Connect with us

ଓଡିଶା

ବିଷ୍ଣୁ-ମନମୋହନଙ୍କୁ ନେଇ ଭଦ୍ରକ ଜିଲା ବିଜେପି ରାଜନୀତି ବେଶ୍ ଚର୍ଚ୍ଚାରେ

ସାଙ୍କେତିକ

ବିଷ୍ଣୁ-ମନମୋହନଙ୍କୁ ନେଇ ଭଦ୍ରକ ଜିଲା ବିଜେପି ରାଜନୀତି ବେଶ୍ ଚର୍ଚ୍ଚାରେ
ଭଦ୍ରକ,୧୮ ଅପ୍ରେଲ  – ବିଷ୍ଣୁ-ମନମୋହନଙ୍କୁ ନେଇ ଏବେ ଭଦ୍ରକ ଜିଲା ବିଜେପି ରାଜନୀତି ଚର୍ଚ୍ଚାରେ ରହିଛି । ବିଷ୍ଣୁଙ୍କୁ ତୃତୀୟ ଥର ପାଇଁ ଦଳ ପୁଣି ଧାମନଗର ସଂରକ୍ଷିତ ଆସନରୁ ଦଳୀୟ ପ୍ରାର୍ଥୀ କରିଥିବାବେଳେ ମନମୋହନଙ୍କୁ ଦ୍ୱିତୀୟ ଥର ପାଇଁ ଚାନ୍ଦବାଲି ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ କରିଛି । ଚଳିତ ନିର୍ବାଚନରେ ଉଭୟ ନେତାଙ୍କ ସଫଳତାକୁ ନେଇ ଦଳ ମଧ୍ୟ ବେଶ୍ ଆଶାବାଦୀ ରହିଛି । କାରଣ ଜିଲାର ଅନ୍ୟ ୩ଟି ବିଧାନସଭା ଆସନରେ ଦଳକୁ ସଫଳତା ମିଳୁକି ନମିଳୁ ଏହି ଦୁଇ ଆସନରେ ଦଳକୁ ନିଶ୍ଚିତ ସଫଳତା ମିଳିବ ବୋଲି ଦଳ ଆଶାବାଦୀ ରହିଛି । ହେଲେ ପରିବର୍ତିତ ରାଜନୈତିକ ପାଣିପାଗକୁ ନେଇ ଦଳର ଏହି ଦୁଇ ପ୍ରମୁଖ ନେତାଙ୍କ ସଫଳତା ନେଇ ଜିଲା ବିଜେପି ଆଶା ଓ ଆଶଙ୍କାରେ ।

ଜିଲା ବିଜେପି ରାଜନୀତିର ନୀତି ନିର୍ଦ୍ଧାରକ କୁହାଯାଉଥିବା ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି ଉପସଭାପତି ବିଷ୍ଣୁ ସେଠୀ ଗତ ୨୦୦୪ ନିର୍ବାଚନ ଠାରୁ ବିଜୟ ପାଇଁ ସଂଘର୍ଷ କରିଆସୁଥିବାବେଳେ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ୨୦୦୯ ନିର୍ବାଚନ ଠାରୁ ବିଜୟ ଲାଗି ସଂଘର୍ଷ କରିଆସୁଛନ୍ତି । ଗତ ୨୦୦୪ ନିର୍ବାଚନରେ ବିଷ୍ଣୁ ସେଠୀ ଚାନ୍ଦବାଲି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ନେତ୍ରାନନ୍ଦ ମଲ୍ଲିକଙ୍କ ଠାରୁ ପ୍ରାୟ ୨ ହଜାର ଭୋଟ ବ୍ୟବଧାନରେ ପରାଜିତ ହୋଇଥିବା ବେଳେ ୨୦୦୯ ଏବଂ ୨୦୧୪ ନିର୍ବାଚନରେ ଧାମନଗର ବିଧାନସଭା ଆସନରୁ କ୍ରମାଗତ ଭାବେ ପରାଜିତ ହୋଇଆସୁଛନ୍ତି । ସବୁଠାରୁ ବଡକଥା ହେଲା ବିଷ୍ଣୁଙ୍କ ପରାଜୟ ଭୋଟ ବ୍ୟବଧାନ କମିବା ପରିବର୍ତେ ବଢି ବଢି ଚାଲିଛି । ଯାହାକି ଏବେ ଦଳୀୟ ନେତାଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଗତ ୨୦୦୯ ନିର୍ବାଚନରେ ବିଷ୍ଣୁ ଧାମନଗର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଠାରୁ ପ୍ରାୟ ୫ ହଜାର ଭୋଟ ବ୍ୟବଧାନରେ ପରାଜିତ ହୋଇଥିବା ବେଳେ ୨୦୧୪ ନିର୍ବାଚନରେ ପରାଜୟ ବ୍ୟବଧାନ କମିବା ପରିବର୍ତେ ୯ ହଜାର ଟପିଯାଇଥିଲା ।

ଶେଷଥର ପାଇଁ ବିଷ୍ଣୁ ଗତ ୨୦୦୦ ନିର୍ବାଚନରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରୁ ବିଧାୟକ ନିର୍ବାଚିତ ହୋଇଥିଲେ । ସେବେଠାରୁ ବିଷ୍ଣୁ ତାଙ୍କର ଦ୍ୱିତୀୟ ବିଜୟ ପାଇଁ ସଂଘର୍ଷର୍ କରିଆସୁଛନ୍ତି । ସେହିଭଳି ଶେଷଥର ପାଇଁ ମନମୋହନ ଗତ ୨୦୦୪ ନିର୍ବାଚନରେ ଧାମନଗର ଆସନରୁ ବିଜୟୀ ହୋଇଥିଲେ ମଧ୍ୟ ସେବେଠାରୁ ଦ୍ୱିତୀୟ ବିଜୟ ପାଇଁ ସଂଘର୍ଷ କରିଆସୁଛନ୍ତି । ଧାମନଗର ସଂରକ୍ଷିତ ଆସନ ଘୋଷଣା ହେବା ପରେ ମନମୋହନ ୨୦୦୯ ନିର୍ବାଚନ ଭଣ୍ଡାରିପୋଖରୀ ବିଧାନସଭା ଆସନରୁ ଏବଂ ୨୦୧୪ ନିର୍ବାଚନ ଚାନ୍ଦବାଲି ବିଧାନସଭା ଆସନରୁ ନିର୍ବାଚନ ଲଢି ପରାଜିତ ହୋଇଆସୁଛନ୍ତି । କେବଳ ପରାଜୟ ନୁହେଁ ପ୍ରତିଦ୍ୱନ୍ଦିତା ଦୌଡରେ ସର୍ବଦା ଦ୍ୱିତୀୟ ସ୍ଥାନରେ ରହିଆସୁଛନ୍ତି । ସବୁଠାରୁ ବଡ କଥା ହେଲା ଦଳର ଏହି ଦୁଇ ତୁଙ୍ଗନେତା ଯେଉଁ ଦୁଇଥର ନିର୍ବାଚିତ ହୋଇଛନ୍ତି, ତାହା ମଧ୍ୟ ରାଜ୍ୟରେ ଥିବା ବିଜେଡି-ବିଜେପି ଭାଗୁଆଳି ଶାସନ ଅମଳରେ ସମ୍ଭବ ହୋଇଥିଲା । ଏହା ପରଠାରୁ ଉଭୟ ନେତାଙ୍କ ପାଇଁ ସଫଳତା ସ୍ୱପ୍ନ ହୋଇଯାଇଛି । ତେବେ ଚଳିତ ନିର୍ବାଚନରେ ରାଜନୈତିକ ପାଣିପାଗର ପରିବର୍ତନ ଏହି ଦୁଇ ନେତାଙ୍କୁ ବେଶ୍ ଆଶାବାଦୀ କରିଥିଲେ ମଧ୍ୟ ଶକ୍ତିଶାଳୀ ବିଜେଡିକୁ ଟକ୍ଟର ଦେଇ ସଫଳତା ହାସଲ କରିବା ସେମାନଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ତେବେ ଧାମନଗର ବିଜେଡି ରାଜନୀତିରେ ବିଧାୟକ ମୁକ୍ତିକାନ୍ତ ଏବଂ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକଙ୍କ ମଧ୍ୟରେ ବିବାଦ ଏଥର ବିଷ୍ଣୁଙ୍କ ବିଜୟକୁ ସୁଗମ କରିବ ବୋଲି ଆଶଙ୍କା କରାଯାଉଥିଲେ ମଧ୍ୟ ଧାମନଗର ବିଜେଡି ରାଜନୀତିରେ ପଟ୍ଟ ପରିବର୍ତନ ଏବେ ବିଷ୍ଣୁଙ୍କ ବିଜୟରେ ପ୍ରତିବନ୍ଧକ ସୃଷ୍ଟି କରିଛି । ସେହିଭଳି ଗତ ନିର୍ବାଚନରେ ଚାନ୍ଦବାଲି ବିଧାନସଭା ଆସନରୁ ପରାଜୟ ସତ୍ୱେ ଏକ ସମ୍ମାନଜନକ ଭୋଟ ପାଇଥିବା ମନମୋହନ ଏଥର ବିଜେଡିର ଗୋଷ୍ଠୀ କନ୍ଦଳରୁ ଫାଇଦା ନେବା ମତଲବରେ ରହିଥିଲେ ମଧ୍ୟ ଗତ ନିର୍ବାଚନ ଭଳି ଏଥର ନିର୍ବାଚନ ତାଙ୍କ ପାଇଁ ସେତେଟା ସହଜ ମନେ କରାଯାଇପାରୁନାହିଁ । କୁହାଯାଇଛି ମନମୋହନଙ୍କ ସାମର୍ଥ ବୃଦ୍ଧି ତାଙ୍କୁ ପ୍ରତିଦ୍ୱନ୍ଦିତା ଦୌଡରେ ତୃତୀୟ ସ୍ଥାନରୁ ଉଠାଇ ଦ୍ୱିତୀୟ ସ୍ଥାନକୁ ନେଇପାରେ ହେଲେ ବିଜୟ ତାଙ୍କ ପାଇଁ ସେତେଟା ସହଜ ମନେ କରାଯାଇପାରୁନାହିଁ ।

କାରଣ ଏହି ଆସନରେ ବିଜେଡିର ତୀବ୍ର ଗୋଷ୍ଠୀ କନ୍ଦଳ ଏବଂ ବରିଷ୍ଠ ନେତା ପ୍ରତାପ ଧଳଙ୍କ ଦଳରୁ ଇସ୍ତଫା ଏବଂ ପ୍ରତିପକ୍ଷ ବିଜେପିରେ ଯୋଗ ଦାନ ସତ୍ୱେ ଏହି ଆସନରେ ବିଜେଡି ଏବେବି ଏକ ନମ୍ବର ସ୍ଥାନରେ ରହିଛି । ଦଳର ପ୍ରଭାବଶାଳୀ ପ୍ରଚାର ସାଙ୍ଗକୁ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କର ଅନୁନ୍ନତ ଚାନ୍ଦବାଲିକୁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ଚାନ୍ଦବାଲି ଭୋଟରଙ୍କୁ ବେଶ୍ ପ୍ରଭାବିତ କରିଛି । ଯାହାର ଫାଇଦା ବିଜେଡିକୁ ମିଳିବା ନିଶ୍ଚିତ ମନେ କରାଯାଉଛି । ଏହି ଆକଳନ ସତ୍ୟ ପ୍ରମାଣିତ ହେଲେ ଚଳିତ ନିର୍ବାଚନରେ ଦଳର ଏହି ଦୁଇ ପ୍ରମୁଖ ନେତାଙ୍କୁ ଏଥର ହାଟ୍ରିକ୍ ପରାଜୟର ସମ୍ମୁଖୀନ ହେବାକୁ ପଡିବ ନାହିଁ, ତାହା କହିହେବ ନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା