Connect with us

ଅପରାଧ

ବ୍ୟାଙ୍କରୁ ଋଣ ଠକେଇ କରିଥିବା ଅଭିଯୋଗରେ ୩ ଗିରଫ

ସାଙ୍କେତିକ ଚିତ୍ର

ଭୁବନେଶ୍ୱର ୧୦।୧୦ ଜାଲ୍‌ କାଗଜପତ୍ର ଦାଖଲ କରି ବ୍ୟାଙ୍କରୁ ଋଣ ଠକେଇ କରିଥିବା ଅଭିଯୋଗରେ କ୍ରାଇମବାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଏକ ଦମ୍ପତିଙ୍କ ସମେତ ୩ ଅଭିଯୁକ୍ତଙ୍କୁ ବୁଧବାର ଗିରଫ କରିଛି । ସେମାନେ ହେଲେ ପୁରୀ ଜିଲା ସତ୍ୟବାଦୀ ଥାନା ଶ୍ରୀରାମଚନ୍ଦ୍ରପୁର ହାଟସାହି ଅଞ୍ଚଳର ଦେବୀ ପ୍ରସାଦ ପଟ୍ଟନାୟକ(୩୬), ତାଙ୍କ ସ୍ତ୍ରୀ ସଂଯୁକ୍ତା ଜେନା(୩୨) ଏବଂ ଗଞ୍ଜାମ ଜିଲା ଗଙ୍ଗପୁର ଥାନା ବଡସହରା ଅଞ୍ଚଳର ଖଲି ମହାନ୍ତି(୫୦) ।
ସୂଚନା ଅନୁସାରେ , ଦେବୀ ପ୍ରସାଦ ଓ ତାଙ୍କ ସ୍ତ୍ରୀ ସଂଯୁକ୍ତା ବସେରା ଡିଜାଇନ ପ୍ରାଇଭେଟ ଲିମିଟେଡ୍‌ ନାମକ କନଷ୍ଟ୍ରକ୍ସନ କମ୍ପାନୀରୁ ଫ୍ଲାଟ କିଣିବାକୁ ଚୁକ୍ତି କରିଥିଲେ । ଏହି କମ୍ପାନୀର ‘ବସେରା ଇମ୍ପ୍ରିଜନ ପ୍ଲସ’ ଆପାର୍ଟମେଣ୍ଟ ପ୍ରୋଜେକ୍ଟର ୪୦୪ ନମ୍ବର ଫ୍ଲାଟ କିଣିବା ଲାଗି ସେମାନେ ବାପୁଜୀନଗରସ୍ଥିତ ଆଲ୍ଲାହାବାଦ ବ୍ୟାଙ୍କ ଶାଖାରେ ଜାଲ କାଗଜ ପତ୍ର ଦାଖଲ କରି ୨୦୧୧ ମସିହାରେ ୩୯ ଲକ୍ଷ ଟଙ୍କା ଋଣ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଋଣ ପରିଶୋଧ କରି ନ ଥିଲେ । ଫଳରେ ଋଣ ପରିମାଣ ୪୬ ଲକ୍ଷ ୫୨ ହଜାର ଟଙ୍କାରେ ପହଂଚି ଯାଇଇଥିଲା । ଏହା ପରେ ଉଭୟେ ଫେରାର ହୋଇଯାଇଥିଲେ ।

ଠିକ ସେହିପରି ଖଲି ମହାନ୍ତି ନାମକ ବ୍ୟକ୍ତି ବସେରା ଡିଜାଇନ ପ୍ରାଇଭେଟ ଲିମିଟେଡ କନଷ୍ଟ୍ରକ୍ସନ କମ୍ପାନୀର ‘ବସେରା ବୃନ୍ଦାବନ’ ପ୍ରୋଜେକ୍ଟରୁ ଫ୍ଲାଟ କିଣିବା ଲାଗି ଜାଲ କାଗଜ ପତ୍ର ଦାଖଲ କରି ବାପୁଜୀନଗରସ୍ଥିତ ଆଲ୍ଲାହାବାଦ ବ୍ୟାଙ୍କ ଶାଖାରୁ ୩୦ ଲକ୍ଷ ଟଙ୍କା ଋଣ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଫ୍ଲାଟଟିକୁ ଅନ୍ୟ ଜଣଙ୍କୁ ବିକ୍ରି କରିଦେଇଥିଲେ,କିନ୍ତୁ ଋଣ ପରିଶୋଧ ନ କରି ଫେରାର ହୋଇଯାଇଥିଲେ ।

ଏହି ଦୁଇଟି ଘଟଣାରେ ବ୍ୟାଙ୍କର ୧କୋଟି ୧୭ ଲକ୍ଷ ୭୫ ହଜାର ଟଙ୍କା ଠକେଇ ହୋଇଥିଲା ଏହାକୁ ନେଇ ମୁଖ୍ୟ ପରିଚାଳକ ଇଶିଦୋର କୁଜୁର ଗତ ୨୭ ତାରିଖରେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ । ଏ ନେଇ ଇଓଡବ୍ଲ୍ୟୁରେ ଏକ ମାମଲା ରୁଜୁ ହୋଇଥିଲା । ବୁଧବାର ଇଓଡବ୍ଲ୍ୟୁର ୨ଟି ଟିମ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଚଢଉ କରି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ଠକେଇରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ତଦନ୍ତ ଚାଲିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ