Connect with us

ଓଡିଶା

ବିଜେପି ନେତାଙ୍କ ପାଇଁ ଓଡ଼଼ିଶା ହକ୍ ରୁ ବଂଚିତ ହୋଇଛି : ମୁଖ୍ୟମନ୍ତ୍ରୀ

ସାଙ୍କେତିକ

ବିଜେପି ନେତାଙ୍କ ପାଇଁ ଓଡ଼଼ିଶା ହକ୍ ରୁ ବଂଚିତ ହୋଇଛି : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୮ ଅପ୍ରେଲ – ନିର୍ବାଚନ ହେଲେ ବିଜେପିର ବଡ ବଡ ନେତାମାନେ ଓଡିଶା ଆସୁଛନ୍ତି । ଭୋଟ ମାଗୁଛନ୍ତି । ବିଜେପି ନେତାଙ୍କ ପାଇଁ ଓଡ଼଼ିଶା ହକରୁ ବଂଚିତ ହୋଇଛି । ୫ ମିନିଟର କାମ ୫ ବର୍ଷରେ ହୋଇ ପାରିଲା ନାହିଁ । କୋଇଲା ରୟାଲିଟି ନିୟମ ସଂଶୋଧନ କାହିଁକି ହୋଇନି ? କେନ୍ଦ୍ର କୋଇଲା ରୟାଲଟିରୁ ହଜାର ହଜାର କୋଟି ଟଙ୍କା ପାଉଛି । କିନ୍ତୁ ସ୍ଥାନୀୟ ଅଂଚଳର ବିକାଶ ପାଇଁ କଣ କରୁଛନ୍ତି । ଜମି ହରାଇଥିବା ଲୋକଙ୍କୁ ନ୍ୟାୟ ମିଳୁନି । ଓଡିଆ କେନ୍ଦ୍ରମନ୍ତ୍ରୀମାନେ ଚୁପ୍ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ।
ଗୁରୁବାର ଦିନ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ଗସ୍ତ କରି ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀ ମାନଙ୍କ ସପକ୍ଷରେ ପ୍ରଚାର କରିବା ଅବସରରେ ଏହା କହିଛନ୍ତି । ସେ ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି ଯେ ଓଡ଼ିଶାର ବିଜେପିର ବଡ଼ ବଡ଼ ନେତାମାନେ କୋଇଲା କାରବାର କରୁଛନ୍ତି କି ? ଏମସିଏଲ, ଏନଟିପିସି ହଜାର ହଜାର କୋଟି ଟଙ୍କା ଆୟ କରୁଛି କିନ୍ତୁ ଲୋକଙ୍କୁ କିଛି ମିଳୁନି । ନିଜ ଅଂଚଳରେ ବଡ଼ ବଡ଼ ଖଣିଖାଦାନ ଥିଲେ ମଧ୍ୟ ଯୁବକଙ୍କୁ ଚାକିରି ମିଳୁନି । ବିଜେପି ନେତାମାନେ କଂଟ୍ରାକ୍ଟର ବନ୍ଧୁଙ୍କ ପାଇଁ କାମ କରୁଛନ୍ତି କି? ବିଜେପି ନେତାଙ୍କୁ ଏହି ସବୁ ପ୍ରଶ୍ନ କରିବା ପାଇଁ ଭୋଟରଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିପରି ସବୁ ନିର୍ବାଚନୀ ସଭା ପରି ମୁଖ୍ୟମନ୍ତ୍ରୀ ପୁଣି କାଳିଆ ଯୋଜନା କଥା ଦୋହରାଇ କହିଛନ୍ତି ଯେ, କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । କିନ୍ତୁ କେନ୍ଦ୍ରର ବିଜେପି ସରକାର କାଳିଆ ଯୋଜନାକୁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର ଚଳାଇଛନ୍ତି । ହେଲେ ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ । ବିଜୁ ଜନତା ଦଳ ସରକାର ଗଠନ କରିବାର ପ୍ରଥମ ଦିନରେ କାଳିଆ ଯୋଜନାର ୨ କିସ୍ତି ଟଙ୍କା ମିଳିବ । ବିଜୁ ଜନତା ଦଳ ମହିଳାମାନଙ୍କୁ ହକ୍ ଦେଇଛି । କେନ୍ଦ୍ରର ଯୋଜନା ତୁଳନାରେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନେ ଦୁଇଗୁଣ ଟଙ୍କା ପାଉଛନ୍ତି । ମହିଳାମାନେ ହିଁ ବିକାଶର ପ୍ରକୃତ ଡବଲ ଇଞ୍ଜିନ୍ । ଚାଷୀ, ମହିଳା, ଯୁବକ, ଶ୍ରମିକ, ସାଧାରଣ ଲୋକ ସମସ୍ତେ ବିଜେଡ଼ି ସାଥିରେ ଅଛନ୍ତି । ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା