Connect with us

ଓଡିଶା

ବିଧାୟକଙ୍କ ଶପଥ ଗ୍ରହଣ ଶେଷ ,ଆଜି ବାଚସ୍ପତି ନିର୍ବାଚନ

ସାଙ୍କେତିକ

ବିଧାୟକଙ୍କ ଶପଥ ଗ୍ରହଣ ଶେଷ ,ଆଜି ବାଚସ୍ପତି ନିର୍ବାଚନ
– ଶପଥ ନେଇ ପାରିଲେନି ୩ ବିଜେପି ବିଧାୟକ
ଭୁବନେଶ୍ୱର,୩୧ ମଇ – ବିଧାୟକମାନଙ୍କ ପାଇଁ ବିଧାନସଭାରେ ଆୟୋଜିତ ଦୁଇ ଦିନିଆ ଶପଥ ପାଠ କାର୍ଯ୍ୟକ୍ରମ ଶୁକ୍ରବାର ସଂଧ୍ୟାରେ ସମାପ୍ତ ହୋଇଛି । ଗତକାଲି ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୦୬ ଜଣ ବିଧାୟକ ଓ ବିଧାୟିକା ଶପଥ ଗ୍ରହଣ କରିଥିଲେ । ଶୁକ୍ରବାର ଦ୍ୱିତୀୟ ଦିନରେ ୩୫ ଜଣ ବିଧାୟକ ବିଧାୟିକା ଶପଥ ପାଠ କରିଥିଲେ । ୧୪୬ ଜଣ ସଦସ୍ୟ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଥିଲେ ହେଁ ୧୪୧ ଜଣ ଶପଥ ନେଇଛନ୍ତି । କାମଚଳା ବାଚସ୍ପତି ଅମର ପ୍ରସାଦ ଶତପଥୀ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ତେବେ ୩ ଜଣ ବିଜେପି ବିଧାୟକ ଶପଥ ନେଇ ପାରି ନାହାନ୍ତି । ସେମାନେ ହେଲେ ବାରିପଦା ନିର୍ବାଚନ ମଣ୍ଡଳୀର ପ୍ରକାଶ ସୋରେନ୍ , ଉମରକୋଟ ର ନିତ୍ୟାନନ୍ଦ ଗଣ୍ଡ ଏବଂ ମାଲକାନଗିରିର ଆଦିତ୍ୟ ମାଢୀ ।
ଆସନ୍ତାକାଲି ବାଚସ୍ପତି ନିର୍ବାଚନରେ ଶପଥ ନେଇ ପାରିନଥିବା ୩ ଜଣ ସଦସ୍ୟ ଭାଗ ନେଇ ପାରିବେ ନାହିଁ । ସ୍ଥାୟୀ ବାଚସ୍ପତି ନିର୍ବାଚିତ ହେବା ପରେ ତାଙ୍କ ପ୍ରକୋଷ୍ଠରେ ଯେକୌଣସି ଦିନରେ ସେମାନେ ଶପଥ ନେଇ ପାରିବେ ।
ଶୁକ୍ରବାର ବିଧାନସଭାରେ ଶପଥପାଠ ଉତ୍ସବର ପ୍ରଥମାର୍ଦ୍ଧ ବୈଠକରେ ମୋଟ ୨୧ ଜଣ ବିଧାୟକ ଓ ବିଧାୟିକା ଶପଥ ଗ୍ରହଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ଶାସକ ବିଜେଡି ଦଳର ୧୭ ଜଣ ସିପିଏମ୍ ର ଏକ ମାତ୍ର ବିଧାୟକ ଲକ୍ଷ୍ମଣ ମୁଣ୍ଡା , କଂଗ୍ରେସର ଜଣେ (ରମେଶ ଜେନା) , ବିଜେପିର ୨ ଜଣ (ପ୍ରଦୀପ୍ତ ନାୟକ ଓ ଭାସ୍କର ମଢେଇ) ଶପଥ ନେଇଥିଲେ । ଏହି ଶପଥ ପାଠ ଉତ୍ସବ ପୂର୍ବାହ୍ନ ୧୦ଟାରେ ଆରମ୍ଭ ହୋଇଥିଲେ ହେଁ ବିଧାୟକ ମାନେ ଆସିନଥିବାରୁ କାମଚଳା ବାଚସ୍ପତି ଶ୍ରୀ ଶତପଥୀ ୧୦ଟା ୭ରୁ ୧୦ଟା ୩୭ ପର୍ଯ୍ୟନ୍ତ ୩୦ ମିନିଟ୍ , ୧୧ ଟା ୨୨ ରୁ ୧୨ ଟା ୧୫ ୫୩ ମିନିଟ୍ , ୧୨ଟା ୩୬ ରୁ ୧୨ ଟା ୫୦ ୧୪ ମିନିଟ୍ ପର୍ଯ୍ୟନ୍ତ ଗୃହର କାର୍ଯ୍ୟକ୍ରମକୁ ବନ୍ଦ ରଖିଥିଲେ । ଦ୍ୱିତୀୟାର୍ଦ୍ଧ ବୈଠକରେ ୧୪ ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ । ବିଜେପିର ୧୨ ଜଣ , କଂଗ୍ରେସ ର ଜଣେ ଏବଂ ବିଜେଡିର ଜଣେ ସଦସ୍ୟ ଶପଥ ପାଠ କରିଥିଲେ । ଦ୍ୱିତୀୟାର୍ଦ୍ଧ ବୈଠକରେ ୩ଟା ୪୬ ରୁ ୪ଟା ୩୦ ପର୍ଯ୍ୟନ୍ତ ୪୪ ମିନିଟ୍ , ୪ଟା ୩୮ରୁ ୪ ଟା ୫୦ ପର୍ଯ୍ୟନ୍ତ ୧୨ ମିନିଟ୍ ପର୍ଯ୍ୟନ୍ତ ଗୃହ ବନ୍ଦ ରହିଥିଲା ।
ଶପଥପାଠ କାର୍ଯ୍ୟକ୍ରମରେ ଶ୍ରୀ ଶତପଥୀ ପଂଚଦଶ ବିଧାନସଭାର ବାଚସ୍ପତି ପ୍ରଦୀପ ଅମାତ୍ ଙ୍କୁ ଶପଥପାଠ କରାଇଥିଲେ । ପୂର୍ବତନ ବାଚସ୍ପତି ପ୍ରଦୀପ ଅମାତ୍ ,ଡ. ନୃସିଂହ ଚରଣ ସାହୁ, ଶ୍ରୀମତୀ ଉଷା ଦେବୀ , ରୋହିତ୍ ପୂଜାରୀ , ପ୍ରତାପ ଦେବ ମାନେ ଇଂରାଜୀରେ ଶପଥ ପାଠ କରିଥିବା ବେଳେ ଅନ୍ୟମାନେ ସମସ୍ତେ ଓଡିଆରେ ଶପଥ ପାଠ କରିଥିଲେ ।
ପ୍ରଥମାର୍ଦ୍ଧ ବୈଠକ ଅପରାହ୍ନ ୧ଟା ରେ ଶେଷ ହେବା ପରେ ଦ୍ୱିତୀୟାର୍ଦ୍ଧ ବୈଠକ ଅପରାହ୍ନ ୩ ଟାରେ ଆରମ୍ଭ ହେବ ବୋଲି ବାଚସ୍ପତି କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା