Connect with us

ଆଞ୍ଚଳିକ

ବିଜେଡି ସରକାରର ବିଧାୟକଙ୍କ ଅହଂକାର ଚରମ ସୀମାରେ : ବିଜେପି

ସାଙ୍କେତିକ

ବିଜେଡି ସରକାରର ବିଧାୟକଙ୍କ ଅହଂକାର ଚରମ ସୀମାରେ : ବିଜେପି
ଭଦ୍ରକ, ୩୧ ଜାନୁଆରୀ – ଗତ ବୁଧବାର ଭଦ୍ରକ ଜିଲ୍ଲା ପରିଷଦ ବୈଠକରେ ବିଜେଡିର ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଓ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଯେଉଁଭଳି ଭାବରେ ବିଜେପିର ମହିଳା ଜିଲ୍ଲା ପରିଷଦ ସଦସ୍ୟା ରଂଜିତା ସ୍ୱାଇଁଙ୍କ ପ୍ରତି ଅଶାଳୀନ, ଅନୈତିକ ବ୍ୟବହାର ପ୍ରଦର୍ଶନ କଲେ ତାହା ବିଜେଡି ସରକାରର ବିଧାୟକଙ୍କ ଅହଂକାର । ଯାହା ଚରମ ସୀମାରେ ପହାଂଚିଛି । ଜଣେ ବିଧାୟକ ଡି. ବ୍ରଦର୍ସ ଲିଙ୍କରେ ଥିବା ବେଳେ ଆଉଜଣେ ବହୁ ଚର୍ଚ୍ଚିତ ଛୁଞ୍ଚିଆ ହତ୍ୟାକାଣ୍ଡର ଅଭିଯୁକ୍ତ । ଏଭଳି ଦୁଇ ବିଧାୟକ ସଭା ମଧ୍ୟରେ ଜିଲ୍ଳାପାଳ ଓ ଅନ୍ୟାନ୍ୟ ଜିଲ୍ଲା ପଦାଧିକାରୀଙ୍କ ସମ୍ମୁଖରେ ଜଣେ ମହିଳା ଲୋକ ପ୍ରତିନିଧିଙ୍କ ପ୍ରତି ଅସଦାଚରଣ ବିଜେଡିର ପ୍ରକୃତ ରୂପକୁ ଭଦ୍ରକବାସୀଙ୍କ ସମ୍ମୁଖରେ ପ୍ରତିପାଦିତ କରୁଛି ବୋଲି ଆଜି ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ବିଷ୍ଣୁ ସେଠୀ ପ୍ରକାଶ କରିଛନ୍ତି ।

ସମ୍ମିଳନୀରେ ଅଧ୍ୟକ୍ଷତା କରୁଥିବା ବିଜେପି ଜିଲ୍ଲା ସଭାପତି ବଦ୍ରି ଧଳ ଏଭଳି ଅଗଣତାନ୍ତ୍ରିକ ମହିଳା ବିରୋଧୀ ମନୋଭାବ ଓ ବିଜେଡି ବିଧାୟକଙ୍କ ଦାଦାଗିରିକୁ ବିଜେପି ଜିଲ୍ଲା କମିଟି ଘୋର ନିନ୍ଦା କରୁଛି । ‘ମା କୁ ସମ୍ମାନ, ଗାଁ କୁ କାମ’ ସ୍ଳୋଗାନ ଦେଉଥିବା ଓ ‘ମହିଳା ସଶକ୍ତି କରଣ’ର ନାମ ନେଇ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାର ଡିଣ୍ଡିମ ପିଟୁଥିବା ବିଜୁ ଜନତା ଦଳର ଅସଲ ସ୍ୱରୂପ ଶ୍ରୀମତୀ ସ୍ୱାଇଁଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର ଘଟଣାରୁ ପ୍ରମାଣିତ ହୋଇ ଯାଇଛି । ଅହଂକାରର ଶେଷ ସୀମା ଟପିଥିବା ବିଜେଡି, କ୍ଷମତା ଓ ଅର୍ଥ ଶକ୍ତିରେ ଲାଂଚ ଦେଇ ଓ ଲୋଭ ଦେଖାଇ ଗାଡି ମୋଟରରେ ହଜାର ହଜାର ମହିଳାଙ୍କୁ ବୋହି ନେଇ ସଭା ସଫଳ କରାଇବାର ବିଜେଡି ଦଳର ଯେଉଁ ପ୍ରୟାସ, ବାସ୍ତବିକ ହାସ୍ୟାସ୍ପଦ ମନେହୁଏ ବୋଲି କହିଥିଲେ । ଓଡିଶାର ମାତୃଜାତି ଭବିଷ୍ୟତରେ ଏଭଳି ଅଗଣତାନ୍ତ୍ରିକ ଓ ଅମାନବୀୟ ଦୁର୍ଘଟଣାର ଉଚିତ ଜବାବ ଦେବେ ଏବଂ ତୁରନ୍ତ ଦୁଇ ବିଧାୟକଙ୍କୁ ଗିରଫ କରିବାକୁ ସମ୍ମିଳନୀରେ ଦାବୀ କରାଯାଇଥିଲା ।

ଏହି ସମ୍ମିଳନୀରେ ଜିଲ୍ଳା ପରିଷଦ ସଭ୍ୟା ଶ୍ରୀମତୀ ସ୍ୱାଇଁଙ୍କ ସହିତ ଅନ୍ୟତମ ସଦସ୍ୟା ଉମାମଣି ସାହୁ, ସଦସ୍ୟ ମନୋଜ ମଲ୍ଲିକ, ସୁରଥ ସେଠୀ, ଭଦ୍ରକ ବିଧାନସଭା ନେତା ଡାକ୍ତର ପ୍ରଦିପ ନାୟକ, ଜିଲ୍ଲା ଉପସଭାପତି ତପନ ମହାନ୍ତି, ଅମ୍ବିକା ଦାସ, ସାଧାରଣ ସଂପାଦକ ଅଶୋକ ପୁହାଣ, ଶରତ ପଢିଆରୀ, ଜିଲ୍ଲା ସମ୍ପାଦକ ଚତୁର୍ଭୁଜ ନାୟକ, ମାଳତୀଲତା ସାହୁ, ମହିଳାମୋର୍ଚ୍ଚା ପକ୍ଷରୁ ମନୋରମା ପାତ୍ର, ଯୁବମୋର୍ଚ୍ଚା ସଭାପତି ସୁରେଶ ସାମଲ, ରାମଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ