Connect with us

ଓଡିଶା

ମାର୍ଚ୍ଚ ୫ ସୁଦ୍ଧା ସବୁ ବିଭାଗରେ ମୋ ସରକାର ଲାଗୁ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ସାଙ୍କେତିକ

ମାର୍ଚ୍ଚ ୫ ସୁଦ୍ଧା ସବୁ ବିଭାଗରେ ମୋ ସରକାର ଲାଗୁ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
– ଡ଼ିସେମ୍ବର ଶେଷସୁଦ୍ଧା ରାଜସ୍ୱ ସଂଗ୍ରହରେ ୮ % ଅଭିବୃଦ୍ଧି
ଭୁବନେଶ୍ୱର, ୨୪ ଜାନୁୟାରୀ – ଚଳିତ ଆର୍ଥିକ ବର୍ଷ ଡ଼ିସେମ୍ବର ଶେଷସୁଦ୍ଧା ଓଡ଼ିଶାର ରାଜସ୍ୱ ସଂଗ୍ରହରେ ୮.୩୯ % ଅବିବୃଦ୍ଧି ଘଟିଛି । ଶୁକ୍ରବାର ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକର ଆଲୋଚନାରୁ ଏହା ଜଣାପଡିଛି । ବିଭିନ୍ନ ବିଭାଗର ଆର୍ଥିକ ପରିଚାଳନା କାର୍ଯ୍ୟ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ବଜେଟ୍ ବିନିଯୋଗକୁ ତ୍ୱରାନ୍ୱିତ କରିବା ସହ ଆସନ୍ତା ମାର୍ଚ୍ଚ ୫ ତାରିଖ ସୁଦ୍ଧା ପ୍ରତି ବିଭାଗରେ ମୋ ସରକାର ମାନକ ପ୍ରୟୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଥିଲେ ଯେ ବର୍ତମାନ ବିଭିନ୍ନ ଆନ୍ତର୍ଜାତିକ ସଂସ୍ଥାମାନେ ଓଡ଼ିଶାକୁ ଏକ ପ୍ରଗତିଶୀଳ ଓ କର୍ମଚଂଚଳ ରାଜ୍ୟଭାବେ ପ୍ରଶଂସା କରୁଥିବାରୁ ଏହାକୁ ଏକ ଉତମ ମାନର ଅନୁଶାସିତ ରାଜ୍ୟରେ ପରିଣତ କରିବା ପାଇଁ ସରକାରୀ ବିଭାଗମାନେ ଆଗଭର ହୁଅନ୍ତୁ । ତ୍ୱରିତ ଓ ସଠିକ୍ ସେବା ଯୋଗାଣ ମାଧ୍ୟମରେ ଏହା ସମ୍ଭବ ହେବ । ଅଧିକରୁ ଅଧିକ ସରକାରଙ୍କଠାରୁ ନାଗରିକ ଓ ବ୍ୟବସାୟ ସଂସ୍ଥା ମାନଙ୍କୁ ଯୋଗାଯାଉଥିବା ସେବାକୁ ଅନ୍‌ଲାଇନ୍ କରିବା, ସହ ସେବା ଯୋଗାଣ ବିଷୟରେ ଲୋକମାନଙ୍କ ସନ୍ତୋଷ ଓ ମତାମତକୁ ଅଗ୍ରାଧିକାର ଦେବା ପାଇଁ ଶ୍ରୀ ତ୍ରିପାଠୀ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ବ୍ୟାଙ୍କ୍ ବା କର୍ପୋରେସନରେ ପାଣ୍ଠି ଜମାନରଖି ସାଧାରଣ ଟ୍ରେଜରୀ ପୋର୍ଟାଲ୍ ମାଧ୍ୟମରେ ପ୍ରକୃତ ବିନିଯୋଗ କରିବା ନିମନ୍ତେ ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ବିଭାଗମାନଙ୍କୁ ପରାମର୍ଶ ଦେଇଥିଲେ ।
ରାଜ୍ୟ ଲୋକସେବା ଭବନ ସଭାଗୃହଠାରେ ଅନୁଷ୍ଠିତ ଏହି ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା ଡ଼ିସେମ୍ବର ମାସ ଶେଷସୁଦ୍ଧା ରାଜସ୍ୱ ସଂଗ୍ରହ ଓ ବଜେଟ୍ ବିନିଯୋଗ ସମ୍ବନ୍ଧିତ ବିଷୟବସ୍ତୁ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ଶ୍ରୀ ମୀନା ଜଣାଇଥିଲେ ଯେ ଚଳିତ ଆର୍ଥିକ ବର୍ଷ ଡ଼ିସେମ୍ବର ଶେଷସୁଦ୍ଧା ପ୍ରାୟ ୯,୪୯୮ କୋଟି ଟଙ୍କା ଅଣ-ଟିକସ ରାଜସ୍ୱ ବାବଦରେ ସଂଗ୍ରହ ହୋଇ ଏ କ୍ଷେତ୍ରରେ ୯ % ଅବିବୃଦ୍ଧି କରାଯାଇଛି । ସେହିପରି ନିଜସ୍ୱ -ଟିକସ୍ କ୍ଷେତ୍ରରେ ମଧ୍ୟ ୮.୧୩ % ବୃଦ୍ଧି ଘଟିଛି । ଗତ ଅ ।ର୍ଥିକ ବର୍ଷ ଡ଼ିସେମ୍ବର ଶେଷସୁଦ୍ଧା ନିଜସ୍ୱ-ଟିକସ୍ ବାବଦରେ ୨୦,୮୯୮ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ଚଳିତ ବର୍ଷ ଡ଼ିସେମ୍ବର ଶେଷସୁଦ୍ଧା ୨୨,୫୯୯ କୋଟି ଟଙ୍କା ଆଦାୟ ହୋଇଛି ।
ସମତାଳରେ ବଜେଟ୍ ବିନିଯୋଗରେ ମଧ୍ୟ ପ୍ରାୟ ୧୫ % ଅଭିବୃଦ୍ଧି ଘଟିଛି । ଗତ ଆର୍ଥିକ ବର୍ଷ ଅକ୍ଟୋବର ମାସ ଶେଷସୁଦ୍ଧା ବିଭିନ୍ନ ବିଭାଗମାନେ ୭୧,୬୦୨ କୋଟି ଟଙ୍କା ବିନିଯୋଗ କରିଥିବାେ ବେଳେ ଚଳିତ ବର୍ଷ ଏହି ବିନିଯୋଗ ୮୨,୨୦୦ କୋଟି ଟଙ୍କା ଅତିକ୍ରମ କରିଛି । କୃଷି କ୍ଷେତ୍ରରେ ବିନିଯୋଗ ପରିମାଣ ୧୧୨୫୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ସାମାଜିକ ଓ ଭିତିଭୂମି କ୍ଷେତ୍ରରେ ଏହା ଯଥାକ୍ରମେ ୩୪,୪୦୦ ଏବଂ ୯,୧୯୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।
ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଏବଂ ସ୍ୱତନ୍ତ୍ର ଶାସନ ସଚିବମାନେ ବୈଠକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା