Connect with us

ଦେଶ

ପାସପୋର୍ଟ ପାଇଁ ଆଉ ଆବେଦନକାରୀଙ୍କୁ ଥାନାକୁ ଯିବାକୁ ପଡ଼ିବ ନାହିଁ ।

ପାସପୋର୍ଟ ପାଇଁ ଆଉ ଆବେଦନକାରୀଙ୍କୁ ଥାନାକୁ ଯିବାକୁ ପଡ଼ିବ ନାହିଁ ।

ଭୁବନେଶ୍ୱର: କେନ୍ଦ୍ର ବୈଦେଶିକ ବିଭାଗର ନୂଆ ଗାଇଡ଼ ଲାଇନକୁ ପାଳନ କଲା କମିସନରେଟ୍‌ ପୁଲିସ । ପାସପୋର୍ଟ ଯାଞ୍ଚ ପାଇଁ ଆଉ ଆବେଦନକାରୀଙ୍କୁ ଥାନାକୁ ଯିବାକୁ ପଡ଼ିବ ନାହିଁ। କିମ୍ବା ଥାନାରେ ଘଣ୍ଟାଘଣ୍ଟା ଧରି ସମ୍ପର୍କୀତ ବାବୁଙ୍କୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଯଦି ଦରକାର ପଡେ ତେବେ ଓଲଟି ଥାନାବାବୁ ଆପଣଙ୍କ ନିକଟରେ ପହଞ୍ଚି ଆବେଦନ ଫର୍ମରେ ଦସ୍ତଖତ ମାରିବେ ।

ଭୁବନେଶ୍ୱର ଡିସିପିଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରର ସମସ୍ତ ଥାନା ଅଧିକାରୀ ଓ ପାସପୋର୍ଟ ଯାଞ୍ଚ କରୁଥିବା କର୍ମଚାରୀଙ୍କ ମଧ୍ୟରେ ପାସପୋର୍ଟ ପାଇଁ ପୁଲିସ ରିପୋର୍ଟ କିପରି ଠିକ୍‌ ହୋଇପାରିବ ସେନେଇ ଏକ ସଚେତନତା କାର୍ଯ୍ୟକ୍ରମ ଡିସିପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭୁବନେଶ୍ୱର ଆଞ୍ଚଳିକ ପାସପୋର୍ଟ ଅଧିକାରୀ ଓ କମିସନରେଟ୍‌ ପୁଲିସର ବରିଷ୍ଠ

ଅଧିକାରୀମାନେ ଯୋଗ ଦେଇଥିଲେ । ପୂର୍ବରୁ କୌଣସି ଭାରତୀୟ ନାଗରିକ ପାସପୋର୍ଟ ପାଇଁ ଆବେଦନ କରିବା ପରେ ସଂପୃକ୍ତ ଜିଲ୍ଲା ଗୁଇନ୍ଦା ବିଭାଗ ମାଧ୍ୟମ ହୋଇ ଆବେଦନଫର୍ମ ପାସପୋର୍ଟ ଆବେଦନ କରିଥିବା ବ୍ୟକ୍ତି ରହୁଥିବା ଅଞ୍ଚଳର ଥାନାକୁ ପଠାଇ ଦିଆଯାଉଥିଲା । ସେଠାରେ ଥାନା ଅଧିକାରୀମାନେ ସଂପୃକ୍ତ ବ୍ୟକ୍ତିଙ୍କୁ ଥାନାକୁ ଡାକି ଘର ଠିକଣା, ଦେଇଥିବା ଫଟୋକୁ ଆଟେଷ୍ଟଡ଼ କରାଇବା ଓ ଆବେଦନକାରୀଙ୍କ ଦସ୍ତଖତ ନେବା ସହିତ ବ୍ୟକ୍ତିଙ୍କ ନାମରେ କିଛି ମାମଲା ଅଛି କି ନାହିଁ ତଦନ୍ତ କରି ଜିଲ୍ଲା ଗୁଇନ୍ଦା ବିଭାଗକୁ ପଠାଇଥାନ୍ତି । ଏହା ପରେ ବ୍ୟକ୍ତି ଜଣକ ପାସପୋର୍ଟ ପାଉଥିଲା । ପାସପୋର୍ଟ ଯାଞ୍ଚ କରୁଥିବା ଥାନା ଅଧିକାରୀ ଜଣକ ଆବେଦନକାରୀଙ୍କୁ ବିଭିନ୍ନ କାଗଜପତ୍ର ମାଗିବା ସହିତ ଥାନାକୁ ବାରମ୍ବାର ଡକାଇବା ଦ୍ୱାରା ହଇରାଣ ହରକତ ହଉଥିଲେ ।

ଏସବୁକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଗତ ଜୁନ ୧ରୁ ପୁଲିସ ପାସପୋର୍ଟ ଯାଞ୍ଚ ପାଇଁ ଏକ ନୂତନ ଫର୍ମ ଜାରି କରିଛନ୍ତି । ଯେଉଁଥିରେ ପାସପୋର୍ଟ ଆବେଦନକାରୀଙ୍କ ଠିକଣା, ଫଟୋ ଆଟେଷ୍ଟ ଓ ଦସ୍ତଖତ ଆଦି ଯାଞ୍ଚ କରିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦେଇଛନ୍ତି । ପୁଲିସ କେବଳ ଆବେଦନକାରୀଙ୍କ ଅପରାଧିକ ରେକର୍ଡକୁ ତନଖି କରିବ । ଯେହେତୁ ଆବେଦନକାରୀଙ୍କ ଠିକଣା, ଫଟୋ, ଦସ୍ତଖତ ଆଦି ଯାଞ୍ଚ ହେଉ ନାହିଁ, ଏଥି ପାଇଁ ଆବେଦନକାରୀମାନେ ସଂପୃକ୍ତ ଥାନାକୁ ଯିବାକୁ ପଡ଼ିବ ନାହିଁ । ଯଦି କିଛି ଦରକାର ପଡ଼େ ତେବେ ଥାନା ଅଧିକାରୀ ଆବେଦନକାରୀଙ୍କ ପାଖକୁ ଯିବେ । ସେଥିପାଇଁ ପାସପୋର୍ଟ ଯାଞ୍ଚ କରୁଥିବା ସମସ୍ତ ପୁଲିସ କର୍ମଚାରୀଙ୍କୁ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ବିଭାଗ ତରଫରୁ ଅର୍ଥ ପ୍ରଦାନ କରାଯିବ।

ଉପରୋକ୍ତ ବିଷୟକୁ ବିଚାର କରି ସମସ୍ତ ଥାନା ଅଧିକାରୀ ଓ ପୁଲିସ ଅଫିସରମାନଙ୍କୁ ନୂତନ ଭାବରେ ହୋଇଥିବା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଡିସିପି ଅନୁପ ସାହୁ ନିର୍ଦେଶ ଦେଇଛନ୍ତି ।

 

Click to comment

Leave a Reply

Your email address will not be published. Required fields are marked *

More in ଦେଶ