଧାନୀରେ ଏକ ହତ୍ୟାକାଣ୍ଡ- ଲଭ ସେକ୍ସ ଧୋକା l

ରାଜଧାନୀରେ ଏକ ହତ୍ୟାକାଣ୍ଡ- ଲଭ ସେକ୍ସ ଧୋକା l

ଭୁବନେଶ୍ୱର: ରାଜଧାନୀରେ ପୁଣି ଏକ ହତ୍ୟାକାଣ୍ଡ ଘଟିଛି। ମଞ୍ଚେଶ୍ୱର ଥାନା ଅଧୀନ ହୋଟେଲ ହାଇେଓ୍ଵ-ଇନ୍‌ ର ରୁମ୍‌ ନମ୍ବର ୧୨୧ ରେ ଜଣେ ମହିଳାଙ୍କ ହତ୍ୟାକାଣ୍ଡ ଘଟିଛି । ତାଙ୍କ ନାଁ ଲକ୍ଷ୍ମୀପ୍ରିୟା ବିଶ୍ୱାଳ(୩୨)। ଘର ଖୋର୍ଧା ଜିଲ୍ଲା ଅନ୍ତର୍ଗତ ଗଡ଼ଖୋର୍ଧା । ଏଠାରେ ସେ ପଟିଆ କଳାଝରୀରେ ନିଜ ଭିଣୋଇଙ୍କ ଘରେ ରହି ମଞ୍ଚେଶ୍ୱର ଶଳ୍ପାଞ୍ଚଳରେ କାମ କରୁଥିଲେ। ମହିଳାଙ୍କୁ ତାଙ୍କ ପୁରୁଷବନ୍ଧୁ ଆଦିତ୍ୟ ମହାପାତ୍ର ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ଘର ପୁରୀ ଦୋଳମଣ୍ଡପ ସାହିରେ। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ହୋଟେଲ ରୁମ୍‌ରୁ ପୁଲିସ ରକ୍ତ ଲଗା ଏକ ଲୁହା ପାଇପ୍‌, ରକ୍ତଭିଜା ତକିଆ, କିଛି ଗିଫ୍ଟ ଆଇଟମ୍‌, ଏକ ମୋବାଇଲ, ପ୍ୟାଣ୍ଟସାର୍ଟ ଆଦି ଜବତ କରିଛି। ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ର ସହଯୋଗରେ ଘଟଣା ଅନୁସନ୍ଧାନ ଆରମ୍ଭ କରିଛି। ଘଟଣା ପରଠାରୁ ଆଦିତ୍ୟ ଫେରାର ହୋଇ ଯାଇଥିବାରୁ ପୁଲିସର ସନ୍ଦେହ ତା’ ଉପରେ ବଢ଼ି ଯାଇଛି। ଆଦିତ୍ୟକୁ ଗିରଫ କରିବାକୁ ପୁଲିସ ପୁରୀ, ଖୋର୍ଧା ଓ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ମିଳିଥିବା ସୂଚନା ମୁତାବକ, ଲକ୍ଷ୍ମୀପ୍ରିୟା ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳା। ସେ ୨୦୦୪ରେ ଗଡ଼ଖୋର୍ଧାର ଅକ୍ଷୟ ବିଶ୍ୱାଳଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇ ପୁଅ ଅଛନ୍ତି। ବିବାହର କିଛି ବର୍ଷ ପରେ ଦୁହିଁଙ୍କ ମଧ୍ୟରେ ମତାନ୍ତର ଘଟିଥିଲା । ଏ ନେଇ ଭୁବନେଶ୍ୱର ମହିଳା ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା। ଏହି କାରଣରୁ ଲକ୍ଷ୍ମୀପ୍ରିୟା ଭୁବନେଶ୍ୱର ଆସି ଭିଣୋଇ ସୁଶାନ୍ତ ପାଣିଙ୍କ ପାଖରେ ରହୁଥିଲେ।

ଏହା ମଧ୍ୟରେ ଲକ୍ଷ୍ମୀପ୍ରିୟାଙ୍କ ସମ୍ପର୍କ ଆଦିତ୍ୟ ମହାପାତ୍ରଙ୍କ ସହିତ ହୋଇଥିଲା । ଲକ୍ଷ୍ମୀପ୍ରିୟା ଆଦିତ୍ୟଙ୍କୁ ବିବାହ କରିବେ ବୋଲି ମାନସିକ ସ୍ତରରେ ସ୍ଥିର କରି ସାରିଥିଲେ। ଗତ ୨୨ ତାରିଖରେ ଲକ୍ଷ୍ମୀପ୍ରିୟା ସପିଂ କରିବାକୁ ଯାଉଛି ବୋଲି ଭଉଣୀ, ଭିଣୋଇକୁ ଜଣାଇଥିଲେ। ଏହା ପରେ ସେ ଘରୁ ବାହାରି ଆସିଥିଲେ।
ହୋଟେଲ ମ୍ୟାନେଜର୍‌ ଦୀପକ ପାତ୍ରଙ୍କ ସୂଚନା ଅନୁସାରେ , ୨୨ ତାରିଖ ସଂଧ୍ୟାରେ ଦୁହେଁ ହୋଟେଲକୁ ଆସିଥିଲେ। ସେମାନଙ୍କ ବିବାହର ଫଟୋଗ୍ରାଫ୍‌ ଦେଖାଇଥିଲେ। ଆଦିତ୍ୟ ନିଜ ଆଧାର କାର୍ଡ ମଧ୍ୟ ହୋଟେଲ ରିସେପସନ୍‌ରେ ଜମା କରିଥିଲେ। ସେହିଦିନ ସେମାନେ ରାତି ତମାମ ହୋଟେଲରେ ଥିଲେ। ୨୩ ତାରିଖ ସକାଳ ସାଢ଼େ ୧୦ଟା ବେଳେ ସପିଂ କରିବାକୁ ଯାଉଛନ୍ତି କହି ଉଭୟ ଚାଲି ଯାଇଥିଲେ। ଦିନ ଗୋଟାଏ ବେଳେ କିଛି ଗିଫ୍ଟ ଆଇଟମ୍‌ ଧରି ହୋଟେଲକୁ ଫେରିଥିଲେ। ସଂଧ୍ୟାରେ ହୋଟେଲ ରୁମ୍‌ବଏ ଭଡ଼ା ଟଙ୍କା ମାଗିବାକୁ ସେମାନେ ରହୁଥିବା ରୁମ୍‌କୁ ଯାଇଥିଲେ। ଆଦିତ୍ୟ କହିଥିଲେ, ‘ମୁଁ ଏଟିଏମରୁ ଟଙ୍କା କାଢ଼ି ରିସେପନ୍‌ରେ ଦେବି ତୁମେ ଯାଅ’ । ଏହା ପରେ ସେହି ରୁମ୍‌ରେ ଟିଭି ସାଉଣ୍ଡ ମଧ୍ୟ ବଢ଼ି ଯାଇଥିଲା । ଆଦିତ୍ୟ ଟଙ୍କା ଉଠାଇବାକୁ ହୋଟେଲ ରୁମ୍‌ରୁ ବାହାରି ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଫେରିବାରୁ ସେ ଆଦିତ୍ୟଙ୍କ ମୋବାଇଲ୍‌କୁ ଫୋନ୍‌ କରିଥିଲେ , କିନ୍ତୁ ଏହା ସୁଇଚ୍‌ ଅଫ୍‌ ଦେଖାଇଥିଲା । ଏହା ପରେ ରୁମ୍‌ ବଏ ଟଙ୍କା ପାଇଁ ସିଧା ରୁମ୍‌କୁ ଯାଇଥିଲା । ଏହି ସମୟରେ ରୁମ୍‌ରେ ବାହାର ପଟୁ ତାଲା ପଡ଼ିଥିଲା। ତେବେ ଭିତରୁ ଟିଭି ଚାଲୁଥିବା ଶବ୍ଦ ଶୁଭୁଥିଲା। ସେ ମ୍ୟାନେଜର୍‌ଙ୍କୁ ଜଣାଇବାରୁ ପୁଲିସକୁ ଖବର ଦେଇଥିଲେ। ପୁଲିସ ହୋଟେଲରେ ପହଞ୍ଚି ରୁମ୍‌ ତାଲା ଭାଙ୍ଗି ଯାହା ଦେଖିଲା ସ୍ତବ୍ଧହୋଇ ଯାଇଥିଲା । ଲକ୍ଷ୍ମୀପ୍ରିୟାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଖଟ ନିକଟରେ ପଡ଼ିଥିଲା। ସେ ଏକ ରକ୍ତଭିଜା ତକିଆ କୁଣ୍ଢାଇଥିଲେ। ତାଙ୍କ ମୁଣ୍ଡର ୩ଟି ସ୍ଥାନରେ କ୍ଷତ, ରକ୍ତ ଧାର ଧାର ବୋହି ଯାଇଛି, ଟିଭି ଚାଲୁଛି, ଫ୍ୟାନ୍‌ ବୁଲୁଛି, ଲାଇଟ ମଧ୍ୟ ଜଳୁଛି। ପୁଲିସ ମୃତଦେହର ପଞ୍ଚନାମା କରି କ୍ୟାପିଟାଲ ହସ୍ପିଟାଲ ପଠାଇ ଦେଇଥିଲା। ଆଦିତ୍ୟ ଫେରାର ହୋଇଯାଇଥିବାରୁ ପୁଲିସ ତାଙ୍କୁ ହିଁ ସନ୍ଦେହ କରୁଛି। ଖବର ପାଇ ଲକ୍ଷ୍ମୀପ୍ରିୟାଙ୍କ ଭିଣୋଇ ମଞ୍ଚେଶ୍ୱର ଥାନାରେ ପହଞ୍ଚିଥିଲେ। ସେ କହିଥିଲେ ୨୩ ତାରିଖରେ ସଂଧ୍ୟାରେ ସେ ଘରକୁ ଫେରିବ ବୋଲି କହିଥିଲା। ବିଳମ୍ବ ହେବାରୁ ପୁଣି ଥରେ ଫୋନ୍‌ କରିବାରୁ ଲକ୍ଷ୍ମୀପ୍ରିୟାଙ୍କ ସହିତ କେହି ପାଟିତୁଣ୍ଡ କରୁଥିବା ଶୁଭିଥିଲା। ଏହାର କିଛି ସମୟରେ ମୋବାଇଲ ଫୋନ୍‌ ବନ୍ଦ ହୋଇ ଯାଇଥିଲା। ମଞ୍ଚେଶ୍ୱର ଥାନା ପୁଲିସ କହିଛି, ଏ ନେଇ ଏକ ହତ୍ୟା ମାମଲା ରୁଜୁ ହୋଇଛି। ପୁଲିସ ଆଦିତ୍ୟଙ୍କ ଆଧାରକାର୍ଡ ଜବତ କରିଛି। ଆଧାରକାର୍ଡ ଠିକଣାରେ ପୁଲିସ ତାଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ