Connect with us

ଓଡିଶା

ବେବିନାକୁ ନ୍ୟାୟ ଦାବିରେ ମହିଳା ମୋର୍ଚ୍ଚାର ଚୁଡି ଭେଟି ରାଲି

ସାଙ୍କେତିକ

ବେବିନାକୁ ନ୍ୟାୟ ଦାବିରେ ମହିଳା ମୋର୍ଚ୍ଚାର ଚୁଡି ଭେଟି ରାଲି
ସଚିବାଳୟ ଗେଟରେ ବାନ୍ଧିଲେ ଚୁଡି
ଭୁବନେଶ୍ୱର,୨୧ା୧ : ରାଜ୍ୟରେ ନାରୀ ନିର୍ଯାତନା ଓ ନାବାଳିକା ଦୁଷ୍କର୍ମ ଓ ହତ୍ୟା ବୃଦ୍ଧି ପାଇବା ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଲ୍ ଚୁଡି ଭେଟି ଦେବାପାଇଁ ନବୀନ ନିବାସ ନଯାଇ ସଚିବାଳୟ ଆଡକୁ ଗଲାବେଳେ ଲୋୟର ପିଏମଜି ଠାରେ ପୋଲିସ୍ ସେମାନଙ୍କୁ ଅଟକାଇଛି । ଫଳରେ ସେମାନଙ୍କ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା । ମହିଳା କର୍ମୀମାନେ ପୋଲିସ୍ ମାନଙ୍କ ଉପରେ ,ଚୁଡି ମାଡ କରିଥିଲେ । ଏହାସହ ସାଥିରେ ଆଣିଥିବା ଚୁଡିକୁ ବ୍ୟାରିକେଟ୍ ରେ ବାନ୍ଧି ପ୍ରତିବାଦ କରିଥିଲେ ।

ଅନ୍ୟପକ୍ଷରେ ବ୍ୟାରିକେଟ୍ ଡେଇଁ ଆଉ କିଛି ମହିଳା କର୍ମୀ ସଚିବାଳୟର ୪ ନମ୍ବର ଗେଟ୍ ରେ ପହଂଚି ସଚିବାଳୟ ମଧ୍ୟକୁ ଧଶେଇ ପସିବାକୁ ଉଦ୍ୟମ କରିଥିଲେ । ପୋଲିସ୍ ସେମାନଙ୍କୁ ସେଠାରେ ବାଧା ଦେଇଥିଲା । ମହିଳା କର୍ମୀ ସଚିବାଳୟ ଗେଟ୍ ରେ ଚୁଡି ବାନ୍ଧିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ୍ ସେଠାରୁ ଉଠାଇ ନେଇ ଗିରଫ କରିଥିଲା । ଏଥିପାଇଁ ପୋଲିସ୍ କୁ ନାକେଦମ୍ ହେବାକୁ ପଡିଥିଲା । ସୋମବାର ଅପରାହ୍ନରେ ରାଜ୍ୟ କାର୍ଯ୍ୟାଳୟ ଠାରୁ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା , ସାଂସଦ ରୂପା ଗାଙ୍ଗୁଲି , ସୁରମା ପାଢୀ, ଲେଖାଶ୍ରୀ ସାମନ୍ତସିଂହାର , ପିଙ୍କି ପ୍ରଧାନ, ମହାଶ୍ୱେତା ରାୟ ଆଦିଙ୍କ ନେତୃତ୍ୱରେ ଚୁଡି ଭେଟି ରାଲି ବାହାରିଥିଲା ।

ଏହି ରାଲି ନବୀନ ନିବାସ ଅଭିମୁଖେ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଚୁଡି ଭେଟି ଦେବାକୁ ଯୋଜନା କରିଥିଲେ ହେଁ ମାଷ୍ଟରକ୍ୟାଂଟିନ୍ ଛକ ଠାରୁ ସଚିବାଳୟ ଆଡକୁ ଅଗ୍ରସର ହୋଇଥିଲେ । ହଜାର ହଜାର ସଂଖ୍ୟାରେ ମହିଳା କର୍ମୀମାନେ ଲୋୟର ପିଏମଜି ଦେଇ ସଚିବାଳୟ ଆଡକୁ ଯାଉଥିବା ବେଳେ ପୋଲିସ୍ ବ୍ୟାରିକେଟ୍ ପକାଇ ସେମାନଙ୍କୁ ବାଧା ଦେଇଥିଲା । ସଚିବାଳୟର ସମସ୍ତ ଗେଟ୍ କୁ ବନ୍ଦ କରିଦିଆଯାଇଥିଲା । ଏଥିଯୋଗୁଁ ସମ୍ପୃକ୍ତ ଅଂଚଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଏତେ ସଂଖ୍ୟକ ମହିଳା କର୍ମୀଙ୍କୁ ଅଟକାଇବା ପୋଲିସ୍ ପକ୍ଷେ କଷ୍ଟକର ହୋଇଥିଲା । ଦୀର୍ଘ ସମୟ ଧରି ଲୋୟର ପିଏମଜି ଠାରେ ଠେଲାପେଲା ଲାଗି ରହିଥିଲା । ମହିଳାମାନେ ଉତ୍ୟକ୍ତ ହୋଇ ପୋଲିସ୍ ଉପରକୁ ସାଥିରେ ଆଣିଥିବା ଚୁଡି ଫୋପାଡିଥିଲେ । ପୋଲିସ୍ ଶତାଧିକ ସଂଖ୍ୟାରେ ମହିଳାନେତ୍ରୀ ଓ କର୍ମୀଙ୍କୁ ଗିରଫ କରିନେଇଥିଲା । ପୋଲିସ୍ କୁ ଚକମା ଦେଇ ମହିଳା କର୍ମୀମାନେ ସଚିବାଳୟ ଆଡକୁ ଯାଇ ଧଶେଇ ପଶିବାକୁ ଚେଷ୍ଟା କରିଥିଲେ ହେଁ ସେମାନଙ୍କୁ ଗିରଫ କରାଯାଇଥିଲା ।

ଅପରପକ୍ଷରେ ଜାଣିଶୁଣି ସରକାର ପୁରୁଷ ପୋଲିସ ଲଗାଇ ମହିଳାଙ୍କୁ ଆକ୍ରମଣ କରି ପୁଣି ଥରେ ମହିଳା ଜାତିକୁ ଅସମ୍ମାନିତ ଏବଂ ଅପମାନିତ କରାଯାଇଛି ବୋଲି ଶ୍ରୀମତୀ ପରିଡା ଅଭିଯୋଗ କରିଛନ୍ତି । ପିପିଲିରେ ଘଟଥିବା କୁନ୍ଦୁଲି ଗଣଦୁର୍ଷ୍କମ ମାମଲାରେ ବି ରାଜ୍ୟସରକାର ପୀଡିତାଙ୍କୁ ନ୍ୟାୟ ଦେବ କ’ଣ ବରଂ ଧର୍ଷଣକାରୀଙ୍କ ସପକ୍ଷରେ କାମକରୁଥିଲା । ମୁଖ୍ୟମନ୍ତ୍ରୀଙ୍କ ମହିଳା ବିରୋଧୀ ନୀତି, ବେବିନାକୁ ନ୍ୟାୟ ଏବଂ ପିପିଲି ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ଶ୍ରୀମତୀ ପରିଡା ଦାବି କରିଛନ୍ତି । ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସଂହାର କହିଛନ୍ତି ଯେ ସରକାରଙ୍କୁ ବହିଷ୍କାର କରିବାପର୍ଯ୍ୟନ୍ତ ଲଢେଇ ଚାଲିବ । ଏଠି ବିଧାନସଭା ଚାଲିପାରୁନି । ବେବିନା ଗଣଦୁଷ୍କର୍ମ ଘଟଣାରେ କ୍ରାଇମବ୍ରାଂଚ ତଥ୍ୟ ନଷ୍ଟ କରିଛି । ଏହା ମହିଳା ସମ୍ମାନ ପାଇଁ ଲଢେଇ । ସରକାର ବେବିନାର ପରିବାରକୁ ନ୍ୟାୟ ଦେଇପାରିଲା ନାହିଁ ।

ସୁରମା ପାଢୀ କହିଥିଲେ ଯେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢେଇ ଚାଲିବ । ଅପାରଗ ଓ ଦୁର୍ନୀତି ଗସ୍ତ ସରକାରଙ୍କ ପାଇଁ ରାଜ୍ୟବାସୀ ଜର୍ଜରିତ ହୋଇଛନ୍ତି । ଦରକାର ପଡିଲେ ନବୀନ ପଟ୍ଟନାୟକଙ୍କୁ ତୃତୀୟ ମହଲାର ଚୌକିରୁ ଭିଡି ଆଣିବୁ । ତାଙ୍କୁ ଜବାବ୍ ଦେବାକୁ ପଡିବ ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା