Connect with us

ଓଡିଶା

ମୋ ସ୍କୁଲ ଯୋଜନାର ଚତୁର୍ଥ ପର୍ଯ୍ୟାୟରେ ୧୮ଟି ଜିଲ୍ଲାର ୧୪୯୯ ବିଦ୍ୟାଳୟ ସାମିଲ

ସାଙ୍କେତିକ ଚିତ୍ର

ମୋ ସ୍କୁଲ ଯୋଜନାର ଚତୁର୍ଥ ପର୍ଯ୍ୟାୟରେ ୧୮ଟି ଜିଲ୍ଲାର ୧୪୯୯ ବିଦ୍ୟାଳୟ ସାମିଲ
ଭୁବନେଶ୍ୱର ମୁଖ୍ୟମନ୍ତ୍ରୀଙ୍କ ଗୋଷ୍ଠୀ-ସମ୍ପୃକ୍ତ ଶିକ୍ଷା କାର୍ଯ୍ୟକ୍ରମ ମୋ ସ୍କୁଲ ପ୍ରକଳ୍ପର ଚତୁର୍ଥ ପର୍ଯ୍ୟାୟରେ ୧୮ଟି ଜିଲ୍ଲାର ୧୪୯୯ଟି ବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ସ୍ଥିର କରାଯାଇଛି । ଏହି ଜିଲ୍ଲା ଓ ସ୍କୁଲ ଗୁଡ଼ିକର ସଂଖ୍ୟା ହେଲା ବୌଦ୍ଧ-୦୭, ବରଗଡ଼-୨୩୪, ବଲାଙ୍ଗୀର-୦୧, କଟକ-୮୭, ଗଞ୍ଜାମ-୨୩୩, ଜଗତସିଂହପୁର-୧୭, ଝାରସୁଗୁଡ଼ା-୪୬, ଖୋର୍ଦ୍ଧା-୪୫, କଳାହାଣ୍ଡି-୧୨, କନ୍ଧମାଳ-୧୬, କେନ୍ଦ୍ରାପଡ଼ା-୧୧୬, କୋରାପୁଟ-୧୫୦, ମୟୁରଭଞ୍ଜ-୦୨, ନୂଆପଡ଼ା-୧୦୩, ନବରଙ୍ଗପୁର-୧୭୬, ସୁବର୍ଣ୍ଣପୁର-୬୪, ସମ୍ବଲପୁର-୭୩ ଓ ସୁନଦରଗଡ଼-୧୦୦ । ଏହିସବୁ ଜିଲ୍ଲାର ମୋ ସ୍କୁଲ ଯୋଜନାରେ ୧୬କୋଟି ୬୪ ଲକ୍ଷ ୮୮ ହଜାରରୁ ଉଦ୍ଧ୍ୱର୍ ଅର୍ଥ ବ୍ୟୟ କରାଯିବ । ଏଥିରୁ ରାଜ୍ୟ ସରକାର ୧୧ କୋଟି ୯ଲକ୍ଷ ୯୨ ହଜାର ଟଙ୍କା ଅନୁଦାନ ଦେଇଥିବା ବେଳେ ଜନସାଧାରଣଙ୍କ ଠାରୁ ୫ କୋଟି ୫୪ ଲକ୍ଷ ୯୬ ହଜାର ଟଙ୍କା ସଂଗୃହୀତ ହୋଇଛି । ବରାଦ ହୋଇଥିବା ଏହି ଅର୍ଥରେ ସ୍କୁଲର ଭିତିଭୂମି, ଶ୍ରେଣୀଗୃହର ଉନ୍ନତି, ପାଠାଗାର-ପୁସ୍ତକ, ଖେଳ ସାମଗ୍ରୀ, ଶ୍ରେଣୀଗୃହର ଆସବାବପତ୍ର ଯୋଗାଣ, ସ୍କୁଲ ବଗିଚା ଆଦିର ଉନ୍ନତିକରଣ କାର୍ଯ୍ୟ ଅନ୍ତର୍ଭୁକ୍ତ ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମୋ ସ୍କୁଲ ଅଭିଯାନର ଚତୁର୍ଥ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏହା ସ୍ଥିର କରାଯାଇଛି । ବୈଠକରେ ଶ୍ରୀ ମହାପାତ୍ର ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ପ୍ରକଳପ ପରିଚାଳନା ଓ ତଦାରଖ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ମୋ ସ୍କୁଲ ଯୋଜନାର ଆଜି ଯାଏ ୪୦୯୭ ସ୍କୁଲ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଏ ବାବଦରେ ୩୮ କୋଟି ୪୯ ଲକ୍ଷ ୪୯ ହଜାର ବ୍ୟୟ ମଞ୍ଜୁର କରାଯାଇଛି । ଏହି ମଞ୍ଜୁରି ଅର୍ଥ ୧୫ ଦିନ ମଧ୍ୟରେ ସମ୍ପୃକ୍ତ ସ୍କୁଲରେ ପହଂଚିବା ସହିତ ପ୍ରସ୍ତାବିତ କାର୍ଯ୍ୟସମୂହର ଅନଲାଇନ ମନିଟରିଂ କରାଯିବାକୁ ବ୍ୟବସ୍ଥା ହୋଇଛି ବୋଲି ମୋ ସ୍କୁଲ ଯୋଜନାର ସଦସ୍ୟ ସଚିବ ତଥା ଓପେପା ଓ ମାଧ୍ୟମିକ ଶିକ୍ଷା ମିଶନ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ସୂଚନା ଦେଇଛନ୍ତି ।
ବୈଠକରେ ପ୍ରାଥମିକ ଶିକ୍ଷା, ଏସସିଇଆରଟି, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଗଣ, ରାସ୍ତା ଓ କୋଠାବାଡ଼ି ନିର୍ମାଣ ବିଭାଗ ସୁପରିଟେଣ୍ଡିଂ ନିର୍ବାହୀ ଯନ୍ତ୍ରୀ, ମୁଖ୍ୟ ପରିଚାଳନା ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା